ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ପରାଜୟ ପରେ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଷ୍ଟିସ୍ ବି ସୁଦର୍ଶନ ରେଡ୍ଡୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘ଆଜି ସାଂସଦମାନେ ଉପରାଷ୍ଟ୍ରପତି ନିର୍ବାଚନରେ ସେମାନଙ୍କର ରାୟ ଦେଇଛନ୍ତି। ମୁଁ ଏହି ଫଳାଫଳକୁ ପୂର୍ଣ୍ଣ ବିଶ୍ୱାସ ସହିତ ଗ୍ରହଣ କରୁଛି।’ ସୁଦର୍ଶନ ରେଡ୍ଡୀ ଆହୁରି କହିଛନ୍ତି ଯେ, ନିର୍ବାଚନ ଫଳାଫଳ ତାଙ୍କ ସପକ୍ଷରେ ଆସି ନଥିଲେ ମଧ୍ୟ ଯେଉଁ ବୃହତ୍ତ ଉଦ୍ଦେଶ୍ୟ ପାଇଁ ସେମାନେ ସମସ୍ତେ ଏକାଠି ଲଢ଼ୁଥିଲେ ତାହା ଏବେ ବି ଜାରି ରହିଛି । ଏହି ଯୁଦ୍ଧ ଆହୁରି ଶକ୍ତି ସହିତ ଜାରି ରହିବ। ସେ ନବନିର୍ବାଚିତ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଦେଶ ସେବା କରିବାରେ ସଫଳ ହୁଅନ୍ତୁ ବୋଲି ଜଷ୍ଟିସ ରେଡ୍ଡୀ କହିଛନ୍ତି ।
ସିପି ରାଧାକୃଷ୍ଣନ ଭାରତର ନୂତନ ଉପରାଷ୍ଟ୍ରପତି ହୋଇଛନ୍ତି । ସେ ଏନଡିଏ ପ୍ରାର୍ଥୀ ଥିଲେ ଏବଂ ମହାରାଷ୍ଟ୍ରର ରାଜ୍ୟପାଳ ମଧ୍ୟ ରହିସାରିଛନ୍ତି। ଏହି ନିର୍ବାଚନରେ ଭୋଟିଂ ପ୍ରତିଶତ ବହୁତ ଅଧିକ ଥିଲା । ୯୮.୨ ପ୍ରତିଶତ ଭୋଟିଂ ହୋଇଥିଲା । ମୋଟ ୭୬୭ ଭୋଟ ପଡ଼ିଥିଲା, ଯେଉଁଥିରୁ ୭୫୨ ଭୋଟକୁ ବୈଧ ବିବେଚନା କରାଯାଇଥିଲା । ସିପି ରାଧାକୃଷ୍ଣନଙ୍କୁ ୪୫୨ ଭୋଟ ମିଳିଥିଲା । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଥିଲା। ସିପି ରାଧାକୃଷ୍ଣନ ଏହି ନିର୍ବାଚନରେ ୧୫୨ ଭୋଟର ବିପୁଳ ବ୍ୟବଧାନରେ ଜିତିଛନ୍ତି ।
ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କଟାକ୍ଷ କରି କହିଛନ୍ତି, ‘ସମସ୍ତ ୩୧୫ ବିରୋଧୀ ସାଂସଦ ଭୋଟ ଦେଇଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ସେମାନେ କାହାକୁ ଭୋଟ ଦେଇଛନ୍ତି ।’ ଏହାର ଉତ୍ତରରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ‘ବିଜେପି କେବଳ ଗଣିତରେ ଜିତିଛି, ଏହା ଏକ ନୈତିକ ପରାଜୟ।’ ପୂର୍ବରୁ କଂଗ୍ରେସ ନେତା ଜୟରାମ ରମେଶ ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ, ଭୋଟଦାନ ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ ବିରୋଧୀ ଦଳ ପକ୍ଷରୁ ୧୦୦ ପ୍ରତିଶତ ଉପସ୍ଥିତି ରେକର୍ଡ କରାଯାଇଛି। ରମେଶ କହିଥିଲେ ଯେ, ସମସ୍ତ ୩୧୫ ବିରୋଧୀ ସାଂସଦ ଭୋଟ ଦେବା ପାଇଁ ପହଞ୍ଚିଛନ୍ତି । ଏପର୍ଯ୍ୟନ୍ତ ଏକ ଅଭୂତପୂର୍ବ ରେକର୍ଡ।