ନୂଆଦିଲ୍ଲୀ ୧୮/୦୮: ‘ବେବି ଡଲ୍’, ‘ଚିଟ୍ଟିୟାଁ କଲାଇୟାଁ’ ଭଳି ହିଟ୍ ଗୀତର ଗାୟିକା କନିକା କପୁର ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତ ଚେହେରା । ନିକଟରେ ଏକ ସାକ୍ଷାତକାରରେ ସେ ବଲିଉଡ୍ର ନିଚ୍ଛକ ସତ୍ୟ ସଂପର୍କରେ ପ୍ରକାଶ କରିଛନ୍ତି । କାହାର ନାମ ନ ନେଇ କନିକା କହିଛନ୍ତି, ଇଣ୍ଡଷ୍ଟ୍ରିର ଅଧିକାଂଶ ଗାୟକଙ୍କୁ ସେମାନଙ୍କ ଗୀତ ଲାଗି ଉପଯୁକ୍ତ ପାରିଶ୍ରମିକ ମିଳେନାହିଁ । ଏହା ବଦଳରେ ସେମାନଙ୍କୁ ଅଳ୍ପ କିଛି ଟଙ୍କାର ଏକ ଟୋକନ୍ ଅର୍ଥ ଦିଆଯାଇଥାଏ । ତାହା ୧୦୧ ଟଙ୍କା ବି ହୋଇପାରେ । ପ୍ରମାଣ ସ୍ୱରୂପ ସେ ତାଙ୍କ ନିକଟରେ ରହିଥିବା ସବୁ କଣ୍ଟ୍ରାକ୍ଟକୁ ଦେଖାଇ ପାରିବେ । ସେଥିରେ ତାଙ୍କୁ ୧୦୧ ଟଙ୍କା ଲେଖାଏଁ ହିଁ ମିଳିଛି ।
ଅନ୍ୟପଟେ ଏତେ କମ୍ ପାରିଶ୍ରମିକ ମିଳିବା ସତ୍ତେ୍ୱ ଇଣ୍ଡଷ୍ଟ୍ରିର ଲୋକେ ଗାୟକଙ୍କୁ ଦୟା ଦେଖାଇବା ଭଳି ବ୍ୟବହାର ପ୍ରଦର୍ଶନ କରୁଥିବା ସେ ଅଭିଯୋଗ ଆଣିଛନ୍ତି । କନିକା ଆହୁରି କହିଛନ୍ତି ଯେ, ଗାୟକମାନେ ଲାଇଭ୍ ଶୋ’ ମାଧ୍ୟମରେ ହିଁ ଟଙ୍କା ରୋଜଗାର କରିଥାନ୍ତି । ଯେବେଯାଏ ଗଳା ଭଲ ଅଛି, ଲୋକେ ଆପଣଙ୍କ ସ୍ୱରକୁ ପସନ୍ଦ କରୁଛନ୍ତି, ସେବେଯାଏ ଆପଣ ଲାଇଭ୍ ଶୋ’ ମାଧ୍ୟମରେ ଅର୍ଥ ଉପାର୍ଜନ କରିପାରିବେ । ଯଦି ଦୁର୍ଭାଗ୍ୟକୁ କୌଣସି ଅଘଟଣ ଘଟିଲା ତେବେ ଆମ ଦେଶରେ ଗାୟକଙ୍କ ଲାଗି କୌଣସି ପ୍ରକାର ପେନସନ୍ କିମ୍ବା ଦୀର୍ଘକାଳୀନ ଆର୍ଥିକ ସହାୟତାର ବ୍ୟବସ୍ଥା ନଥିବା ସେ ଦର୍ଶାଇଛନ୍ତି ।