କଟକ, ୧୫/୦୪ (ହାରୁନ୍ ରସିଦ୍ ଖାନ୍) : ଏବେ ରାସ୍ତାରେ ଭଳିକି ଭଳି ଅତ୍ୟାଧୁନିକ ଗାଡ଼ିର ଭିଡ଼। ବ୍ୟାଟେରୀ ଗାଡ଼ି ବା ଇଭି ଆସିବା ପରେ ଯାନବାହନ କ୍ଷେତ୍ରରେ ଏକ ନୂଆ ବିପ୍ଲବ ଦେଖିବାକୁ ମିଳୁଛି । ତଥାପି ସ୍ମାର୍ଟ ରାସ୍ତାରେ ସ୍ମାର୍ଟ ଗାଡ଼ିର ପଟୁଆର ଭିତରେ ବି ହଠାତ୍ ଆଖିରେ ପଡିଯାଉଛି ଇଂରେଜ ଅମଳର ପୁରୁଣା ସାଇକେଲ । ଏହି ସାଇକେଲ୍ ରେ ବି ରହିଛି ସେତେବେଳ ସମୟରେ କାରିଗରୀ କୌଶଳ । ଗିଅର୍ ଥିବା ୭୪ ବର୍ଷ ପୁରୁଣା ଇଂଲିସ୍ ରାଲେ ସାଇକେଲ୍ ଧରି କଟକରେ ବୁଲୁଥିବା ବ୍ୟକ୍ତି ହେଉଛନ୍ତି ସିଏମ୍ସି ୩୫ ନମ୍ବର ୱାର୍ଡ କର୍ପୋରେଟର୍ ଜେ. କାମେଶ୍ୱର ରାଓ । କେବଳ କାମେଶ୍ୱର ନୁହନ୍ତି ତାଙ୍କର ଆଉ କିଛି ସାଙ୍ଗ ଅଛନ୍ତି ଯେଉଁମାନେ ବହୁ ପୁରୁଣା ସାଇକେଲ୍କୁ ଯତ୍ନର ସହ ସାଇତି ରଖିଛନ୍ତି । କେବେ ସମୟ ମିଳିଲେ ପୂରା ଗ୍ରୁପ୍ ପୁରୁଣା ସାଇକେଲ୍ ଧରି ରାସ୍ତାକୁ ଓହ୍ଲାନ୍ତି । ବେଳେବେଳେ ପୁରୁଣା ସାଇକେଲ୍ ଧରି ଏହି ଗ୍ରୁପ୍ ପୁରୀ, ଭୁବନେଶ୍ୱର ବି ବୁଲିବାକୁ ଯାଇଛନ୍ତି ।

ଗୋଟେ ସମୟ ଥିଲା, ଯେତେବେଳେ ସାଇକେଲ୍ ଯାହାପାଖରେ ଥିଲା ସେ ସମାଜରେ ଧନୀ ବୋଲି ପରିଗଣିତ ହେଉଥିଲେ । ସେହି ଦୃଷ୍ଟିରୁ ପୁରୁଣା ରାଜଧାନୀ କଟକରେ ଅନେକ ଲୋକଙ୍କ ପାଖରେ ଥିଲା ସେ ସମୟର ନାମକରା କମ୍ପାନୀର ଦାମୀ ସାଇକେଲ୍ । କାହାପାଖରେ ଥିଲା ରାଲେ ତ ଆଉ କାହା ପାଖରେ ହମ୍ବର, ହର୍କୁଲେସ୍, ଫିଲିପ୍ସ, ରବିନ୍ହୁଡ୍ । ସମୟ ବଦଳିଲା ମୋପେଡ୍, ସ୍କୁଟର୍, ରାଜଦୂତ ଭଳି ଗାଡ଼ି ରାଜୁତି କଲା ରାସ୍ତାରେ । ପରେ ଅତ୍ୟାଧୁନିକ ସୁବିଧା ଥିବା ଗାଡ଼ି ଆସିଲା ବଜାରକୁ । ଧୀରେ ଧୀରେ ସାଇକେଲ୍ର ଯୁଗ ଏକରକମ ଶେଷ ହୋଇଗଲା । ଏବେ ପୁରୁଣାକାଳିଆ ସାଇକେଲ ଆଉ କାହା ପାଖରେ ନାହିଁ କହିଲେ ଚଳେ । ଅବଶ୍ୟ ଏବେ ପିଲାମାନେ ରେସିଂ ସାଇକେଲ୍ ଓ ବିଭିନ୍ନ ଆଧୁନିକ ଢାଞ୍ଚାରେ ପ୍ରସ୍ତୁତ ସାଇକେଲ ଚଲାଉଛନ୍ତି । କିନ୍ତୁ ବର୍ତ୍ତମାନର ଆଧୁନିକ ଯୁଗରେ ପୁରୁଣା ସାଇକେଲ୍ ସାଇତି ରଖିବା, ଚଲାଇବାର ସଉକ ରଖିଛନ୍ତି କିଛି ଲୋକ ।

ସେମାନଙ୍କ ମଧ୍ୟରେ ବକ୍ସିବଜାର ଧୋବି ଲେନର ବାସିନ୍ଦା ତଥା କର୍ପୋରେଟର ଜେ. କାମେଶ୍ୱର ରାଓ ଅନ୍ୟତମ । ତାଙ୍କ ଜେଜେବାପା ଜେ. ସତ୍ୟମ୍ ୧୯୫୨ ମସିହାରେ ଏସ୍ସିବିରେ କାମ କରୁଥିବାବେଳେ ସାଇକେଲ୍ ଚଲାଉଥିଲେ । ମେଡ୍ ଇନ୍ ଇଂଲଣ୍ଡ ଲେଖା ଥିବା ଏହି ସାଇକେଲ୍କୁ କାମେଶ୍ୱର ଏବେ ଚଲାଉଛନ୍ତି । ଗିଅର୍ ଥିବା ଏହି ସାଇକେଲ୍ ଏବେ ବି ବେଶ୍ ମଜବୁତ୍ । ପୁରୁଣା କାଳିଆ ଲାଇଟ୍ ଓ ହର୍ଣ୍ଣଠାରୁ ଚମଡାର ସିଟ୍ ଭଲ ସ୍ଥିତିରେ ଅଛି । ୧୯୯୬ ମସିହାରେ ଅନ୍ଲାଇନ୍ରେ ଆବଶ୍ୟକ ସରଞ୍ଜାମ ମଗାଇ କାମେଶ୍ୱର ଜେଜେବାପାଙ୍କ ସାଇକେଲ୍କୁ ଚଳନକ୍ଷମ କରିଛନ୍ତି । ଏହା ପରେ ପୁରୁଣା ସାଇକେଲ୍, ଗାଡ଼ି ପ୍ରତି କାମେଶ୍ୱରଙ୍କ ଆଗ୍ରହ ବଢ଼ିଥିଲା । ସେ ପୁରୁଣା ସାଇକେଲ୍ ସଂଗ୍ରହ କରିବା ଆରମ୍ଭ କଲେ । ଏବେ କାମେଶ୍ୱରଙ୍କ ପାଖରେ ଇଂଲିସ ରାଲେ, ପ୍ଲେନ (୨୪ ଇଞ୍ଚିଆ), ହମ୍ବର୍, ରବିନ୍ହୁଡ୍, ଇଂଲିସ ବିଏସ୍ଏ, ଫିଲିପ୍ସ ଆଦି ଅନେକ ମଡେଲ୍ର ସାଇକେଲ୍ ରହିଛି । ସେହିପରି ୧୯୬୨ ମସିହାର ବୁଲେଟ୍ ଓ କାର୍ ମଧ୍ୟ ସେ ରଖିଛନ୍ତି । ପୁରୁଣା ସାଇକେଲ୍ର ସଉକ ଥିବା କିଛି ଲୋକ କାମେଶ୍ୱରଙ୍କ ସହ ଏକଜୁଟ୍ ହୋଇ ଏକ ଗ୍ରୁପ୍ ତିଆରି କରିଛନ୍ତି । ଏହି ଗ୍ରୁପ୍ରେ ଜୟ ବେହେରା, ଅଜୟ ଦାସ, କୁନିଆ, ଶିବୁଲା ପ୍ରମୁଖ ଅଛନ୍ତି । ବ୍ୟସ୍ତବହୁଳ ଜୀବନରୁ ସମୟ କାଢି ସମସ୍ତେ ପୁରୁଣା ସାଇକେଲ୍ରେ ବିଭିନ୍ନ ସ୍ଥାନକୁ ବୁଲାବୁଲି କରିବାକୁ ଯାଇଥାନ୍ତି । ଏ ନେଇ କାମେଶ୍ୱର କହିଛନ୍ତି ଯେ, ୧୯୯୬ ମସିହାରେ ପୁରୁଣା ଘରୁ ମୁଁ ଜେଜେବାପାଙ୍କ ସାଇକେଲ୍ କାଢି ସଫାସଫି କଲା ପରେ ପୁରୁଣା ଜିନିଷ ପ୍ରତି ଆଗ୍ରହ ବଢ଼ିଲା । ଏବେ ମୁଁ ବିଭିନ୍ନ ପୁରୁଣା ସାମଗ୍ରୀ ସଂଗ୍ରହ କରି ରଖୁଛି । ଆଗାମୀ ଦିନରେ ଏହାକୁ ନେଇ ଏକ ସଂଗ୍ରହାଳୟ କରିବାର ଯୋଜନା ଥିବା କାମେଶ୍ୱର କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- Census 2027 : ଗୁରୁବାରଠୁ ଘର ଘର ବୁଲି ଜନଗଣନା, ୮୦ ହଜାର କର୍ମଚାରୀ ନିୟୋଜିତ