ନୂଆଦିଲ୍ଲୀ ୧୮/୦୪: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମହାକାଶରେ ଏକ ବଡ଼ ଆକ୍ରମଣର ଯୋଜନା କରୁଛନ୍ତି। ଏହି ଆକ୍ରମଣ ପର୍ଲ ହାର୍ବର ଭଳି ହେବ, ଯାହା ୧୯୪୧ରେ ୨ୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ହଠାତ୍ ଆମେରିକା ଉପରେ କରିଥିଲା। ଆମେରିକୀୟ ସେନାର ଜଣେ ଶୀର୍ଷ ଅଧିକାରୀ ଏହି ଚେତାବନୀ ଦେଇଛନ୍ତି।

ଆମେରିକୀୟ ସ୍ପେସ୍ କମାଣ୍ଡର ପ୍ରମୁଖ ଜେନେରାଲ୍ ଷ୍ଟିଫେନ୍ ହ୍ୱାଇଟିଙ୍ଗ କହିଛନ୍ତି, ରୁଷ୍ ମହାକାଶରେ ପରମାଣୁ ଅସ୍ତ୍ର ରଖିବାକୁ ଯୋଜନା କରୁଛି। ଯଦି ଏହି ଅସ୍ତ୍ର କାର୍ଯ୍ୟରେ ଲାଗୁ ହୁଏ, ତେବେ ପୃଥିବୀର ନିମ୍ନ କକ୍ଷରେ ଘୂରି ବୁଲୁଥିବା ସମସ୍ତ ସାଟେଲାଇଟ୍ ନଷ୍ଟ ହୋଇଯିବ। ଜେନେରାଲ ଷ୍ଟିଫେନ୍ ହ୍ୱାଇଟିଙ୍ଗ ବ୍ରିଟିଶ୍ ସମ୍ବାଦପତ୍ର ‘ଦ ଟାଇମ୍ସ’କୁ କହିଛନ୍ତି, ଟ୍ରମ୍ପ୍ ପ୍ରଶାସନ ଏହି ଯୋଜନାକୁ ନେଇ ଚିନ୍ତିତ। ରୁଷ୍ ଏକ ପରମାଣୁ ଆଣ୍ଟି-ସାଟେଲାଇଟ୍ ଅସ୍ତ୍ରକୁ କକ୍ଷରେ ସ୍ଥାପିତ କରିବାକୁ ଚିନ୍ତା କରୁଛି। ଏହା ନିମ୍ନ କକ୍ଷରେ ସବୁ ଦେଶର ସାଟେଲାଇଟଗୁଡିକୁ କ୍ଷତି ପହଞ୍ଚାଇପାରେ।

ସେ ଜୋର୍ ଦେଇ କହିଛନ୍ତି, ଆମେରିକା ଏହାକୁ ବରଦାସ୍ତ କରିପାରିବ ନାହିଁ। ରୁଷ୍ ମହାକାଶରେ ଖୁବ୍ ଶକ୍ତିଶାଳୀ ଦେଶ। ଶତ୍ରୁର ସାଟେଲାଇଟକୁ ନଷ୍ଟ କରିବା ପାଇଁ ଏହା ନିରନ୍ତର ଅସ୍ତ୍ର ପ୍ରସ୍ତୁତ କରୁଛି। ଆମେରିକା ଓ ନାଟୋର ପାରମ୍ପରିକ ସେନାଠୁ ଏହା ଦୁର୍ବଳ ଅନୁଭବ କରୁଛି। ସେଥିପାଇଁ ମହାକାଶ ଜରିଆରେ ନୂଆ ନୂଆ ପଇଁତରା ବାହାର କରୁଛି, ଯାହା ମାଧ୍ୟମରେ ଆମେରିକା ଓ ନାଟୋର ଶକ୍ତିକୁ ଦୁର୍ବଳ କରିପାରିବ ବୋଲି ହ୍ୱାଇଟିଙ୍ଗ କହିଛନ୍ତି।

ମହାକାଶରେ ସନ୍ଧି ଉଲ୍ଲଂଘନ ବଡ଼ ବିଷୟ :

ରୁଷ୍ ଯଦି ପ୍ରକୃତରେ ମହାକାଶରେ ପରମାଣୁ ଅସ୍ତ୍ର ରଖେ, ତେବେ ଏହା ୧୯୬୭ର ଆଉଟର ସ୍ପେସ୍ ଟ୍ରିଟି (ବାହ୍ୟ ମହାକାଶ ସନ୍ଧି)ର ସିଧା ଉଲ୍ଲଂଘନ ହେବ । ଏହି ସନ୍ଧିରେ ରୁଷ୍ ବି ସ୍ୱାକ୍ଷର କରିଛି । ଏଥିରେ ସ୍ପଷ୍ଟ ଉଲ୍ଲେଖ ହୋଇଛି, କୌଣସି ଦେଶ ମହାକାଶରେ ପରମାଣୁ ଅସ୍ତ୍ର କିମ୍ବା ବ୍ୟାପକ ବିନାଶକାରୀ ଅସ୍ତ୍ର ରଖିପାରିବେ ନାହିଁ । ମହାକାଶକୁ ଶାନ୍ତିପୂର୍ଣ୍ଣ ସ୍ଥାନ ଭାବେ ରଖିବା ପାଇଁ ଏ ସନ୍ଧି ହୋଇଥିଲା । ଏହା ଦ୍ୱାରା କୌଣସି ରାଷ୍ଟ୍ର ମହାକାଶରୁ ପୃଥିବୀ ଉପରେ ଆକ୍ରମଣ କରିପାରିବେ ନାହିଁ । ତେବେ ଆମେରିକା ରୁଷ୍‌ର ଏହି ଯୋଜନା ସମ୍ପର୍କରେ କେମିତି ଜାଣିଲା, ଜେନେରାଲ ହ୍ୱାଇଟିଙ୍ଗ ସେ କଥା ଜଣାଇ ନାହାନ୍ତି । କିନ୍ତୁ ସେ ସ୍ପଷ୍ପ କରିଛନ୍ତି ଯେ ଟ୍ରମ୍ପ୍ ସରକାର ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ।

ରୁଷ୍ ପୂର୍ବରୁ ମହାକାଶରେ ନିଜର ଆକ୍ରାମକତା ବଢ଼ାଉଛି । ହ୍ୱାଇଟିଙ୍ଗ କହିଛନ୍ତି, ରୁଷ୍ ସାଟେଲାଇଟ୍‌ଗୁଡ଼ିକର ସଂଚାର ବ୍ୟବସ୍ଥା ଓ ଜିପିଏସ୍ ସିଗ୍ନାଲକୁ ଜାମ୍ କରିବାକୁ ଚେଷ୍ଟା କରୁଛି । ଏହା ଏତେ ବିପଦପୂର୍ଣ୍ଣ ଯେ ନାଗରିକ ଉଡ୍ଡୟନ ମଧ୍ୟ ବିପଦରେ ପଡ଼ିବ । ଏହା ରୁଷ୍‌ର ନୂଆ ରଣନୀତିର ଅଂଶ, ଯେଉଁଥିରେ ସେ ପାରମ୍ପରିକ ଯୁଦ୍ଧ ସମେତ ମହାକାଶକୁ ମଧ୍ୟ ଯୁଦ୍ଧକ୍ଷେତ୍ରରେ ରୂପାନ୍ତରିତ କରୁଛି । ଏହା ଦ୍ୱାରା ସାଟେଲାଇଟ୍ ଉପରେ ନିର୍ଭରଶୀଳ ସମଗ୍ର ବିଶ୍ୱର ସେବା ଠପ୍ ହୋଇଯିବ । ବ୍ୟାଙ୍କିଙ୍ଗ, ଇଣ୍ଟର୍‌ନେଟ, ଟିଭି, ମୋବାଇଲ ନେଟ୍‌ୱର୍କ ଆଦି ପ୍ରଭାବିତ ହେବ ।

​​​​​​​

ନିଜ ସୁରକ୍ଷା ନିଜେ ଦେଖୁଛନ୍ତି ୟୁରୋପ-ନାଟୋ :

ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର ଲେୟେନ ସୋସିଆଲ ମିଡିଆରେ ଲେଖିଛନ୍ତି, ଆମକୁ ଅଧିକ ନିବେଶ କରିବାକୁ ହେବ । ଅଧିକ ଉତ୍ପାଦନ କରିବାକୁ ହେବ । ଉଭୟ କାମ ଦ୍ରୁତ ବେଗରେ କରିବାକୁ ପଡ଼ିବ । ନାଟୋର ମହାସଚିବ ମାର୍କ ରୁଟ୍ଟେ ମଧ୍ୟ କହିଛନ୍ତି, ସୁଦୃଢ଼ ୟୁରୋପର ଅର୍ଥ ସୁଦୃଢ଼ ନାଟୋ । ସେ ୟୁକ୍ରେନକୁ ସାହାଯ୍ୟ ଜାରି ରଖିବା ଏବଂ ଗୁରୁତ୍ୱପୂର୍ଣ୍ଣ ଢାଞ୍ଚାର ସୁରକ୍ଷା ବିଷୟରେ ମଧ୍ୟ କହିଛନ୍ତି ।

ଆହୁରି ପଢ଼ନ୍ତୁ...Hormuz; 'ଆମେରିକା ଅବରୋଧ ନହଟାଇଲେ ଆକ୍ସନ ନେବୁ'... ହୋର୍ମୁଜକୁ ନେଇ ପୁଣି ଧମକ ଦେଲା ଇରାନ

ଅନ୍ୟପକ୍ଷେ, ଟ୍ରମ୍ପ୍ ନାଟୋକୁ ସମର୍ଥନ ହ୍ରାସର ଧମକ ଦେଇଛନ୍ତି । କହିଛନ୍ତି, ୟୁରୋପକୁ ନିଜ ସୁରକ୍ଷା ନିଜେ କରିବା ଉଚିତ୍, ଯାହା ଦ୍ୱାରା ଆମେରିକା ଚୀନ୍ ଭଳି ବିପଦ ଉପରେ ଧ୍ୟାନ ଦେଇପାରିବ । ଗତ ବର୍ଷ ନାଟୋର ସଦସ୍ୟ ରାଷ୍ଟ୍ରମାନେ ରକ୍ଷା ଖର୍ଚ୍ଚକୁ ନିଜ ଦେଶର ଜିଡିପିର ୩.୫ ପ୍ରତିଶତ କରିବାକୁ ଦାବି କରିଥିଲେ । କିନ୍ତୁ ୟୁରୋପର ଅସ୍ତ୍ର ନିର୍ମାଣକାରୀ କମ୍ପାନି ଏବେ ବି ଆବଶ୍ୟକ ହିସାବରେ ଦ୍ରୁତ ଉତ୍ପାଦନ କରି ପାରୁନାହାନ୍ତି । ୟୁରୋପୀୟ ରାଷ୍ଟ୍ର ଏବେ ବୁଝିପାରୁଛନ୍ତି ଯେ ଦୀର୍ଘ ଦଶନ୍ଧି ଧରି ଆମେରିକା ଉପରେ ଭରସା କରିବାର ସମୟ ଶେଷ ହୋଇଛି । ଏବେ ସେମାନଙ୍କୁ ନିଜର ସୁରକ୍ଷା ଦାୟିତ୍ୱ ନେବାକୁ ପଡ଼ିବ । ନାଟୋ ଅଧିକାରୀ କହିଛନ୍ତି, ପରବର୍ତ୍ତୀ ସମ୍ମିଳନୀ ଅଂକାରାରେ ଆୟୋଜିତ ହେବ । ଅସ୍ତ୍ର ଉତ୍ପାଦନ ବିଷୟ ଏଥିରେ ମୁଖ୍ୟ ଚର୍ଚ୍ଚାର ବିଷୟ ହେବ । ରୁଟ୍ଟେ ନିକଟରେ ଟ୍ରମ୍ପ୍‌ଙ୍କ ସହ ୱାଶିଂଟନ୍‌ରେ ସାକ୍ଷାତ କରିଥିଲେ । ୟୁରୋପ ଓ ନାଟୋ ଉଭୟ ଅଧିକ ମଜଭୁତ ହୁଅନ୍ତୁ ବୋଲି ସେ ଚାହାନ୍ତି । ୟୁରୋପୀୟ ସଂଘ ମଧ୍ୟ ଏବେ ରକ୍ଷା କ୍ଷେତ୍ରରେ ଅଧିକ ସକ୍ରିୟ ହୋଇଛି । ତେବେ ନାଟୋ ଅନୁସାରେ, ୟୁରୋପୀୟ ସଂଘ କେବଳ ପାଣ୍ଠି ଓ ସହଯୋଗ ଉପରେ ଫୋକସ୍ କରିବା ଉଚିତ୍, ସୈନ୍ୟ ଯୋଜନା ନାଟୋର କାମ । ମୋଟାମୋଟି ରୁଷ୍‌ର ମହାକାଶ ଯୋଜନା ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି ।