ମନମୁଣ୍ଡା, ୦୯/୦୧ : ଓଡ଼ିଶାରେ ପ୍ରଥମ ଓ ଦୃଷ୍ଟାନ୍ତମୂଳକ ରାୟ। ଅପମିଶ୍ରିତ କଫ୍ ସିରପ୍ ବ୍ୟବସାୟୀଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ। ଜରିମାନା ଅନେଦୟ ହେଲେ ଆହୁରି ୧ ବର୍ଷ ଅଧିକ କାରାଦଣ୍ଡ ନିର୍ଦ୍ଦେଶ ଦେଲେ କୋର୍ଟ। ଭୁବନେଶ୍ଵର ଆଡିସନାଲ ସେସନ୍ସ ଅଦାଲତ ଏକ ଅପମିଶ୍ରିତ କଫ ସିରପ୍ ଚାଲାଣ ତଥା ବ୍ୟବସାୟ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି।
ସୂଚନାନୁଯାୟୀ, ୨୦୨୨ ମସିହା ମେ ମାସରେ ଭରତପୁର ଥାନା ପୋଖରୀପୁଟ ଅଞ୍ଚଳର ପଦ୍ମନାଭ ବେହେରା ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ମଞ୍ଚେଶ୍ୱର୍ କୁ ଏକ ଗାଡ଼ିରେ ନିଷିଦ୍ଧ କଫ ସିରପ୍ ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇବା ପରେ କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ତାଙ୍କୁ ଧରିଥିଲେ। ଗାଡିରୁ ୧୨୮୦ଟି ସିଲ୍ ହୋଇଥିବା କଫ ସିରପ୍ ଜବତ ହୋଇଥିଲା। ତାହା ପରୀକ୍ଷା କରିବାରୁ ଅପମିଶ୍ରଣ ଥିବା ଜାଣିବାକୁ ମିଳିଥିଲା। ଗାଡ଼ି ଓ ଉକ୍ତ କଫ ସିରପ୍ କୁ ପୁଲିସ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଭରତପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ଏବଂ ମାମଲାଟି ଭୁବନେଶ୍ୱର ଆଡିସନାଲ ସେସନ୍ସ ଅଦାଲତରେ ବିଚାରାଧୀନ ଥିଲା। ବିଚାରପତି ବନ୍ଦନା କର ୭ ଜଣ ସାକ୍ଷ୍ୟଙ୍କ ବୟାନ ଓ ପ୍ରମାଣପତ୍ର ଆଧାରରେ ଗୁରୁବାର ଏକ ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ ରାୟ ପ୍ରକାଶ କରିଥିଲେ। କଫ୍ ସିରପ୍ ବ୍ୟବସାୟୀଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ। ଏପରି ମାମଲାରେ ଆଜୀବନ କାରାଦଣ୍ଡାଦେଶ ଓଡ଼ିଶାରେ ପ୍ରଥମ ବୋଲି ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ପବ୍ଲିକ ପ୍ରସିକ୍ୟୁଟର ସାଇରଞ୍ଜନ ମହାନନ୍ଦିଆ କହିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ପୋଲାଭରମ୍ ପ୍ରକଳ୍ପ ନେଇ ବର୍ଷିଲା ବିଜେଡି : 'ଆଦିବାସୀ ମୁଖ୍ୟମନ୍ତ୍ରୀ ମାଲକାନଗିରି ଲୋକଙ୍କ ସ୍ୱାର୍ଥ ରଖିବାରେ ବିଫଳ'