ବଲାଙ୍ଗୀର, ୨୯ା୧(ବ୍ୟୁରୋ): ଗଣମାଧ୍ୟମ କର୍ମଚାରୀ ପ୍ରତାପ ମହାପାତ୍ରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ରାତିରେ ନିଛାଟିଆ ରାସ୍ତାଦେଖି ନିଶାସକ୍ତ ଯୁବକମାନେ ତାଙ୍କ ବ୍ୟାଗ୍ ଓ ମୋବାଇଲ ଲୁଟ ଉଦ୍ୟମ କରିଥିଲେ । ପ୍ରତାପ ବ୍ୟାଗ୍ ନଦେବାରୁ ଅପରେସନ ବ୍ଲେଡ଼ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ।
ମିଳିଥିବା ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରୁ ଅଭିଯୁକ୍ତ ସ୍ୱାଧିନ ମେହେର, ତପନ ନାଏକ ଏବଂ ତୁଫାନ ନାଗ ସେଠାରେ ଉପଦ୍ରବ ଆରମ୍ଭ କରିଥିଲେ । ସନ୍ଧ୍ୟାରେ ସ୍ୱାଧୀନ ତେଲିଗୋଠପଡ଼ାସ୍ଥିତ ଏକ କିରାନା ଦୋକାନକୁ ଯାଇ ମାଗଣା ପୁଡ଼ିଆ ଓ ସିଗାରେଟ ମାଗିଥିଲା । ଦୋକାନୀ ମନା କରିବାରୁ ତାଙ୍କ ଦୋକାନ ବନ୍ଦ କରିବାର ଧମକ ଦେଇଥିଲା । ପରେ ସେଠାରୁ ଯାଇ ପଣ୍ୟାଗାର ନିକଟରେ ଉପଦ୍ରବ ଆରମ୍ଭ କରିଥିଲା । ତା ସହିତ ତପନ ଓ ତୁଫାନ ମଧ୍ୟ ମିଶିଥିଲେ । ପ୍ରତାପଙ୍କୁ ଆକ୍ରମଣ କରିବା ପୂର୍ବରୁ ଆଉଜଣେ ଯାତ୍ରୀଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ । ତାମିଲନାଡ଼ୁରୁ ଗତକାଲି ଫେରୁଥିବା ସଦର ଥାନା ଅନ୍ତର୍ଗତ ଗରରାମୁଣ୍ଡା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କୁ ମଧ୍ୟ ରେଲୱେ ଷ୍ଟେସନ ପରିସରରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । କେତେକ ଯୁବକ ସମ୍ପୃକ୍ତ ଶ୍ରମିକଙ୍କୁ ଉଦ୍ଧାର କରି ପ୍ରଥମେ ଜିଆରପି ଥାନା ଏବଂ ପରେ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ନେଇଥିଲେ । ଖବରପାଇ ପିସିଆର ଷ୍ଟେସନ ପରସିରକୁ ପହଞ୍ଚିଥିଲା । ମାତ୍ର ସେତେବେଳେକୁ ସେମାନେ ଫେରାର ହୋଇଯାଇଥିଳେ । ଅଭିଯୁକ୍ତମାନେ ଷ୍ଟେସନ ପରିସରରୁ ଚାଲିଆସି ବିଳମ୍ବିତ ରାତିରେ ପଣ୍ୟାଗାର ନିକଟରେ ଛକି ରହିଥିଲେ । ସେହିଠାରେ ହିଁ ପ୍ରତାପ ତାଙ୍କ ହାବୁଡ଼ରେ ପଡ଼ିଥିଲେ ।
ଆଜି ଭୋର୍ରୁ ପ୍ରତାପଙ୍କ ମୃତ୍ୟୁ ଖବର ପାଇବାପରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଟାଉନ ଥାନା ପରିସରରେ ଜମା ହୋଇଥିଲେ । ସହରରେ ଚାଲିଥିବା ଅବାଧ ନିଶା କାରବାର ଏବଂ ତଦ୍ଜନିତ ଅସାମାଜିକ କାର୍ଯ୍ୟକଳାପ ଯୋଗୁଁ ସହରବାସୀଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଥିଲେ । ନିଶା କାରବାରର ମୂଳୋôପାଟନ ଦାବି କରି ସାମ୍ବାଦିକ ସଂଘ ସଭାପତି ହରିନାରାୟଣ ପୂଜାରୀ ଏବଂ ସମାଜସେବୀ ଲଳିତ ନାୟକଙ୍କ ନେତୃତ୍ୱରେ ଦୀର୍ଘସମୟ ପର୍ଯ୍ୟନ୍ତ ସମସ୍ତେ ଥାନା ସମ୍ମୁଖରେ ଉପସ୍ଥିତ ରହିଥିଲେ । ଶେଷରେ ଏସପି ଟାଉନ ଥାନାକୁ ଆସି ଅଭିଯୁକ୍ତମାନଙ୍କୁ ପଚରାଉଚୁରା କରିବା ପରେ ଅଟକ ଥିବା ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କ ସଂପୃକ୍ତି ଥିବା ପ୍ରକାଶ କରିଥିଲେ । କିନ୍ତୁ ନିଶା କାରବାର ବିଷୟରେ ପୁଲିସର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ସାମ୍ବାଦିକମାନେ ଦାବି କରିବାରୁ ଏନେଇ ନିଜେ ତାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇ ଚଢ଼ଉ କରାଯିବ ବୋଲି କହିଥିଲେ ।
ଲୋମଟାଙ୍କୁରା ଦୃଶ୍ୟ ବର୍ଣ୍ଣନା କଲେ ପ୍ରତ୍ୟକ୍ଷଦର୍ଶୀ
ଘଟଣାର ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି ଶିରୀ (ଶ୍ରୀକୃଷ୍ଣ ବଗର୍ତ୍ତି) । ଶିରୀ ବୃତ୍ତିରେ ଜଣେ ଗାଡ଼ି ଡ୍ରାଇଭର । ଗତକାଲି ରାତିରେ ନିଜ ଗାଡ଼ି ମାଲିକଙ୍କୁ ସେ ଷ୍ଟେସନରେ ଛାଡ଼ିବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଦୁର୍ବୃତ୍ତମାନେ କାଣ୍ଡ ଭିଆଇ ସାରିଥିଲେ । ଘଟଣା ସ୍ଥଳରେ ଶିରୀ ଯେଉଁ ଲୋମଟାଙ୍କୁରା ଦୃଶ୍ୟ ଦେଖିଲେ ତାହାକୁ ଏମିତି ବର୍ଣ୍ଣନା କରିଛନ୍ତି ।
‘ମୁଁ ମୋ ଗାଡ଼ି ମାଲିକଙ୍କୁ ଷ୍ଟେସନରେ ଛାଡ଼ିଦେଇ ଫେରୁଥିଲି । ମହାଲକ୍ଷ୍ମୀ ନଗରଠାରେ ତାଙ୍କ ଘରେ କାର ରଖିଦେଇ ମୋ ଘରକୁ ମୁଁ ଚାଲିଚାଲି ଯିବାର ଥିଲା । ଷ୍ଟେସନ ରୋଡ଼ର ୱେର ହାଉସ ନିକଟରେ ମେନ୍ ରୋଡ଼ରୁ ମହାଲକ୍ଷ୍ମୀ ନଗର ଭିତରକୁ ବାମମୋଡ଼ ନେଇ ପଶିଥିଲି । ଗାଡ଼ିର ହେଡ଼ ଲାଇଟ ପଡ଼ିବାରୁ ଦେଖିଲି, ୩ଜଣ ଯୁବକ ଜଣେ ଯୁବକଙ୍କୁ ଚାପି ଧରିଥିଲେ । ସାମ୍ନାରେ ଗାଡ଼ିଦେଖି ୨ଜଣ ଯୁବକ ଆଗକୁ ଦୌଡ଼ି ପଳାଇଲେ । ପରେ ଜଣେ ମୋ ଗାଡ଼ିରେ ହାବୁଡ଼େଇ ହୋଇ ନିକଟସ୍ଥ ଏକ ଛପରେଲୀ ଘର ଭିତରକୁ ପଶିଗଲା । ମୁଁ କିଛି ବୁଝିନପାରି ପ୍ରଥମେ ଗାଡ଼ି ପଛକୁ ନେଇଥିଲି । ଗାଡ଼ିରୁ ଓହ୍ଲାଇ ଦେଖିବା ବେଳକୁ ଜଣେ ଯୁବକ ମୁହଁମାଡ଼ି ରାସ୍ତା ଉପରେ ପଡ଼ିଥିଲେ । ମୋତେ ସନ୍ଦେହ ହେଲା । ପୁଲିସ ପିସିଆରକୁ ଫୋନ କଲି । ପ୍ରାୟ ୧୨.୩୦ ସମୟରେ ପିସିଆର ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ମୋତେ ପଚାରାପଚରି କରିବାରୁ ମୁଁ ଯାହା ଦେଖିଥିଲି ପୁଲିସକୁ କହିଲି । ଫଳରେ ପୁଲିସ ନିକଟସ୍ଥ ଘରକୁ ଯାଇ ଖୋଜାଖୋଜି କରିଥିଲା । କାହାକୁ ପାଇଲାନି । ପରେ ପୁଣି ସମ୍ପୃକ୍ତ ଘରମାଲିକଙ୍କ ସହାୟତାରେ ଖୋଜାଖୋଜି କରିବା ପରେ ଜଣେ ସନ୍ଦିଗ୍ଧ ଯୁବକ ତାଙ୍କ ଘର ଅଗଣାରେ ଏକ ଟିଣ ଚାଦରତଳେ ଲୁଚି ରହିଥିବା ପୁଲିସ ଦେଖିବାକୁ ପାଇଥିଲା । ତାକୁ ଗିରଫକରି ପୁଲିସ ନେଇଥିଲା । ତେବେ ମୁଁ ଆଉ ଟିକିଏ ଆଗରୁ ଆସିଥିଲେ ହୁଏତ ଯୁବକଟିର ଜୀବନ ବଞ୍ଚିଯାଇଥାଆନ୍ତା’ ବୋଲି ଶିରୀ କହିଛନ୍ତି ।