• ୫ଟି ଛକରେ ହେବ ଫ୍ଲାଏଓଭର
  • ଜୟଦେବବିହାର ଛକରେ କେବଲ ଷ୍ଟେଅଡ ବ୍ରିଜ
  • କଳିଙ୍ଗ ହସ୍ପିଟାଲ, ଡମଣା, କିଟ୍ ଛକରେ ଫ୍ଲାଏଓଭର
  • କଳାରାହାଙ୍ଗ ଛକରେ ବି ହେବ ଫ୍ଲାଏଓଭର
  • ୮ ଲେନ୍ ପ୍ରଶସ୍ତ ରାସ୍ତା ପରେ ସର୍ଭିସ୍ ରୋଡ୍

 

ଭୁବନେଶ୍ୱର, ୦୯/୦୨: ରାଜଧାନୀ ଭୁବନେଶ୍ୱରର ଡିକନଜେସନ୍ ପ୍ଲାନ୍ ବା ଭିଡ଼ମୁକ୍ତ ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଜୟଦେବବିହାର-ନନ୍ଦନକାନନ ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ଟେଣ୍ଡର ଡାକିଛନ୍ତି । ଏବେ ୬ ଲେନ୍ ଥିବାବେଳେ ଏହାକୁ ୮ ଲେନ୍ କରାଯିବ । ମୁଖ୍ୟ ରାସ୍ତା ପାଶ୍ୱର୍ରେ ସାଢ଼େ ୫ମିଟର ଚଉଡ଼ାର ସର୍ଭିସ ରୋଡ୍ ରହିବ । ଜୟଦେବବିହାର ଛକରେ ନୂଆ ଡିଜାଇନ୍ର କେବଲ ଷ୍ଟେଅଡ ବ୍ରିଜ୍ କରାଯିବ ।

ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃ(ଓବିସିସି) ଏହି ଟେଣ୍ଡର ଆହ୍ୱାନ କରିଛି । ୨୬ ତାରିଖ ଟେଣ୍ଡର ବିଡ୍ ଦାଖଲର ଶେଷ ତାରିଖ ରହିଛି । ୧୩ ତାରିଖ ଦିନ ସାଢ଼େ ୧୧ଟାରେ ଭିଡିଓ କନଫରେନ୍ସିଂ ଯୋଗେ ପ୍ରି-ବିଡ୍ ବୈଠକ ହେବ ବୋଲି ସୂଚନା ମିଳିଛି । ଯୋଜନା ଅନୁସାରେ, କଳିଙ୍ଗ ଷ୍ଟାଡିୟମ ୪ନଂ ଫାଟକ ପାଖରୁ ଫ୍ଲାଏଓଭର ଆରମ୍ଭ ହୋଇ ଜୟଦେବ ବିହାର ଛକ ଆଗକୁ ଯିବ । ଜୟଦେବ ବିହାର ଛକରେ ଜାତୀୟ ରାଜପଥ ଉପରେ ପାରମ୍ପରିକ ଓଭରବ୍ରିଜ୍ ବଦଳରେ କେବଲ ଷ୍ଟେଅଡ୍ ବ୍ରିଜ୍ ହେବ । ଏହା ପ୍ରି-କାଷ୍ଟ କଂକ୍ରିଟ୍ ଟେକ୍ନୋଲୋଜିରେ ତିଆରି ହେବ । ଏହି ଟେକ୍ନୋଲୋଜିରେ ବ୍ରିଜ ନିର୍ମାଣ ପାଇଁ ଅପେକ୍ଷାକୃତ କମ୍ ଟଙ୍କା ଖର୍ଚ୍ଚ ହେବା ସହ ଏହାର ସ୍ଥାୟିତ୍ୱ ଅଧିକ ବୋଲି କୁହାଯାଉଛି ।

କଳିଙ୍ଗ ଷ୍ଟାଡିୟମ୍ରୁ ନନ୍ଦନକାନନ ପାଖ ରଘୁନାଥପୁର ଯାଏ ମୋଟ ୯.୫କିଲୋମିଟର ରାସ୍ତାକୁ ସମ୍ପୂର୍ଣ୍ଣ ଚଉଡ଼ା କରାଯିବ । ଏହି ରାସ୍ତାରେ ଜୟଦେବବିହାର କେବଲ ଷ୍ଟେଅଡ ବ୍ରିଜ୍‌କୁ  ମିଶାଇ ମୋଟ ୫ଟି ଫ୍ଲାଏଓଭର ହେବ । ପୁଣି ରାସ୍ତାକୁ ୮ ଲେନ ବିଶିଷ୍ଟ କରାଯିବ । ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଏକ ସର୍ଭିସ୍ ରାସ୍ତା ରହିବ । ପାଖ ଦୋକାନ ବା ଆବାସିକ ଅଞ୍ଚଳକୁ ଯା’ଆସ କରିବା ଉଦ୍ଦେଶ୍ୟରେ ଏହି ସର୍ଭିସ୍ ରୋଡ ବ୍ୟବହାର ହେବ । ପୂରା ପ୍ରକଳ୍ପ ପାଇଁ ୯୫୨ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର ।

ଆହୁରି ପଢ଼ନ୍ତୁ:- ରାଜ୍ୟରେ କମିବ ଶୀତ ପ୍ରଭାବ, ୪ ଦିନରେ ରାତି ତାପମାତ୍ରା ୪ ଡିଗ୍ରୀ ବଢ଼ିବା ନେଇ ଆକଳନ

ଗତ କିଛି ଦିନ ତଳେ ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ଦେଇଥିଲେ । କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ, କିଟ୍ ଛକ ଓ କଳାରାହାଙ୍ଗ ଛକରେ ମୋଟ ୪ଟି ଫ୍ଲାଏଓଭର ରହିବ । ଫ୍ଲାଏଓଭରର ଚଉଡ଼ା ବି ୪ଲେନ୍ ବିଶିଷ୍ଟ ହେବ । ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ପଡୁଥିବା ୯ଟି ଛକକୁ ଭାଙ୍ଗି ସମ୍ପୂର୍ଣ୍ଣ ନୂଆ ରୂପ ଦିଆଯିବ । ଏଠାରୁ ଟ୍ରାଫିକ୍ ପୋଷ୍ଟକୁ ହଟାଇ ଦେଇ ଗୋଲେଇ ଛକ (ଆଟ୍ ଗ୍ରେଡ୍ ରାଉଣ୍ଡ ଏବାଉଟ୍) କରାଯିବ । ଜୟଦେବ ବିହାର ଛକ, ଏକ୍ସଆଇଏମ୍‌ବି , କଳିଙ୍ଗ ହସ୍ପିଟାଲ ଛକ, କେୟାର ହସ୍ପିଟାଲ ଛକ, ଡମଣା ଛକ, ଇନ୍ଫୋସିଟି ଛକ, ଶିଶୁବିହାର ଛକ ଓ କଳାରାହାଙ୍ଗ ଛକରେ ଗୋଲେଇ ଛକ ରହିବ ।

ଖାଲି ରାସ୍ତା ଚଉଡ଼ା ହେବନି, ରାସ୍ତା ପାଶ୍ୱର୍ର ବିଭିନ୍ନ ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ସୁବିଧା କରାଯିବ । ଏଥିପାଇଁ ଡେଡିକଟେଡ୍ ପାର୍କିଂ ସ୍ଥାନ ତିଆରି ହେବ । ଫ୍ଲାଏଓଭର ତଳ ସ୍ଥାନକୁ ମଧ୍ୟ ପାର୍କିଂ ସ୍ଥାନ ଭାବେ ବିକାଶ କରିବାକୁ ଓବିସିସି ଡିପିଆର୍ କରିଛି ।

ଆହୁରି ପଢ଼ନ୍ତୁ :- ଜମିବାଡି ବିବାଦ : ବାପାର ଛୁରା ମାଡ଼ରେ ପୁଅ ମୃତ