ଯଶିପୁର, ୧୩/୦୯: ପରକିୟା ପ୍ରୀତି ସନ୍ଦେହରେ କଙ୍ଗାରୁ କୋର୍ଟ । ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଅମାନୁଷିକ ଭାବେ ନିସ୍ତୁକ ପିଟିଲେ ଗାଁ ଲୋକେ ।ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ବେଗୁନିଆ ଗାଁରେ ଏଭଳି ଅମାନବୀୟ ଘଟଣା ଘଟିଛି ।

ସୂଚନା ମୁତାବକ, ଶୁକ୍ରବାର ମହିଳା ଜଣକ ହାଟରୁ କିଛି ଜିନିଷ କିଣିବା ପାଇଁ ଯାଇଥିଲେ । ସଉଦା କରିବାରେ ସାହାଯ୍ୟ କରିବା ପାଇଁ ନିକଟସ୍ଥ କାଶୀପାଳ ଗାଁର ଦୁଇଜଣ ସମ୍ପର୍କୀୟ ଦିଅରଙ୍କୁ ଡାକି ଯଶିପୁର ଆସିଥିଲେ । ବଜାରରୁ ଅପରାହ୍ନ ୪ ଟା ସମୟରେ ଏକ ବାଇକ ଯୋଗେ ନିଜ ଗାଁକୁ ଫେରି ଆସିଥିଲେ । ଦୁଇ ଯୁବକଙ୍କ ସହ ମହିଳାଙ୍କୁ ଦେଖି ହଠାତ ମହିଳାଙ୍କ ପରିବାର ଲୋକଙ୍କ ସହ ଗାଁ ଲୋକେ ସେମାନଙ୍କୁ ଗାଁ ଛକରୁ ବାଡିଆପିଟା ଆରମ୍ଭ କରିଥିଲେ । ନିକଟସ୍ଥ ଏକ ପଡିଆରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ତିନି ଜଣଙ୍କୁ ବାନ୍ଧି ବିଧା ଗୋଇଠା ସହ ଠେଙ୍ଗା, ବାଡ଼ି ଏବଂ ଚପଲରେ ନିସ୍ତୁକ ପିଟିଥିଲେ । ଏସମ୍ପର୍କରେ ଖବର ପାଇ ସନ୍ଧ୍ୟା ସମୟରେ ଯଶିପୁର ପୁଲିସ ଲୋକଙ୍କ ଠାରୁ ସେମାନଙ୍କୁ ଉଦ୍ଧାର କରି ଯଶିପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରିବା ସହ ଦୁଇଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଯଶିପୁର ପୁଲିସ ।