ମାଲକାନଗିରି, ୧୩।୭ (ଆପ୍ର ): ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରର ୱେବ୍ ଚେନାଲ ସାମ୍ବାଦିକ ଚିନ୍ତାକାଏଲୁ ନରେଶ କୁମାରଙ୍କୁ ଦୁର୍ବୃତ୍ତ ଶନିବାର ହତ୍ୟା କରିଛନ୍ତି । ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ, ଜିଲ୍ଲା ସାମ୍ବାଦିକ ସମନ୍ଵୟ କମିଟିର ସଦସ୍ୟ ଓ ମାଲକାନଗିରି ଜିଲ୍ଲାର ଅନ୍ୟ ସାମ୍ବାଦିକ ସଂଗଠନ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ମାଲକାନଗିରି ଏସପି ଵିନୋଦ ପାଟିଲଙ୍କ ଜରିଆରେ ତିନି ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ବ୍ୟବସ୍ଥା କରିବା, ମୃତକଙ୍କ ପରିବାରଙ୍କୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷା ଯୋଗାଇ ଦେଵା ସହ ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବାକୁ ଦାବି କରାଯାଇଛି। ଏସପି ବିନୋଦ ପାଟିଲ ଦାବିପତ୍ର ଗ୍ରହଣ କରିବା ସହ ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।
ମୋଟୁ ଥାନାସ୍ଥ ମୁରଲୀଗୁଡା ଗ୍ରାମ ନିକଟରେ ସି.ଏଚ ନରେଶ ଓ ଅନ୍ୟ କିଛି ସାମ୍ବାଦିକ ଏକ କାରରେ ଯାଉଥିବା ବେଳେ ଦୁଇଟି ମୋଟର ସାଇକେଲରେ ୫ ଜଣ ଦୁର୍ବୁତ୍ତ ଆସି କାର ଅଟକାଇ ହଠାତ ଆକ୍ରମଣ କରିଥିଲେ। ଖଣ୍ଡା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ବେଳେ ସି.ଏଚ ନରେଶଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ନରେଶଙ୍କୁ ପ୍ରଥମେ ମୋଟୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଆଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲା ହସ୍ପିଟାଲରେ ଶନିବାର ରାତ୍ରରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଥାଉକି ମୃତ ସାମ୍ବାଦିକଙ୍କ ବାପାଙ୍କର ଗତ କିଛି ଦିନ ପୂର୍ବରୁ ମୃତ୍ୟୁ ଘଟିଛି, ଘରେ ସେ ଏକ ମାତ୍ର ରୋଜଗାରକ୍ଷମ ପୁଅ ଥିଲେ। ସେ ଗତ ବର୍ଷକ ତଳେ ବିବାହ କରିଥିଲେ। ଏବେ ଘରକୁ ବୃଦ୍ଧା ମା, ବିଧବା ପତ୍ନୀ, ଭଉଣୀ ଅସହାୟ ହୋଇପଡ଼ିଛନ୍ତି। ସେମାନଙ୍କ ଆଖିରୁ ଲୁହ ଶୁଖୁନାହିଁ।ଏହି ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ସମଗ୍ର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇଦେଇଛି।
ଦାବିପତ୍ର ପ୍ରଦାନ ସମୟରେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର, ସମ୍ପାଦକ ବି ଶ୍ରୀନିବାସ ପାତ୍ର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, କୋଷାଧକ୍ଷ ହୃଷୀକେଶ ସେଠୀ, ରାଜ୍ୟ ସଦସ୍ୟ ନୃସିଙ୍ଗ ଚରଣ ମହାନ୍ତି, ସଦସ୍ୟ ଦିଲୀପ ପଟ୍ଟନାୟକ, ମନୋଜ ସାହା, ରାହୁଲ ନାୟକ, ଗୌରି ଶଙ୍କର ପଣ୍ଡା, ବିକ୍ରମ ସ୍ଵାଇଁ, ଏମ ଚନ୍ଦ୍ର ରାଓ, ବାଦଳ ବିଶ୍ଵାଳ, ଦୀପକ ମହାରଣା, ଅବିନାଶ ବେହେରା,ଜିଲ୍ଲା ସାମ୍ବାଦିକ ସମନ୍ଵୟ କମିଟିର ଆବାହକ ରତ୍ନାକର ଦାଶ,ସଦସ୍ୟ ଦେବବ୍ରତ ସାନା, ପ୍ରକାଶ ପଟ୍ଟନାୟକ, ବଂଶିଧର ମୁଦୁଲି, ସାମ୍ବାଦିକ ଜୟନ୍ତ ତିଆଡି ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ।