ଡୋପ୍ ଟେଷ୍ଟ୍ରେ ଫେଲ୍; କେ.ରବିକୁମାର ନିଲମ୍ବିତ

ଭୁବନେଶ୍ୱର, ୧୭ ।୬(ବ୍ୟୁରୋ): ଓଡ଼ିଶାର ତାରକା ଭାରୋତ୍ତୋଳକ, ୨୦୧୦ ଦିଲ୍ଲୀରେ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜେତା ତଥା ଅଲିମ୍ପିଆନ୍ କେ.ରବିକୁମାର ଡୋପ୍ ଟେଷ୍ଟରେ ଫେଲ୍ ହୋଇଛନ୍ତି । ନାଡା (ନ୍ୟାସନାଲ୍ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି) ଦ୍ୱାରା ହୋଇଥିବା ପରୀକ୍ଷାରେ ତାଙ୍କର ଏ-ସାମ୍ପୁଲ୍ ପୋଜିଟିଭ୍ ଆସିଥିଲା । ଏହା ପରେ ନାଡା ସୁପାରିସ୍କ୍ରମେ ବାରଣ କରାଯାଇଥିବା ଏକ ଶକ୍ତିବର୍ଦ୍ଧକ ସାମଗ୍ରୀ ସେବନ କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ନାଡା ୱେବ୍ସାଇଟ୍ରେ ସୋମବାର ଏହି ସୂଚନା ଦିଆଯାଇଛି ।
ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କେ.ରବି ୬୯ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ । ତେବେ ଗତମାସରେ ହୋଇଥିବା ଡୋପ୍ ଟେଷ୍ଟ୍ରେ କେ.ରବିଙ୍କ ସମେତ ଏକାଧିକ ଭାରୋତ୍ତୋଳକ, କିଛି ଆଥ୍ଲେଟ୍, ଜଣେ ମାରାଥନ୍ ଚାମ୍ପିଅନ୍ ଫେଲ୍ ହୋଇଥିଲେ । ବର୍ତ୍ତମାନ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
ଏ ସଂପର୍କରେ କେ.ରବି କହିଛନ୍ତି ଯେ, ନିଷିଦ୍ଧ ହୋଇଥିବା ସେରମ୍କୁ ଜାନୁଆରୀରେ ବ୍ୟାନ୍ କରାଯାଇ ଥିଲା । ଫେବ୍ରୁଆରୀରେ ହୋଇଥିବା ଜାତୀୟ ପ୍ରତିଯୋଗିତା ପରେ ସାମ୍ପୁଲ୍ ସଂଗ୍ରହ କରାଯାଇଛି । ତେବେ ଅନ୍ୟ ଖେଳରୁ ମଧ୍ୟ ପ୍ରତିଯୋଗୀ ଡୋପ୍ ଟେଷ୍ଟ୍ରେ ବିଫଳ ହୋଇଛନ୍ତି । ଏ- ସାମ୍ପୁଲ୍ରୁ ପୋଜିଟିଭ୍ ରିପୋର୍ଟ ଆସିବା ପରେ ଆମକୁ ସସ୍ପେଣ୍ଡ୍ କରାଯାଇଛି । ଆମେ ବି- ସାମ୍ପୁଲ୍ ପାଇଁ ଆବେଦନ କରିବୁନି । କାରଣ ଆମକୁ ସେରମ୍ ବ୍ୟାନ୍ ସମ୍ପର୍କରେ ଠିକ୍ ଭାବେ ଅବଗତ କରାଯାଇ ନଥିଲା, ତେଣୁ ଆମେ ତାହାକୁ ଗ୍ରହଣ କରିଥିଲୁ । ବରଂ ଆମେ କୋର୍ଟର ଆଶ୍ରୟ ନେବୁ । ସଫଳ କ୍ୟାରିୟର୍ ପରେ ଶେଷ ଆଡକୁ ଏହି ବୟସରେ କଣ ଏଭଳି ଆମେ କରିବୁ ବୋଲି ଓଲଟି ପ୍ରଶ୍ନ କରିଛନ୍ତି ସେ । କେ.ରବିଙ୍କ ସମେତ ବୀରେନ୍ଦର ସିଂହ (୯୬ କେଜି), ଦୀପିକା (୪୯ କେଜି), ବିଶାଲ ସୋଲାଙ୍କି (୧୦୯ କେଜି), ସୀମା (୮୧ କେଜି) ଓ ପୁର୍ଣ୍ଣିମା ପାଣ୍ଡେ (୮୭ କେଜି) ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଜଣାଯାଇଛି ।