ହାଇକୋର୍ଟରେ ‘କାଳିଆ’, ‘ଯୋଜନା ଅସିଦ୍ଧ ଘୋଷଣା ହେଉ’

source:www.telegraphindia.com
କଟକ,୨୪ା୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ଚାଷୀ କଲ୍ୟାଣ ଯୋଜନା ‘କାଳିଆ’ ଏବେ ହାଇକୋର୍ଟରେ ପହଞ୍ଚିଛି । କୃଷକ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରଣୀତ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ମାତ୍ର ମାସେ ବିତିଥିବା ବେଳେ ଏହାକୁ ନେଇ ଅଦାଲତି ବିବାଦ ଆରମ୍ଭ ହୋଇଛି । ଯୋଜନାର ବୈଧତାକୁ ଚାଲେଞ୍ଜ କରି, ଏହାକୁ ଅସିଦ୍ଧ ଘୋଷଣା କରିବା ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସାମାଜିକ କର୍ମୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାଏର ଏହି ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ପ୍ରତିପକ୍ଷଙ୍କୁ ଜବାବଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ ବିଶ୍ୱଜିତ୍ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ମାମଲାର ପ୍ରାଥମିକ ଶୁଣାଣି କରିବା ସହ ତ୍ୱରିତ ବିଚାର ଉପରେ ଗୁରୁତ୍ୱାରୋପ କରିଥିବା ସୂଚନା ମିଳିଛି ।
ଆବେଦନକାରୀ ଶ୍ରୀ ମହାପାତ୍ର ତାଙ୍କ ପିଟିସନ୍ରେ ଅଭିଯୋଗ କରିଛନ୍ତି କି, ରାଜ୍ୟ ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଅନେକ ଯୋଜନା ଆରମ୍ଭ କରିଛନ୍ତି । ତେବେ ଏହିସବୁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଅର୍ଥର ଆବଶ୍ୟକତା ରହିଛି ତାହାକୁ ନିୟମ ଅନୁଯାୟୀ ଖର୍ଚ୍ଚ କରାଯାଉ ନାହିଁ । ସେହିକ୍ରମରେ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘କାଳିଆ’ ନାମରେ ଏକ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିପାଇଁ ଯେଉଁ ଅର୍ଥର ଆବଶ୍ୟକତା ରହିଛି ତାହାକୁ ଆପଦକାଳୀନ ପାଣ୍ଠି ବା ଆକସ୍ମିକ ପାଣ୍ଠିରୁ ନିଆଯାଉଛି । ପ୍ରଥମ କଥା ହେଉଛି ରାଜ୍ୟରେ କୌଣସି ଅପ୍ରତ୍ୟାଶିତ ଆକସ୍ମିକ ପରିସ୍ଥିତି (ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ) ସୃଷ୍ଟି ହେଲେ ଆକସ୍ମିକ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଏ । ଏବେ ରାଜ୍ୟରେ ସେଭଳି କୌଣସି ପରିସ୍ଥିତି ଉପୁଜି ନାହିଁ । ଏହାସତ୍ତେ୍ୱ ଏହି ଆକସ୍ମିକ ପାଣ୍ଠିରୁ ଅର୍ଥ ଆଣି ‘କାଳିଆ’ ଯୋଜନା ନାଁରେ ଖର୍ଚ୍ଚ କରାଯାଉଛି । ଦ୍ୱିତୀୟ କଥା ହେଲା ଆକସ୍ମିକ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ପୂର୍ବରୁ ରାଜ୍ୟ ସରକାର ରାଜ୍ୟପାଳଙ୍କ ଅନୁମୋଦନ ନେବା କଥା । କିନ୍ତୁ ରାଜ୍ୟ ସରକାର ଏହି ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ପୂର୍ବରୁ ରାଜ୍ୟପାଳଙ୍କ କୌଣସି ଅନୁମତି ନେଇନାହାନ୍ତି । ଫଳରେ ଏହି ଯୋଜନା ଅସାମ୍ବିଧାନିକ । ତେଣୁ ଏହି ଯୋଜନାକୁ ଅସିଦ୍ଧ ଘୋଷଣା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀ ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନସଚିବ, କୃଷି ବିଭାଗ ପ୍ରମୁଖ ଶାସନସଚିବ, ଅର୍ଥ ବିଭାଗ ପ୍ରମୁଖ ଶାସନସଚିବ, ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ ପରିଚାଳନା ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାସ ମାମଲା ପରିଚାଳନା କରୁଛନ୍ତି ।