ବ୍ୟାଙ୍କଗୁଡ଼ିକୁ ସରକାରଙ୍କ ଆହ୍ୱାନ: ଜେଟ୍କୁ ଉଦ୍ଧାର କର

ନୂଆଦିଲ୍ଲୀ,୧୯ା୩(ଏଜେନ୍ସି):ଆଗକୁ ନିର୍ବାଚନ । ଏଭଳି କ୍ଷେତ୍ରରେ ସରକାର ବିଭିନ୍ନ ପ୍ରକାର ରଣକୌଶଳ ଆପଣାଉଛନ୍ତି । ଏହି କ୍ରମରେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଜେଟ୍ ଏୟାର୍ୱେଜ୍କୁ ଉଦ୍ଧାର କରିବାକୁ ବ୍ୟାଙ୍କଗୁଡିକୁ ଆହ୍ୱାନ ଦେଇଛନ୍ତି ନରେନ୍ଦ୍ର ମୋଦି ସରକାର । ବର୍ତ୍ତମାନ ସମୟରେ ଜେଟ୍କୁ ଦେବାଳିଆ ହେବାରୁ ଅଟକାଇ ହଜାର ହଜାର ନିଯୁକ୍ତି ବଞ୍ଚାଇବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ବିଶେଷ ସୂତ୍ରରୁ ଏହା ଜଣାଯାଇଛି । ଜେଟ୍ର ଆର୍ଥିକ ସ୍ଥିତିକୁ ନେଇ ଅର୍ଥ ମନ୍ତ୍ରଣାଳୟ ବିଗତ ଦିନରେ ବ୍ୟାଙ୍କଗୁଡିକଠାରୁ ତଥ୍ୟ ହାସଲ କରିଛି । ଜେଟ୍ର ପୁନରୁଦ୍ଧାର ଯୋଜନାକୁ ନେଇ ଏବେ ବ୍ୟାଙ୍କଗୁଡିକ ସରକାରଙ୍କୁ ସାପ୍ତାହିକ ବିବରଣୀ ଦେଉଛନ୍ତି । ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ କମ୍ପାନିର ସମସ୍ୟା ଉପରେ ନିୟମିତ ଭାବେ ତଥ୍ୟ ଲୋଡୁଛନ୍ତି । ଜେଟ୍କୁ ଋଣ ପ୍ରଦାନ କରିଥିବା ଏକ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ଜେଟ୍ର ଋଣକୁ ଇକ୍ୱିଟିରେ ରୂପାନ୍ତର କରିବା ପାଇଁ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । କମ୍ପାନିର ଅଂଶଧନ ନେଇ ଏହାକୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଟିକସଦାତାଙ୍କ ଟଙ୍କାକୁ ବ୍ୟବହାର କରି ଆର୍ଥିକ ସଙ୍କଟ ମଧ୍ୟରେ ସଂଘର୍ଷ କରୁଥିବା ଜେଟ୍କୁ ଦେବାଳିଆ ହେବାରୁ ବଞ୍ଚାଇବା ପାଇଁ ସରକାର ବ୍ୟାଙ୍କଗୁଡିକୁ ଅନୁରୋଧ କରିଛନ୍ତି । ଭାରତ ଇତିହାସରେ ଏହା ପ୍ରଥମ ଏପରି ଘଟଣା ହେବ । ତେବେ ଜେଟ୍ ମୁକୁଳିବା ପରେ ବ୍ୟାଙ୍କଗୁଡିକ ଏହି ଅଂଶଧନକୁ ବିକ୍ରି କରିପାରିବେ । ଏହି ଯୋଜନାରେ ସାମିଲ ହେବା ପାଇଁ ସରକାର ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠି(ଏନ୍ଆଇଆଇଏଫ୍)କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଏନ୍ଆଇଆଇଏଫ୍ରେ ସରକାରଙ୍କ ୪୯% ଅଂଶଧନ ରହିଛି । ଯୋଜନା ଯଦି ସଫଳ ହୁଏ ତା’ହେଲେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ), ପିଏନ୍ବି ଏବଂ ଏନ୍ଆଇଆଇଏଫ୍ ଜେଟ୍ର ଏକ ତୃତୀୟାଂଶ ଅଂଶଧନ ହାସଲ କରିବେ । ନୂଆ ମାଲିକ ଆସିବା ଯାଏ ସେମାନେ ଉକ୍ତ ଅଂଶଧନ ଧରିବେ ।
ସଚୂନାଯୋଗ୍ୟ, ୧୦୦ କୋଟି ଡଲାର ଋଣ ବୋଝରେ ବୁଡିଥିବା ଜେଟ୍ ଏବେ ନିଜକୁ ପରିଚାଳନା କରିବା ପାଇଁ ଅସମର୍ଥ ହେଉଛି । ବିମାନ ଲିଜ୍ ବାବଦ ଅର୍ଥ ଭରଣା କରିପାରୁ ନ ଥିବାରୁ ଏହା ଅନେକ ବିମାନର ଚଳାଚଳକୁ ବନ୍ଦ କରିଦେଇଛି । ବ୍ୟାଙ୍କ, ଯୋଗାଣକାରୀ, କମର୍ଚାରୀ ଏବଂ ବିମାନ ଲିଜ୍ ପ୍ରଦାନକାରୀମାନଙ୍କୁ ଏହା ପାଉଣା ଦେଇପାରୁନାହିଁ । କେତେକ ଲିଜ୍ ପ୍ରଦାନକାରୀ କମ୍ପାନି ସହ ଚୁକ୍ତି ମଧ୍ୟ ବାତିଲ କରିଦେଇଛନ୍ତି । ଆସନ୍ତା ମାସ ବିଶ୍ୱର ସର୍ବବୃହତ୍ ଲୋକତନ୍ତ୍ର ‘ଭାରତ’ରେ ନିର୍ବାଚନ ହେବାକୁ ଯାଉଛି । ତେବେ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ବେସାମରିକ ବିମାନ ଚଳାଚଳ ଶିଳ୍ପ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି । ଏହା ହେଉଛି ଉକ୍ତ କ୍ଷେତ୍ର ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଏଭଳି ଏକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ରକୁ ବଞ୍ଚାଇ ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ କରିବାକୁ ଚାହାନ୍ତି ।