ସୋର, ୧୦।୧୨ : ବାଙ୍ଗାଲୁରରୁ ଚୋରି ଖଇରାରୁ ଜବତ।   ୮୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ହୀରା ଓ ସୁନା ଅଳଙ୍କାର ଜବତ । ବାଙ୍ଗାଲୁରରୁ ୮୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ହୀରା ଅଳଙ୍କାର ଚୋରି କରି ଖଇରା ବଜାରରେ ବିକ୍ରି କରିବା ସମୟରେ ଖଇରା ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଜଣକ ସାରକୋଣା ଗ୍ରାମର ବନମାଳି ସ୍ଵାଇଁ । ତା’ ନିକଟରୁ ହୀରା ମୁଦି, ସୁନା ଏବଂ ହୀରା ଖଞ୍ଜିତ ବ୍ରେସଲେଟ ସମେତ ଦୁଇଟି ସୁନା ଚେନ, ଗୋଟେ ସୁନା ମୁଦି, ଗୋଟେ ସୁନା ଲକେଟ, ୫ଟି ସୁନା କାନଫୁଲ ଓ ଗୋଟେ ସୁନା କାନ ନୂଥ ପୋଲିସ ଜବତ କରିଛି।

ଗତ କିଛି ଦିନ ତଳେ ଖଇରା ବଜାରରେ ଥିବା ରୁଦ୍ରକାନ୍ତ ଜୁଏଲାରିକୁ ବନମାଳି ଚୋରି ଅଳଙ୍କାର ବିକ୍ରି କରିବାକୁ ଯାଇଥିଲା। ତେବେ ତା’ ନିକଟରେ ଏପରି ଦାମି ଅଳଙ୍କାର ଦେଖି ଦୋକାନି ମାଲିକ ମମତା ସାହୁଙ୍କ ସନ୍ଦେହ ଜାତ ହୋଇଥିଲା । ଏନେଇ ସେ ବନମାଳିଙ୍କୁ ତାର ପରିଚୟ ସହ କେଉଁଠାରୁ ସେ ଏ ଜିନିଷ ସବୁ ଆଣିଛ ପଚାରିବାରୁ ବନମାଳି ସେଠାରୁ ଦୌଡି ପଳାଇଥିଲା । ଏନେଇ ଦୋକାନୀ ଜଣକ ଖଇରା ପୋଲିସକୁ ବନମାଳି ଦାବଦରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧୀକାରିଣି ମୌସୁମି ମହାନ୍ତି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଆଧର କରି ଗତ କାଲି ବିଳମ୍ବିତ ରାତିରେ ବନମାଳିକୁ ତା ଘରୁ ଗିରଫ କରିଥିଲେ । ଗିରଫ ପରେ ପଚରା ଉଚରା କରିବାରୁ ସେ ସମସ୍ତ ସତ୍ୟ ବଖାଣି ଥିଲା । ବାଙ୍ଗାଲୁରରେ ସେ ପଦ୍ମା ରେଡି ନାମକ ଜଣେ ମହିଳାଙ୍କ ଘରେ କାମ କରୁଥିବା ବେଳେ ତାଙ୍କ ଘରୁ ସମସ୍ତ ଅଳଙ୍କାର ଚୋରି କରିଥିବାର ପୋଲିସ ନିକଟରେ ପ୍ରକାଶ କରିଥିଲା ।