ଫୁଲବାଣୀ,୩୦/୧୦: ଦିନ ଥିଲା ଏହି ରାସ୍ତାରେ ଶହଶହ ଗାଡ଼ି  ଯାଉଥିଲା । ଏବେ ନା ଗାଡ଼ି ନା ଲୋକବାକ । ରାସ୍ତାଘାଟ ଶୂନଶାନ୍‌ ।  ଘଣ୍ଟାଘଣ୍ଟା ଧରି ଅନାଇ ବସିଛନ୍ତି କେତେବେଳେ ଗାଡ଼ି ଗୋଟେ  ଆସିବ । କିଏ ଟିକେ ଖାଇବାକୁ ଦେବ । ଏ କୌଣସି ଅସହାୟ  ଲୋକଙ୍କ କଥା ଆମେ କହୁନୁ... ଏ ହେଉଛି କନ୍ଧମାଳ-ଗଞ୍ଜାମ  ସୀମା କଳିଙ୍ଗା ଘାଟିରେ ରହୁଥିବା ମାଙ୍କଡ଼ଙ୍କ କଥା । 

କଳିଙ୍ଗା ଘାଟି ରାସ୍ତା ଦେଇ ଗଲେ ଉଭୟ ପାଶ୍ୱର୍ରେ ଥାଆନ୍ତି ମାଙ୍କଡ଼  ପଲ । ରାସ୍ତାରେ ଯାଉଥିବା ଯାତ୍ରୀଙ୍କଠାରୁ ଖାଦ୍ୟ ପାଇବା ଲାଗି ଆଶା  ରଖିଥାନ୍ତି । ଗାଡ଼ିଟିଏ ଗଲେ ଚାଲି ଆସନ୍ତି ମଝି ରାସ୍ତାକୁ । ଯିଏ ଯାହା  ଖାଇବାକୁ ଦେଲା ଧରି ଡିଆଁ ମାରି ଚାଲିଯାଆନ୍ତି । ଲୋକଙ୍କ ପାଖରୁ  ସହଜରେ ଖାଇବା ମିଳି ଯାଉଥିବାରୁ ସେମାନେ ଆଉ ନିଜେ ଖାଦ୍ୟ  ଯୋଗାଡ଼ କରନ୍ତିନି । ପେଟ ପୂରାଇବାକୁ ଏ ଥିଲା କଳିଙ୍ଗା ଘାଟି  ମାଙ୍କଡ଼ଙ୍କ ନିତିଦିନିଆ ଅଭ୍ୟାସ ।

ମାଙ୍କଡ଼ଙ୍କୁ ଖାଦ୍ୟ ସାମଗ୍ରୀ ଦେବାକୁ ବନ ବିଭାଗ କଟକଣା ଜାରି  କରିଛି । ଏହାସତ୍ତେ୍ୱ ଯାତ୍ରୀମାନେ ମାଙ୍କଡ଼ଙ୍କୁ କିଛି ନା କିଛି ଖାଇବାକୁ  ଦେଇଥାନ୍ତି । କ୍ରମଶଃ ଘାଟିର ମାଙ୍କଡ଼ମାନେ ରାସ୍ତାକଡ଼ରେ ଯାତ୍ରୀ ଦେଉଥିବା ଖାଦ୍ୟ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି । ଗତ ସେପ୍ଟେମ୍ବର ୧୬ ତାରିଖରେ କଳିଙ୍ଗା ଘାଟିରେ ଭୂସ୍ଖଳନ ହେଲା ।  ଏହାପରଠୁ ରାସ୍ତାରେ ଗାଡ଼ି ଚଳଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଲୋକଙ୍କ ଆତଯାତ ମଧ୍ୟ ନାହିଁ । ମାଙ୍କଡ଼ କଣ ଏକଥା ବୁଝୁଛି ନା ଜାଣୁଛି । ଚିରାଚରିତ ଭାବେ ସେ କେବଳ ରାସ୍ତା କଡ଼ରେ ଯାତ୍ରୀଙ୍କ ଅପେକ୍ଷାରେ  ରହୁଛି । କେହି ଆସିଲେ ଖାଇବାକୁ ମିଳିବ କି... । 

ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସବୁଜ ବନାନୀରେ ପରିବେଷ୍ଟିତ  କଳିଙ୍ଗା ଘାଟିର ଅନ୍ୟତମ ଆକର୍ଷଣ ବିଭିନ୍ନ  ପ୍ରଜାତିର ମାଙ୍କଡ଼ । ଏହି ଘାଟି ରାସ୍ତା ଦେଇ ପ୍ରତିଦିନ ଶହଶହ  ଯାନବାହନ ଚଳାଚଳ କରିଥାଏ । ଘାଟି ରାସ୍ତାକଡ଼ରେ ଧାଡ଼ିରେ ବସି  ମାଙ୍କଡ଼ମାନେ ଯାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଘାଟିରେ ପ୍ରବେଶ  କରିବା ପୂର୍ବରୁ କଳିଙ୍ଗା କିମ୍ବା ଦୁର୍ଗାପ୍ରସାଦ ବଜାରରୁ ଯାତ୍ରୀମାନେ  ସାଙ୍ଗରେ ନେଇ ଆସିଥାଆନ୍ତି, ବିସ୍କୁଟ, କଦଳୀ ଭଳି ବିଭିନ୍ନ ଖାଦ୍ୟ  ସାମଗ୍ରୀ । ଲୋକଙ୍କ ହାତରୁ ଖାଦ୍ୟ ପାଇବା ପାଇଁ ସତେଯେମିତି  ଅନାଇ ବସିଥାଆନ୍ତି ଏହି ମାଙ୍କଡ଼ । ଗାଡ଼ି ପାଖକୁ ଆସି ହାତ ବଢ଼େଇ  ନେଇ ଯାଆନ୍ତି । ଯଦିଓ ଏହି ବନ୍ୟଜନ୍ତୁଙ୍କୁ କୌଣସି ପ୍ରକାର ଖାଦ୍ୟ  ଦେବା ପାଇଁ ବାରଣ କରିଛି ବନ ବିଭାଗ । ଏ ସମ୍ପର୍କରେ ଘାଟିର  ବିଭିନ୍ନ ସ୍ଥାନରେ ସୂଚନା ଫଳକ ମଧ୍ୟ ଲଗାଯାଇଛି । ଏପରିକି  ଅତୀତରେ ଘାଟି ରାସ୍ତାରୁ ମାଙ୍କଡ଼ଙ୍କୁ ହଟାଇବା ଏବଂ ସେମାନଙ୍କୁ  ଜଙ୍ଗଲ ଭିତରକୁ ଫେରାଇ ନେବା ପାଇଁ ବନବିଭାଗ ପକ୍ଷରୁ  ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ନିୟୋଜିତ କରାଯାଇଥିଲା । ଏଥିପାଇଁ  ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଥିଲା । କିନ୍ତୁ, ପରିସ୍ଥିତିରେ  କୌଣସି ପରିବର୍ତ୍ତନ ଆସିଲା ନାହିଁ । ମାଙ୍କଡ଼ଙ୍କୁ ଲୋକ ଖାଦ୍ୟ ଦ୍ରବ୍ୟ  ଦେବା ବନ୍ଦ ହୋଇ ନାହିଁ । ଘାଟି ସଂଲଗ୍ନ ଜଙ୍ଗଲ ଭିତରେ ବ୍ୟାପକ  ବେଆଇନ ଗଛକଟା ଯୋଗୁଁ ଖାଦ୍ୟ ଅଭାବରୁ ମାଙ୍କଡ଼ଙ୍କୁ ରାସ୍ତା  ଉପରକୁ ଆସିବା ପାଇଁ ବାଧ୍ୟ କରୁଥିବା କୁହାଯାଉଛି । ସୁବିଧାରେ  ବିକଳ୍ପ ଖାଦ୍ୟ ମିଳୁଥିବାରୁ ଏହା ମାଙ୍କଡ଼ଙ୍କ ପାଇଁ ଅଭ୍ୟାସରେ  ପରିଣତ ହୋଇଯାଇଛି ।

ଏଭଳି ସ୍ଥିତିରେ ଭୂସ୍ଖଳନ ଏହି ନିରୀହ ବନ୍ୟଜନ୍ତୁ ପାଇଁ ବଡ଼  ସମସ୍ୟା ସୃଷ୍ଟି କରିଛି । ପ୍ରାୟ ୫୦ ଦିନ ହେଲା ଏହି ରାସ୍ତା ଦେଇ  ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ରହିଛି । ରାସ୍ତା ଖାଁ ଖାଁ  ହୋଇଯାଇଛି । ନିରୀହ ପଶୁମାନେ ଏହି ପରିବର୍ତ୍ତିତ ପରିସ୍ଥିତିକୁ  ବୁଝିବାକୁ ସକ୍ଷମ ନୁହନ୍ତି । ଏବେ ବି ରାସ୍ତାକଡ଼ରେ ଦିନସାରା ବସି  ରହୁଛନ୍ତି । କାଁ ଭାଁ ଗାଡ଼ିଟିଏ ଆସିଲେ ବା ପାଦଚଲା ବାଟୋଇ  ଜଣେ ଗଲେ ବିକଳ ହୋଇ ପାଖକୁ ଧାଇଁ ଯାଇ ହାତ ବଢ଼େଇ  ଦେଉଛନ୍ତି । ଏହି ଦୃଶ୍ୟ ଯେ କୌଣସି ସମ୍ବେଦନଶୀଳ ମଣିଷ  ମନରେ ଭାବାବେଗ ସୃଷ୍ଟି କରିବା ସ୍ୱାଭାବିକ । ଯାତ୍ରୀଙ୍କ ଉପରେ  ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀଙ୍କ  ସମସ୍ୟା କଥା ସମସ୍ତେ ଆଲୋଚନା କରୁଛନ୍ତି । ସେହି ଯାତ୍ରୀଙ୍କ  ହାତରୁ ଖାଦ୍ୟ ଖାଇ ପେଟ ପୂରାଉଥିବା ଏହି ନିରୀହ ପ୍ରାଣୀଟିର  କଥା ସମସ୍ତେ ଭୁଲି ଯାଇଛନ୍ତି । 

ସମୟକ୍ରମେ ବାହାର ଖାଦ୍ୟ ଉପରେ ନିର୍ଭରଶୀଳ ହୋଇ ସାରିଥିବା  ଏହି ମାଙ୍କଡ଼ଙ୍କ ପାଇଁ ଏବେ ଜଙ୍ଗଲୀ ଖାଦ୍ୟ ଦ୍ରବ୍ୟ ସଂଗ୍ରହ କରିବା  ମଧ୍ୟ କଷ୍ଟକର । ତେଣୁ କଳିଙ୍ଗା ଘାଟିର ଭୂସ୍ଖଳନ କେବଳ ଗଞ୍ଜାମକନ୍ଧମାଳ ଏବଂ ସମୀପବର୍ତ୍ତୀ ଜିଲ୍ଲାବାସୀଙ୍କ ପାଇଁ ଯୋଗାଯୋଗ ଓ  ଆର୍ଥିକ ସମସ୍ୟା ସୃଷ୍ଟି କରିନି, ବରଂ ଘାଟିର ମାଙ୍କଡ଼ଙ୍କ ପାଇଁ  ଖାଦ୍ୟ ସମସ୍ୟା ସୃଷ୍ଟି କରିଛି । ଅଲକ୍ଷ୍ୟରେ ସତେ ଯେମିତି ଏମାନେ  ଅପେକ୍ଷା କରି ରହିଛନ୍ତି କେବେ ସରିବ କଳିଙ୍ଗା ଘାଟିର ପୁନରୁଦ୍ଧାର  କାର୍ଯ୍ୟ ଏବଂ ସ୍ୱାଭାବିକ ହେବ ଯାତାୟାତ ।