ଭୁବନେଶ୍ୱର,୦୮/୦୩: ଆସନ୍ତା ଏପ୍ରିଲ ମାସରେ କଳିଙ୍ଗ ସୁପର କପ୍‌ ୨୦୨୫ ଆୟୋଜିତ ହେବା ବିଷୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ‘କଳିଙ୍ଗ’ ରହିବ କି ନାହିଁ ସେ  ବିଷୟରେ ଫୁଟବଲପ୍ରେମୀ ଦ୍ୱନ୍ଦ୍ୱରେ ରହିଥିଲେ । ମାତ୍ର  ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ  ସୋସିଆଲ ମିଡିଆରେ ସ୍ପଷ୍ଟ କରାଯାଇଛି । ସୋସିଆଲ ମିଡିଆରେ କୁହାଯାଇଛି,  ‘ଏହା ଅତି ଖୁସିର ସହ ଘୋଷଣା କରୁଛୁ ଯେ  ସର୍ବଭାରତୀୟ ଫୁଟବଲ ସଂଘ କଳିଙ୍ଗ ଷ୍ଟାଡିୟମକୁ ପୁଣି ଥରେ ସମ୍ମାନଜନକ ସୁପର କପ୍‌, ଯାହାର  ଅଫିସିଆଲ ନାମ କଳିଙ୍ଗ ସୁପର କପ୍‌ ଆୟୋଜନ  ନେଇ ଚୟନ କରିଛନ୍ତି । ଏହି ପ୍ରତିଯୋଗିତା ଏପ୍ରିଲ  ୧୮ରୁ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହେବ ।’  

ଦେଶର ୧୬ଟି ଶ୍ରେଷ୍ଠ ଦଳ ସୁପର କପ୍‌ରେ  ଭାଗ ନେବେ । ଚାମ୍ପିଅନ୍ସ ଦଳ ୨୦୨୫-୨୬ ଏଏଫ୍‌ସି  ଚାମ୍ପିଅନ୍ସ ଲିଗ୍‌-୨ ପ୍ଲେ ଅଫ୍‌କୁ ଯୋଗ୍ୟତା ହାସଲ  କରିବ । ୨୦୧୮, ୨୦୧୯ ଏବଂ ୨୦୨୪ ସଂସ୍କରଣରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ଗତ ସଂସ୍କରଣରେ ଇଷ୍ଟବେଙ୍ଗଲ ୩-୨ ଗୋଲରେ ଓଡ଼ିଶା  ଏଫ୍‌ସିକୁ ପରାଜିତ କରି ଟାଇଟଲ ଜିତିଥିଲା ।