ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ମହାରାଣା ପ୍ରତାପ ଓ ଛତ୍ରପତି ଶିବାଜୀ ମହାରାଜଙ୍କୁ ଜାତୀୟ ନାୟକ ଭାବେ ବର୍ଣ୍ଣନା କରିଛନ୍ତି। ଔରଙ୍ଗଜେବ୍‌ଙ୍କୁ ନିଜର ଆଦର୍ଶ ମାନୁଥିବା ଲୋକଙ୍କୁ ପରାମର୍ଶ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଲୋକଙ୍କୁ ଲାଗୁଛି କି, ଔରଙ୍ଗଜେବ ଜଣେ ନାୟକ ଥିଲେ , ତାଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହେରୁଙ୍କ ପୁସ୍ତକ ପଢିବା ଉଚିତ୍‌, ଯିଏକି ନିଜର ପୁସ୍ତକରେ ଲେଖିଛନ୍ତି ଯେ , ମୋଗଲ ବାଦଶାହ ଔରଙ୍ଗଜେବ ଜଣେ ନିଷ୍ଠୁର ଓ ଧର୍ମାନ୍ଧ ଶାସକ ଥିଲେ। 

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରେ ମେୱାଡ ଶାସକ ମହାରାଣା ପ୍ରତାପଙ୍କର ପ୍ରତିମୂର୍ତ୍ତୀକୁ ଉନ୍ମୋଚନ କରିବାକୁ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ମହାରାଣା ପ୍ରତାପ ଅତୁଳନୀୟ ସାହସ ଓ ଦେଶଭକ୍ତିର ପ୍ରତୀକ ଥିଲେ। ସେ ନିଜର ସ୍ୱାଭିମାନ ଓ ନିଜ ମାଟିର ରକ୍ଷା ପାଇଁ ମୋଗଲ ସମ୍ରାଟ ଆକବରଙ୍କୁ ସିଧା ଚ୍ୟାଲେଞ୍ଜ ଦେଇଥିଲେ।

ଏହି ବରିଷ୍ଠ ବିଜେପି ନେତା ଦାବି କରିଛନ୍ତି ଯେ ,ସ୍ୱାଧୀନତା ପରେ ବାମପନ୍ଥୀ ଐତିହାସିକମାନେ ମହାରାଣା ପ୍ରତାପ ଓ ଛତ୍ରପତି ଶିବାଜୀ ଦୁହିଁଙ୍କୁ ହିଁ ଉଚିତ୍‌ ଶ୍ରେୟ ଦେଇ ନାହାନ୍ତି, ବରଂ ଔରଙ୍ଗଜେବଙ୍କ ଭଳି ନିଷ୍ଠୁର ଶାସକଙ୍କୁ ଗୌରବାନ୍ୱିତ କରିଛନ୍ତି। ଏହିଭଳି ଜଣେ ନିଷ୍ଠୁର ଓ କଟ୍ଟରପନ୍ଥୀ ବ୍ୟକ୍ତି ନାୟକ ହୋଇ ପାରିବେ ନାହିଁ। ସେ କହିଛନ୍ତି ଯେ, ଔରଙ୍ଗଜେବଙ୍କ ଭାଇ ଦାରା ଶିକୋହ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ଉପନିଷଦର ଅନୁବାଦ କରି ଥିଲେ ଏବଂ ଔରଙ୍ଗଜେବ କ୍ଷମତା ପାଇଁ ତାଙ୍କୁ ହତ୍ୟା କରି ଦେଲେ। 

ମହାରାଣା ପ୍ରତାପ ଓ ଛତ୍ରପତି ଶିବାଜୀ ମହାରାଜଙ୍କ ବିଷୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ନିଜର ବୀରତ୍ୱ ବ୍ୟତୀତ ମହାରାଣା ପ୍ରତାପ ସମାଜର ସବୁ ବର୍ଗଙ୍କୁ ଏକାଠି କରି ପାରି ଥିଲେ। ତାଙ୍କର ସେନାରେ ଆଦିବାସୀ ଓ ମୁସଲମାନ ସମସ୍ତେ ସାମିଲ ଥିଲେ। ହକିମ୍‌ ଖାନ ସୁରୀ ହଳଦୀଘାଟୀରେ ମୋଗଲଙ୍କ ସହ ରାଣା ପ୍ରତାପଙ୍କ ପାଇଁ ଲଢି ନିଜର ଜୀବନ ଉତ୍ସର୍ଗ କରିଥିଲେ, ଆଉ ଜଣେ ମୁସଲିମ୍‌ ଯୁବକ ଛତ୍ରପତି ଶିବାଜୀ ମହାରାଜଙ୍କ ଅଙ୍ଗରକ୍ଷକ ଥିଲେ। 

ରାଣା ପ୍ରତାପ ଓ ଶିବାଜୀ ମହାରାଜ ଉଭୟ ମୁସଲିମ୍‌ ବିରୋଧୀ ନଥିଲେ କି କୌଣସି ଧର୍ମ ପ୍ରତି ଆଗ୍ରହୀ ନଥିଲେ। ସେ ସବୁ ଧର୍ମକୁ ସମ୍ମାନ କରୁଥିଲେ ବୋଲି  କହିଛନ୍ତି ଏହି ବରିଷ୍ଠ ବିଜେପି ନେତା ।