କଣାସ, ୧୮/୦୨: କଣାସ ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ  ହୋଇଛି । ଏହାକୁ ମିଶାଇ ସଂଖ୍ୟା ୭କୁ  ବୃଦ୍ଧି ପାଇଛି । ମୃତକ ହେଲେ ଗଡ଼ସାହି  ପଞ୍ଚାୟତ ମର୍ଦ୍ଧାପଲ୍ଲୀ ଗ୍ରାମର ଭରତ  ଭୋଇ(୬୦) । ଗତ ସପ୍ତାହରେ ସେ  ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରଥମେ  କଣାସ ଓ ପରେ ପୁରୀ ଡାକ୍ତରଖାନାରେ  ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସୁସ୍ଥ  ହେବାରୁ ପରିବାର ଲୋକେ ତାଙ୍କୁ ଘରକୁ  ନେଇ ଆସିଥିଲେ । ଦୁଇଦିନ ପରେ ସେ  ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ । ରବିବାର  ପରିବାର ଲୋକେ ତାଙ୍କୁ ଡାକ୍ତରଖାନା  ନେବା ବେଳେ ମୃତ୍ୟୁ ଘଟିଥିଲା । 

ଏହି ଘଟଣାକୁ ନେଇ ଗ୍ରାମର  କିଛି ପୁରୁଷ ଓ ମହିଳା ଗଡ଼ସାହି ଉପ  ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ହୋହାଲ୍ଲା  କରିଥିଲେ । ଡାକ୍ତରଖାନାରେ ତାଲା ପକାଇ  ଦେଇଥିଲେ । ଗାଁରେ ଔଷଧ ଦିଆଯାଉନି ।  ବଡ଼ ପୋଖରୀ ପାଣି ଦୂଷିତ ହେଇଥିଲେ  ମଧ୍ୟ ସେଥିରେ ବ୍ଲିଚିଂ ପକାଯାଉନି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ ।  ଖବରପାଇ ଜିଲ୍ଲା ମହାମାରୀ ବିଜ୍ଞାନୀ  ଡା.ଶିଳ୍ପୀ ଦାସ, ଅଣୁ ବିଜ୍ଞାନୀ ଡା.ଶାଶ୍ୱତ  ଶତପଥୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର  ଭାରପ୍ରାପ୍ତ ଅଧିକାରୀ ଡା.କ୍ଷମାନିଧି  ସେଠୀ ଓ ମେଡିକାଲ ଟିମ୍‌ ଗ୍ରାମକୁ ଆସି  ସ୍ଥିତି ଅନୁଧ୍ୟାନ କରିଥିଲେ । ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଘରଘର  ବୁଲି ଲୋକଙ୍କୁ ପଚାରି ବୁଝିଥିଲେ ।