PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ରାଜଧାନୀରେ କଙ୍ଗାରୁ କୋର୍ଟ: କମେଣ୍ଟ ମରାକୁ କେନ୍ଦ୍ର କରି ବାପା-ପୁଅଙ୍କୁ ଆଣ୍ଠେଇଲେ, ଲୋକଲଜ୍ଜା ଭୟରେ ଆତ୍ମହତ୍ୟା ଉଦ୍ୟମ କ​‌ଲେ ଯୁବକ

ଭୁବନେଶ୍ୱର,୦୯/୧୨: ଗାଁ ମଝିରେ ବସିଛି ସଭା । ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି । ଗହଳି ମଝିରେ ୩ ଜଣ ବ୍ୟକ୍ତି କାନ ଧରି ଆଣ୍ଠେଇଛନ୍ତି । ଇଏ କୌଣସି ଉପାନ୍ତ ଅଂଚଳର ଦୃଶ୍ୟ ନୁହେଁ । ଖୋଦ ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଥିବା ବରମୁଣ୍ଡା ଗାଁରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ । କମେଣ୍ଟ ମରାକୁ କେନ୍ଦ୍ର କରି ବରମୁଣ୍ଡା ଗାଁର ତଥାକଥିତ ‘ମୋରାଲ ପୋଲିସିଂ’ର ରକ୍ଷକ ବୋଲାଉଥିବା ବ୍ୟକ୍ତିମାନେ ବାପା-ପୁଅ ଓ ପୁଅର ସାଙ୍ଗଙ୍କୁ ଗାଁ ଦାଣ୍ଡରେ ଦଣ୍ଡ ଦେଇଛନ୍ତି । ଖାଲି ସେତିକି ନୁହେଁ ଏହି ଦୃଶ୍ୟକୁ ସୋସିଆଲ ମିଡିଆ(ଫେସ୍‌ବୁକ୍‌)ରେ ଲାଇଭ୍‌ ମଧ୍ୟ କରିଛନ୍ତି । ଲୋକ ଲଜ୍ଜା ଭୟରେ ଜଣେ ଯୁବକ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।

ଘଟଣାରୁ ପ୍ରକାଶ, ଦୁଇ ସାଙ୍ଗ ବାଇକ୍‌ ନେଇ ବରମୁଣ୍ଡା ଅଞ୍ଚଳକୁ ଆସିଥିଲେ । କୌଣସି କଥାକୁ ନେଇ ବରମୁଣ୍ଡାର କିଛି ପିଲାଙ୍କୁ ଏହି ଦୁଇ ସାଙ୍ଗ କମେଣ୍ଟ ମାରିଥିଲେ । ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ଏହାପରେ ଦୁଇ ସାଙ୍ଗଙ୍କୁ କାବୁ କରି ନେଇଥିଲେ ସ୍ଥାନୀୟ ଲୋକ । ପୁଲିସକୁ ନ ଜଣାଇ ଜଣେ ବ୍ୟକ୍ତି ଯୁବକଙ୍କ ବାପାଙ୍କୁ ଫୋନ୍‌ କରି ଘଟଣା ସ୍ଥଳକୁ ଡାକିଥିଲେ । ଯୁବକଙ୍କ ବାପା ଆସିବା ପରେ ୩ ଜଣଙ୍କୁ ଆଣ୍ଠେଇ ଦେଇଥିଲେ ଲୋକମାନେ । କିଛି ସମୟରେ ପରେ ପାଲମଣ୍ଡପରେ ବସିଥିଲା କଙ୍ଗାରୁ କୋର୍ଟ । ଶହ ଶହ ଲୋକ ଏକାଠି ହୋଇଥିଲା । ଆରମ୍ଭ ହୋଇଥିଲା ବିଚାର । ସେମାନଙ୍କୁ କି ପ୍ରକାର ଦଣ୍ଡ ଦିଆଯିବ ସେ ନେଇ ଆଲୋଚନା ଚାଲିଥିଲା । ଘଟଣାକୁ କିଛି ଲୋକ ଫେସ୍‌ବୁକ୍‌ରେ ଲାଇଭ୍‌ କରିଥିଲେ । କିଏ କହୁଥାଏ ଗାଡି ପୋଡି ଦିଅ… ପୁଣି କିଏ କହୁଥାଏ ଲଣ୍ଡା କରି ଚୂନ କଳା ବୋଳିବାକୁ । ଦୀର୍ଘ ଦୁଇ ଘଣ୍ଟା ଏମିତି ନିର୍ଯାତନା ଚାଲିଥିଲା । ଶେଷରେ ଦୁଇ ଯୁବକଙ୍କ ସହ ଭୁଲ ମାଗିଥିଲେ ବାପା ଜଣଙ୍କ । ଏତିକିରେ କଥା ଛିଡି ନଥିଲା। ଲିଖିତ ଆକାରରେ ମଧ୍ୟ ଭୁଲ ମଗାଇଥିଲେ କଙ୍ଗାରୁ କୋର୍ଟ ବସାଇଥିବା ଏହି ବ୍ୟକ୍ତିମାନେ ।

କଙ୍ଗାରୁ କୋର୍ଟର ଦଣ୍ଡ ବିଧାନ ପରେ ବାପା-ପୁଅ ଓ ପୁଅର ସାଙ୍ଗ ଘରକୁ ଫେରିଥିଲେ । ଘରେ ପହଞ୍ଚିଲା ବେଳକୁ ସୋସିଆଲ୍‌ ମିଡିଆରେ ବାପାଙ୍କ ସହ ଆଣ୍ଠେଇବା ଭିଡିଓ ଦେଖି ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ଯୁବକ ଜଣଙ୍କ । ଲୋକ ଲଜ୍ଜା ଭୟରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଫିନାଇଲ୍‌ ପିଇ ଦେଇଥିଲେ । ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ବରମୁଣ୍ଡା ଅଞ୍ଚଳର କିଛି ଭଦ୍ରବ୍ୟକ୍ତି ଘଟଣା ବିଷୟରେ ପୁଲିସ୍‌କୁ ଜଣାଇଥିଲେ । ପୁଲିସ୍‌ ଘଟଣାର ସତ୍ୟାସତ୍ୟ ନେଇ ତଦନ୍ତ କରୁଛି । ଯେଉଁମାନେ ଏମିତି କାଣ୍ଡ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠ ନିଆଯିବ ବୋଲି ପୁଲିସ୍‌ କହିଛି ।