ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମଧ୍ୟବିତ୍ତଙ୍କ ଉପରେ ମହଙ୍ଗା ମାଡ଼, ୬୦% ବଢ଼ିଲା କଲ୍ୟାଣମଣ୍ଡପ ଭଡ଼ା

Published By : Anindita Ratha | April 26, 2025 1:40 PM

ଭୁବନେଶ୍ୱର,୨୬/୦୪: ବାହାଘର ଋତୁ ଆରମ୍ଭରୁ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରକୁ ଲାଗିଛି ଝଟ୍‌କା । ନିଜ ଆୟ ବଢ଼ାଇବାକୁ ମଧ୍ୟବିତ୍ତଙ୍କ ତଣ୍ଟିରେ ଖୋଜ ପକାଇଛି ବିଏମ୍‌ସି । ରକେଟ୍‌ ମାର୍କା ବେଗରେ ବଢିଛି କଲ୍ୟାଣ ମଣ୍ଡପ ଭଡ଼ା । ୬୦ ପ୍ରତିଶତ ଭଡ଼ା ବଢାଇଛି ବିଏମ୍‌ସି । ଏହି ନୂଆ ଦର ସାଧାରଣ ପରିବାରର ହୋସ୍‌ ଉଡ଼ାଇ ଦେଇଛି । ଯେଉଁ ମଣ୍ଡପ ୩୦ ହଜାର ଟଙ୍କାର ବୁକିଂ ହେଉଥିଲା, ଏବେ ସେଥିପାଇଁ ୪୮ ହଜାର ଟଙ୍କା ଦେବାକୁ ପଡ଼ିବ । ବିଏମ୍‌ସିର ଏପରି ମଧ୍ୟବିତ୍ତ ମାରଣା ନୀତିକୁ ସବୁ ମହଲରୁ ନିନ୍ଦା କରାଯାଇଛି । ବିଏମ୍‌ସିର ଏଭଳି ଉପରମୁହାଁ ମଣ୍ଡପ ଭଡ଼ା ମଧ୍ୟବିତ୍ତ ପରିବାରର ରକ୍ତଚାପ ବଢ଼ାଇ ଦେଇଛି । 

ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରରେ ଥିବା କଲ୍ୟାଣ ମଣ୍ଡପ ଏବଂ କମ୍ୟୁନିଟି ସେଣ୍ଟର ଦର ବଢାଇଛି । ୟୁନିଟ୍‌-୬ କଲ୍ୟାଣ ମଣ୍ଡପର ଦର ପୂର୍ବରୁ ୨୬୦୦୦ ଧାର୍ଯ୍ୟ ହୋଇଥିଲା । ଏଥିରେ ରାଜ୍ୟ ଏବଂ କେନ୍ଦ୍ର ଜିଏସ୍‌ଟି ମିଶାଇ ମୋଟ ୩୦,୩୮୦ ଟଙ୍କା ଦେବାକୁ ପଡୁଥିଲା । ଏହି ଦର ଏବେ ୬୦ ପ୍ରତିଶତ ବଢ଼ିଛି । ଏକା ଥରକେ ୧୮ ହଜାର ଟଙ୍କା ବଢାଇଛି ବିଏମ୍‌ସି । ଅର୍ଥାତ ଏବେ ସେହି ମଣ୍ଡପକୁ ୪୮ ହଜାର ୩୮୦ ଟଙ୍କା ଦେବାକୁ ପଡ଼ିବ । ୟୁନିଟ୍‌-୮ କମ୍ୟୁନିଟି ସେଣ୍ଟରରେ ପୂର୍ବରୁ ଜିଏସ୍‌ଟି ମିଶାଇ ୨୩,୬୦୦ ଟଙ୍କା ଦେବାକୁ ପଡୁଥିଲା । ବର୍ତ୍ତମାନ ୩୫,୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ବିଏମ୍‌ସିର ଅତିରିକ୍ତ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା କଲ୍ୟାଣ ମଣ୍ଡପ କମିଟି ବୈଠକରେ ଏହି ଦୁଇ କଲ୍ୟାଣ ମଣ୍ଡପ ଦର ବୃଦ୍ଧି କରାଯାଇଛି । ଭୁବନେଶ୍ୱର ଥିବା ଅନ୍ୟ କଲ୍ୟାଣ ମଣ୍ଡପ ଏବଂ କମ୍ୟୁନିଟି ସେଣ୍ଟର ଗୁଡ଼ିକର ଭଡ଼ା ପର୍ଯ୍ୟାୟ କ୍ରମେ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ରାଜଧାନୀରେ ମୋଟ୍‌ ୮ଟି କଲ୍ୟାଣ ମଣ୍ଡପ ଓ କମ୍ୟୁନିଟି ସେଣ୍ଟର ରହିଛି । ସେଥିମଧ୍ୟରେ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ଦର ୩୫ ହଜାର ରହିଛି । ସହିଦନଗର କଲ୍ୟାଣ ମଣ୍ଡପ ୩୦ ହଜାର, ଭିଏସ୍‌ଏସ୍‌ ନଗର କଲ୍ୟାଣ ମଣ୍ଡପ ଦର ୩୦ ହଜାର ଟଙ୍କା ରହିଛି । 

ବିଏମ୍‌ସିରେ ପ୍ରାୟ ୭୦ ପ୍ରତିଶତ ଲୋକେ ଭଡ଼ାଟିଆ ଭାବେ ରହୁଛନ୍ତି । ସେଥିମଧ୍ୟରୁ ଅଧିକାଂଶ ମଧ୍ୟବିତ୍ତ ପରିବାର । ବିବାହ ବ୍ରତ କରିବାକୁ ବିଳାସପୂର୍ଣ୍ଣ ହୋଟେଲ ପରିବର୍ତ୍ତେ ବିଏମ୍‌ସି କଲ୍ୟାଣ ମଣ୍ଡପ କିମ୍ବା କମ୍ୟୁନିଟି ସେଣ୍ଟର ଉପରେ ଏମାନେ ନିର୍ଭର କରିଥାନ୍ତି । ବର୍ତ୍ତମାନ ବାହା ଋତୁ ଆରମ୍ଭ ହୋଇଛି । ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ହଠାତ ବିଏମ୍‌ସିର ୬୦ ପ୍ରତିଶତ ମଣ୍ଡପ ଭଡ଼ା ବାହାଘରର ଅଟକଳ ବିଗାଡ଼ି ଦେଇଛି । ମଣ୍ଡପର ମହଙ୍ଗା ମାଡ଼ ଜିଜିଆ କର ଆଦାୟ କଲା ଭଳି ପରିସ୍ଥିତି ସୃଷ୍ଟି କରିଛି । ବରପକ୍ଷ ହେଉ ବା କନ୍ୟାପକ୍ଷ, ଏ ବର୍ଦ୍ଧିତ ଭଡ଼ା ମୁଣ୍ଡ ଗୋଳମାଳ କରି ଦେଇଛି । ବିଏମ୍‌ସି ବଡ଼ ବଡ଼ିଆ କୋଟିପତିଙ୍କୁ ହୋଲ୍ଡିଂ ଟ୍ୟାକ୍ସ ଛାଡ଼ କରୁଛି । ପାଣି ବିଲ୍‌, ବିଦ୍ୟୁତ୍‌ ବିଲ ସବୁଥିରେ ରିହାତି ଦେଉଛି । ହେଲେ ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ ନାଲି ଆଖି ଦେଖାଇ ଟଙ୍କା ଆଦାୟ କରିବାକୁ ଜୁଲ୍‌ମ୍‌ ଚଳାଇଛି । ମଣ୍ଡପ ଭଡ଼ା ବଢାଇ ସାଧାରଣ ପରିବାରକୁ ଶୋଷୁଛି ବୋଲି ଅଭିଯୋଗ ହୋଇଛି । ମଣ୍ଡପର ହଠାତ୍‌ ଏପରି ଦର ବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ ପାଇଛି । ବିଭିନ୍ନ ସଂଗଠନ ମଣ୍ଡପ ଭଡ଼ା ବୃଦ୍ଧି ନେଇ ବିଏମ୍‌ସିକୁ ସାମାଲୋଚନା କରିଛନ୍ତି । କର୍ପୋରେଟର ମାନେ ମଧ୍ୟ ସାମନ ଅଭିଯୋଗ ଆଣିଛନ୍ତି । ହଠାତ୍‌ ଏପରି ଦରବୃଦ୍ଧି ସାଧାରଣ ଲୋକଙ୍କ ଉପରେ ବୋଝ ଭଳି ହେବ । ତେଣୁ ବିଏମ୍‌ସି ଏହାକୁ ପ୍ରତ୍ୟାହାର କରିବାକୁ ଦାବି ଉଠିଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.