ପ୍ରମୁଖ ଖବର
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

କାଳିଆ ଏକ ଐତିହାସିକ ପଦକ୍ଷେପ

ବୌଦ୍ଧ/କଣ୍ଟାମାଳ/ଭଞ୍ଜନଗର, ୧୮ା୨ (ଆପ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବୌଦ୍ଧ ଜିଲ୍ଲା ଏବଂ ଭଞ୍ଜନଗର ଗସ୍ତରେ ଯାଇ ପ୍ରାୟ ୧୦୭୭ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିଛନ୍ତି । ବୌଦ୍ଧ ଜିଲ୍ଲାକୁ ୯୭୦ କୋଟି ଟଙ୍କାର ପ୍ରକଳ୍ପ ଉପହାର ଦେଇଥିବାବେଳେ ଭଞ୍ଜନଗରରେ ୧୦୭ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ।
ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଐତିହାସିକ ପଦକ୍ଷେପ ନେଇଛନ୍ତି । କ୍ଷୁଦ୍ରଚାଷୀ, ଭାଗଚାଷୀ, ଜମିନଥିବା ଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ ସହାୟତା ଯୋଗାଇ ଦିଆଯାଇଛି । କେନ୍ଦ୍ର ସରକାର ଛୋଟ ଚାଷୀ, ଭାଗଚାଷୀ, ଜମି ନଥିବା ଚାଷୀଙ୍କ ପାଇଁ କିଛି ସୁବିଧା କରୁନାହିଁ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା କଥା ସେ କହିଥିଲେ । କାଳିଆ ଯୋଜନାରେ ଚାଷୀ ଓ ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯାଉଛି ଏବଂ ମହିଳା, ଚାଷୀ, ଯୁବସମାଜ ପାଇଁ ଆମେ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପ୍ରଥମେ ମୁଖ୍ୟମନ୍ତ୍ରୀ ଜିଲ୍ଲାର କଣ୍ଟାମାଳ ନିର୍ବାଚନମଣ୍ଡଳୀର ଘଣ୍ଟାପଡ଼ା ହାଇସ୍କୁଲ ପଡ଼ିଆରେ ଅବତରଣ କରି ୪୨୬.୫୯କୋଟିର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଥିଲେ । ଏଥିରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଜିଲ୍ଲାପାଳ ସୀତାଂଶୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଅପରାହ୍ନ ୧ଟାରେ ବୌଦ୍ଧ ସହରର କଚେରୀ ପଡ଼ିଆରେ ଅବତରଣ କରି ବୌଦ୍ଧ ନିର୍ବାଚନମଣ୍ଡଳୀ ପାଇଁ ୫୫୦ କୋଟିର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ପ୍ରଦୀପ ଅମାତ, ରାଜ୍ୟ ପୂର୍ତ୍ତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ, ଜିଲ୍ଲାପାଳ ସୀତାଂଶୁ ରାଉତ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ମର୍ଜାକୁଦବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଉପହାର ଦିଆଯାଇଥିଲା ଏବଂ ଯୁବ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍‌ଣ ୩ଟାରେ ଭଞ୍ଜନଗର କବିସମ୍ରାଟ ଷ୍ଟାଡିୟମ୍‌ ହେଲିପ୍ୟାଡ୍‌ରେ ପହଞ୍ଚି ଆର୍‌ଏମ୍‌ସି ଠାରେ ଆୟୋଜିତ ଜନ ସମାବେଶକୁ ଯାଇଥିଲେ । ସେଠାରେ ୨୧ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସହରର ଟାଉନ୍‌ ହଲ୍‌, ନୂତନ ବସ୍‌ଷ୍ଟାଣ୍ଡ୍‌ ଓ ନୂତନ ସବ୍‌ଜେଲ୍‌କୁ ଉଦ୍‌ଘାଟନ କରିଥିଲେ । ଏହାସହ ମୋଟ ୮୬ କୋଟି ୬୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୨୪ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ କହିଥିଲେ, ମୋ ସରକାର କୃଷକ, ଶ୍ରମିକ, ମହିଳା ଓ ଯୁବଶକ୍ତିର ବିକାଶକୁ ଗୁରୁତ୍ୱ ଦେଇ ଆସୁଛି । ମାତ୍ର କେନ୍ଦ୍ର ଆମକୁ ସବୁବେଳେ ଅବହେଳା କରିଆସିଛି । ଆମକୁ ଆହୁରି ଆଗକୁ ଯିବାକୁ ହେବ । ଉନ୍ନତିର ଚରମ ସୋପାନ ଆମକୁ ଛୁଇଁବାକୁ ହେବ । ଏଥିପାଇଁ ଆପଣମାନଙ୍କ ସମସ୍ତଙ୍କ ସହଯୋଗ ଏକାନ୍ତ ଜରୁରି ବୋଲି ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ବିଭିନ୍ନ ଯୋଜନାରେ ପାଖାପାଖି ୧୫ ଜଣ ହିତାଧିକାରୀଙ୍କୁ ମାନପତ୍ର ସହ ମୋବାଇଲ୍‌ ପ୍ରଦାନ କରିଥିଲେ । ଭଞ୍ଜନଗରରେ ପୂର୍ତ୍ତ ବିଭାଗର ୫୬ କୋଟି ୩୬ ଲକ୍ଷ ୭୩ ହଜାର କୋଟିର ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗର ୩୧ କୋଟି ୧୬ ଲକ୍ଷ ୨୮ହଜାର ଟଙ୍କାର ପ୍ରକଳ୍ପ, ଜଳସେଚନ ବିଭାଗର ୧୩ କୋଟି ୫୦ ଲକ୍ଷ ଟଙ୍କାର ନୂତନ ପ୍ରକଳ୍ପ ସହ ପଞ୍ଚାୟତିରାଜ ଓ ଗ୍ରାମ୍ୟଜଳ ଯୋଗାଣ ବିଭାଗର ମୋଟ ୫ କୋଟି ୬୨ ଲକ୍ଷ ୫୦ ହଜାର ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.