ନୂଆଦିଲ୍ଲୀ,୧୭/୧୨: ଝିଅର ହେପାଜତ ନିଜ ହାତକୁ ନେବାକୁ ପୂର୍ବତନ ସ୍ତ୍ରୀଙ୍କ ଅପହରଣ କରିଛନ୍ତି ଜଣେ ସ୍ୱାମୀ । କର୍ଣ୍ଣାଟକର ବେଙ୍ଗାଲୁରୁରେ ଏପରି ଘଟଣା ସାମ୍‌ନାକୁ ଆସିଛି । ଅପହରଣ ହୋଇଥିବା କନ୍ନଡ଼ ଅଭିନେତ୍ରୀ ଚିତ୍ରା ଆର୍‌ଙ୍କ ଭଉଣୀ କରିଥିବା ଅଭିଯୋଗ ଅନୁସାରେ, ଗତ ୭/୮ ମାସ ତଳେ ପାରିବାରିକ ବିବାଦ ଯୋଗୁ ଚିତ୍ରା ଏବଂ ତାଙ୍କ ସ୍ୱାମୀ ହର୍ଷବର୍ଦ୍ଧନ ଅଲଗା ହୋଇଯାଇଥିଲେ । ଉଭୟେ ୨୦୨୩ରେ ବିବାହ କରିଥିଲେ । ପରେ ଫିଲ୍ମ ପ୍ରଯୋଜକ ଥିବା ହର୍ଷବର୍ଦ୍ଧନ ହାସନ ପଳାଇଥିବାବେଳେ ଚିତ୍ରା ତାଙ୍କ ୧ ବର୍ଷୀୟ ଝିଅ ସହ ମଗରଦି ରୋଡ୍‌ରେ ଏକ ଭଡ଼ା ଘରେ ରହୁଥିଲେ ।

 ଉଭୟେ ଅଲଗା ହେବା ପରେ ଚିତ୍ରା ସିରିଏଲରେ କାମ କରିବା ଜାରି ରଖିଥିଲେ । ଗତ ୭ ତାରିଖରେ ଚିତ୍ରା ମହୀଶୂରକୁ ଏକ ସୁଟିଂ ପାଇଁ ଯାଉଥିବା ଘରେ ଜଣାଇଥିଲେ । କିନ୍ତୁ ଏହା ହର୍ଷବର୍ଦ୍ଧନଙ୍କ ଯୋଜନା ଥିଲା । ଅଭିଯୋଗ ଅନୁସାରେ, ହର୍ଷବର୍ଦ୍ଧନ ଚିତ୍ରାଙ୍କ ସହଯୋଗୀ କୌଶିକଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେଇ ଚିତ୍ରାଙ୍କୁ ମହୀଶୂର ରୋଡ୍‌ ମେଟ୍ରୋ ଷ୍ଟେସନ ନିକଟକୁ ସକାଳ ପ୍ରାୟ ୮ଟାରେ ଡକାଇଥିଲେ । ଚିତ୍ରା ସେଠାରେ ପହଞ୍ଚିବା ପରେ ତାଙ୍କୁ ଜୋର ଜବରଦସ୍ତି ଏକ କାର୍‌ରେ ଏନ୍‌ଆଇସିଇ ରୋଡ୍‌ ଏବହ ବିଦାଡି ରୋଡ୍‌ ଦେଇ ନିଆଯାଇଥିଲା । ସକାଳ ପ୍ରାୟ ସାଢ଼େ ୧୦ଟାରେ ଚିତ୍ରା କୌଣସି ମତେ ତାଙ୍କର ଜଣେ ବନ୍ଧୁ ଗିରିଶଙ୍କୁ ଏକ ଆଲର୍ଟ ମେସେଜ ପଠାଇଥିଲେ । ପରେ ଗିରିଶ ଏ ନେଇ ଚିତ୍ରାଙ୍କ ଘରେ ଜଣାଇଥିଲେ । ସନ୍ଧ୍ୟାରେ ହର୍ଷବର୍ଦ୍ଧନ ଚିତ୍ରାଙ୍କ ମା’ଙ୍କୁ ଫୋନ୍‌ କରି ଅପହରଣ ବାବଦରେ ଜଣାଇବା ସହ ତାଙ୍କ ଝିଅକୁ ଏକ ଠିକଣାକୁ ଆଣି ଆସିବାକୁ କହିଥିଲେ । ନଚେତ ସେ ଚିତ୍ରାଙ୍କୁ ଛାଡ଼ିବେନି ବୋଲି ଧମକ ଦେଇଥିଲେ । ଅଭିଯୋଗ ପାଇ ପୁଲିସ ହର୍ଷବର୍ଦ୍ଧନଙ୍କ ନାଁରେ ଏକ ମାମଲା ରୁଜୁ କରି ଅଭିନେତ୍ରୀଙ୍କ ସନ୍ଧାନ ଜାରି ରଖିଛି ।