କେନ୍ଦ୍ରାପଡ଼ା, ୧୫ା୨(ଆପ୍ର): ‘କାଳିଆ’ ଯୋଜନା ଓଡ଼ିଶାର ଅର୍ଥନୀତିରେ ଏକ ମାଇଲ୍ଖୁଣ୍ଟ ସଦୃଶ ରହିବ । ‘କାଳିଆ’ ଯୋଜନା ସାରା ଦେଶକୁ ବାଟ ଦେଖାଇବ । କେନ୍ଦ୍ରାପଡ଼ାର ବାରୋଠାରେ ଆଜି ଏଭଳି ଦୃଢୋକ୍ତି ବାଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
‘କାଳିଆ’ ଯୋଜନାରେ ଭାଗଚାଷୀ, ଭୂମିହୀନଙ୍କୁ ସହାୟତା ରାଶି ବଣ୍ଟନ ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଆଜି ପୁଲୱାମାର ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଭୁଲିନଥିଲେ ମୁଖ୍ୟମନ୍ତ୍ରୀ । ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜ ଅଭିଭାଷଣ ରଖିଥିଲେ ନବୀନ । କହିଥିଲେ, କାଳିଆ ଯୋଜନା ଦ୍ୱାରା ଚାଷୀ ଭଲ ଚାଷ କରିପାରିବ, ଚାଷୀ ପରିବାରର ଉନ୍ନତି ହେବ ।
ଚାଷୀମାନଙ୍କୁ ସମ୍ବୋଧିତ କରି କହିଥିଲେ, ଆପଣମାନେ ଅନ୍ନଦାତା, ସାରା ରାଜ୍ୟକୁ ଅନ୍ନ ଦେଉଛନ୍ତି । ଆପଣମାନଙ୍କ ପାଇଁ ଓଡ଼ିଶା କୃଷିରେ ଯଥେଷ୍ଟ ଉନ୍ନତି କରିଛି । ଆପଣମାନଙ୍କୁ ମୋର ନମସ୍କାର, ଜୁହାର, ସ୍ୱାଗତ । କେନ୍ଦ୍ରାପଡ଼ାର ବାରୋ ପଞ୍ଚାୟତ ସିଦ୍ଧମଠ ପଡ଼ିଆରେ ହେଲିକପ୍ଟର୍ରୁ ଅବତରଣ କରିବା ପରେ ଦଳୀୟ ବିଧାୟକ, କର୍ମୀ, ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ । ମଞ୍ଚରେ ବଟନ୍ ଚିପି ଭୂମିହୀନ ସହାୟତା ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସାଢ଼େ ୩ ଲକ୍ଷ ଭୂମିହୀନ/ଭାଗଚାଷୀଙ୍କ ଜମାଖାତାକୁ ସିଧାସଳଖ ସହାୟତା ଅର୍ଥ ଯିବ ।
ସଭାରେ ଯୋଗଦେବା ଆଗରୁ ମୁଖ୍ୟମନ୍ତ୍ରୀ ୧୭୩ କୋଟି ଟଙ୍କା ବ୍ୟୟ ଅଟକଳର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ନିଜ ଭାଷଣରେ ବିଜେପିକୁ ତେର୍ଚ୍ଛା ବାଣ ମାରିବାକୁ ପଛାଇନଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ଭାଗଚାଷୀ, କ୍ଷୁଦ୍ରଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ ସହାୟତା ବ୍ୟବସ୍ଥା କରିଥିବାବେଳେ କେନ୍ଦ୍ର ନିକଟରେ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛି । ତେବେ ଏଥିରେ କେନ୍ଦ୍ର ଭାଗଚାଷୀ, ଭୂମିହୀନ, କ୍ଷୁଦ୍ରଚାଷୀଙ୍କୁ ନିରାଶ କରିଛି । ସେମାନଙ୍କ ଲାଗି କୌଣସି ସୁବିଧା ରଖିନି । ଏଥିଲାଗି ସେ କେନ୍ଦ୍ରକୁ ଚିଠି ଲେଖିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରିଥିବା କହିଥିଲେ ।
ମୁଖ୍ୟମନ୍ତ୍ରୀ ଏକଥା ବି କହିଥିଲେ ଯେ କାଳିଆ ଯୋଜନା ଚାଷୀ ଭାଇଭଉଣୀମାନଙ୍କର ବହୁତ ପସନ୍ଦ ହୋଇଛି । ଛୋଟ ଚାଷୀ, ଭାଗ ଚାଷୀ, କୃଷି ଶ୍ରମିକ, ଭୂମିହୀନ ସମସ୍ତେ ଏହି ଯୋଜନାରୁ ଉପକାର ପାଇବେ । ଏଥିରେ ରବି ଓ ଖରିଫ ଋତୁ ପାଇଁ ସହାୟତା, ବିନା ସୁଧରେ ଋଣ, ବୀମା ସୁବିଧା ରହିଛି । କାଳିଆ ଯୋଜନା ଏକ ଆଦର୍ଶ ଯୋଜନା । ୨୦୧୪ରେ ୧୦ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ପାଣି ଯୋଗାଇବା ପାଇଁ ସେ ଘୋଷଣା କରିଥିଲେ । ଗତ ୪ ବର୍ଷରେ ଜଳସେଚନ ଲାଗି ୩୦ ହଜାର କୋଟି ଖର୍ଚ୍ଚ ହୋଇଛି । ୮ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଯୋଗାଇଛି । ଆସନ୍ତା ଏପ୍ରିଲ ସୁଦ୍ଧା ଆମେ ଲକ୍ଷ୍ୟ ପୂରଣ କରିବୁ । କୃଷି ଲାଗି ସ୍ୱତନ୍ତ୍ର ବଜେଟ୍ ପ୍ରସ୍ତୁତ କରାଯାଉଛି । କାଳିଆ ଯୋଜନା ସହାୟତାକୁ କାମରେ ଲଗାଇଲେ ସେ ଅଧିକରୁ ଅଧିକ ଖୁସିହେବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ସଭାମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ୧୭ଟି ବ୍ଲକର ୧୭ ଜଣ ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ । ଯେଉଁମାନେ କାଳିଆ ଯୋଜନା ଅଧୀନରେ ମିଳୁଥିବା ସୁବିଧା ବାବଦରେ ଅନୁଭୂତି ବାଣ୍ଟିଥିଲେ । ଆଗଭଳି ଚାଷ କାର୍ଯ୍ୟ ଲାଗି ମହାଜନ ଅବା କାହାଠାରୁ ହାତ ଉଧାରି କରିବାକୁ ପଡ଼ିବନି । କାହା ପାଖରେ ଋଣ ଲାଗି ଗୋଡ଼ଭାଙ୍ଗି ଠିଆ ହେବାକୁ ହେବନି । ନିଜ ଜମା ଖାତାକୁ ଆସୁଥିବା ଅର୍ଥରେ କୃଷି କାର୍ଯ୍ୟରେ ସେମାନେ ବିନିଯୋଗ କରିପାରିବେ । ଯାହା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ସଭାରେ ୧୭ ଜଣ ଚାଷୀଙ୍କୁ ପ୍ରତିକାତ୍ମକ କୃଷି ସହାୟତା ପତ୍ର ବଣ୍ଟନ କରାଯାଇଥିଲା । ରାଜ୍ୟର ୧୦ ଲକ୍ଷ ଚାଷୀଙ୍କୁ ୩ ଟି ପର୍ଯ୍ୟାୟରେ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ପ୍ରଥମ ଥର ଲାଗି କେନ୍ଦ୍ରାପଡ଼ା ସହର ସମେତ ରାଜ୍ୟର ଅନ୍ୟ ନଗର ଗୁଡ଼ିକରେ ବାସ କରୁଥିବା ଚାଷୀଙ୍କୁ ଏଥିରେ ସାମିଲ କରାଯାଇଛି । ବାରୋ ପଞ୍ଚାୟତ ସିଦ୍ଧ ମଠ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ, କେନ୍ଦ୍ରାପଡ଼ା ବିଧାୟକ କିଶୋର ଚନ୍ଦ୍ର ତରାଇ, ରାଜ୍ୟ ଖଦି ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...