ସୋରିଷପାଳ ଜଙ୍ଗଲରେ କଲରାପତରିଆ ବାଘ ନେଇ ସ୍ପଷ୍ଟ କଲା ବନବିଭାଗ, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ

ତିଗିରିଆ, ୨୭।୧୧ ଗତ ଶୁକ୍ରବାର ଅପରାହ୍ନରେ ଗୋରୁ ଗୋଠରୁ ଏକ ଗାଈ ସୋରିଷପାଳ ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ଖାଇବା ଘଟଣା ପରେ ସ୍ଥାନୀୟ ଜନସାଧାରଣରେ ଭୟର ବାତାବରଣ ଖେଳିଯାଇଛି l ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ତିଗିରିଆ ରେଞ୍ଜର ସୋରିଷପାଳ ଜଙ୍ଗଲରେ କଲରାପତରିଆ ବାଘ ଥିବା ନେଇ ସ୍ପଷ୍ଟ କରିଛନ୍ତି ଆଠଗଡ଼ ରେଞ୍ଜର ରବିନ୍ଦ୍ର କୁମାର ନାୟକ । ଏନେଇ ସତର୍କ ରହିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି l ବାଘ ଥିବା ସ୍ପଷ୍ଟ ସୂଚନା ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସନ୍ଧ୍ୟା ହେଲେ ଲୋକ ମାନେ ଘରୁ ବାହାରିବା ଏବେ ମୁସ୍କୁଲି ହୋଇ ପଡିଛି । ଘରେ ଘରେ ଏବେ ସନ୍ଧ୍ୟା ହେଲେ ତାଟି କବାଟ ପଡୁଛି ।ସନ୍ଧ୍ୟା ହେଲେ ଜଙ୍ଗଲର ପାଦଦେଶରେ କରିଥିବା ନିଜର ଫସଲକୁ ମଧ୍ଯ ବଣ୍ୟଜନ୍ତୁଙ୍କ ଠାରୁ ରକ୍ଷା କରିବା ପାଇଁ ଜଗିବାକୁ ଯାଉନାହାନ୍ତି ସ୍ଥାନୀୟ ଲୋକେ l
ବନ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ତକ ରହିବା କୁହାଯାଇଥିବା ବେଳେ ଗୋ ସମ୍ପଦ ମାନଙ୍କୁ ଜଙ୍ଗଲ ମଧ୍ୟକୁ ଛାଡ଼ିବା ପାଇଁ ବାରଣ କରାଯାଇଛି । ୨୦୧୯ ମସିହାରେ ଏକ କଲରାପତ୍ରିଆ ବାଘ ମୃତ୍ୟୁ ହୋଇଥିବା ବେଳେ ୨୦୨୧ ମସିହାରେ ଆଉ ଏକ ବାଘର ଶିକାରୀ ଫାଶରେ ମୃତ୍ୟୁ ହୋଇଥିବା ନଜିର ରହିଛି । ଦୁଇ ଦିନ ତଳେ ପୁଣି ଏକ ବାଘ ବାଛୁରୀ ଶୀକାର କରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ସୋରିଷପାଳ ଜଙ୍ଗଲରେ ମହାବଳବାଘର ରହିବା ନେଇ ଉଠିଥିବା ଗୁଜବକୁ ରେଞ୍ଜର ଶ୍ରୀ ନାୟକ ଖଣ୍ଡନ କରିବା ସହ ବାଘର ଶିକାର ହୋଇଥିବା ବାଛୁରିଟିକୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଙ୍ଗଲରେ ପୋତି ଦିଆଯାଇଥିବା ସୂଚନା ଦେଇଛନ୍ତି l ସୋରିଷପାଳ ଜଙ୍ଗଲ ମଧ୍ୟବର୍ତ୍ତୀ ଅଞ୍ଚଳର ନିଜିଗଡ଼ରୁ ଅଚଳକୋଟ ପଞ୍ଚାୟତ ଏବଂ ନୂଆସଡକ ଛକରୁ ଭିରୁଡା ପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତାରେ ସନ୍ଧ୍ୟାପରେ ପଇଁତରା ବ୍ୟବସ୍ଥା କରାଯିବାକୁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହେଉଛି l