ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣି ଥରେ ଭାଷକୁ ନେଇ ବିବାଦ ହୋଇଛି । ଏହି ବିବାଦରେ ସଧାସଳଖ ସାମିଲ ହୋଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ଫଳରେ କନ୍ନଡ ଭାଷା କହିବାକୁ ମନା କରିଥିବା ଜଣେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କୁ ଏଥିପାଇଁ କ୍ଷମା ମାଗିବାକୁ ପଡ଼ିଛି । କେବଳ ସେତିକ ନୁହେଁ, ସଂପୃକ୍ତ ମ୍ୟାନେଜରଙ୍କୁ ବଦଳି କରିଦିଆଯାଇଛି । କର୍ଣ୍ଣାଟକରେ ପୁଣି ଥରେ ହିନ୍ଦୀ ବନାମ କନ୍ନଡ ବିବାଦ ଆରମ୍ଭ ହୋଇଯାଇଛି । 

ସୂଚନା ଅନୁସାରେ, ବେଙ୍ଗାଲୁରୁର ଚନ୍ଦାପୁର‌ରେ ଥିବା ଏସବିଆଇ ବ୍ୟାଙ୍କରେ କାର୍ଯ୍ୟରତ ମହିଳା ମ୍ୟାନେଜରଙ୍କୁ  ଜଣେ ଗ୍ରାହକ କନ୍ନଡରେ କଥା ହେବାକୁ କହିଥିଲେ  । କିନ୍ତୁ ସେ କନ୍ନଡରେ କଥା ହେବାକୁ ମନା କରି ଦେଇଥିଲେ ଏବଂ ହିନ୍ଦୀରେ କହିଥିଲେ  । ଗ୍ରାହକ କହିଥିଲେ, ଏହା କର୍ଣ୍ଣାଟକ ଏଠି କନ୍ନଡ ଭାଷା କହିବକୁ ପଡ଼ିବ । ଜବାବରେ ବ୍ୟାଙ୍କ ମ୍ୟାନେଜର କହିଥିଲେ, ଏହା ଇଣ୍ଡିଆ ମୁଁ ହିନ୍ଦୀ କହିବି, କନ୍ନଡ କହିବିନି । ଏହା ପରେ ମ୍ୟାନେଜରଙ୍କ ଏଭଳି ବ୍ୟବହାରକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଥିଲେ । 




ତାଙ୍କର କହିବା କଥା ଥିଲା ଯେ, ମ୍ୟାନେଜର କନ୍ନଡ ଜାଣି ନଥିଲେ ବି କହିବାକୁ ଚେଷ୍ଟା କରିପାରିଥାନ୍ତେ । ତେବେ ଏ ସମସ୍ତ ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ବ୍ୟାଙ୍କ ମ୍ୟାନେଜରଙ୍କ ଭିଡିଓ ଭାଇରାଲ୍‌ ହେବା ପରେ କନ୍ନଡ ସମର୍ଥିତ ଗୋଷ୍ଠୀ ତାଙ୍କୁ ସମାଲୋଚନା କରିଥିଲେ । ବିବାଦ ଉଗ୍ର ରୂପ ଧାରଣ କରିବା ପରେ  ଭିଡିଓ କରି କନ୍ନଡ ଭାଷାରେ କ୍ଷମା ପ୍ରାର୍ଥନା କରିଛନ୍ତି ମହିଳା ବ୍ୟାଙ୍କ ମ୍ୟାନେଜର । ସେପଟେ ତାଙ୍କୁ ବ୍ୟାଙ୍କର ଅନ୍ୟ ଏକ ଶାଖାକୁ ବଦଳି କରିଦିଆଯାଇଛି ବୋଲି ଖୋଦ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । 

 ବ୍ୟାଙ୍କ ମଧ୍ୟ ସଂପୃକ୍ତ ମ୍ୟାନେଜରଙ୍କ କାର୍ଯ୍ୟକୁ ନାପସନ୍ଦ କରିଛି ।  ଗ୍ରାହକଙ୍କ ଭାବନାକୁ ଆଘାତ ଦେଲା ଭଳି ବ୍ୟବହାରକୁ ସହ୍ୟ କରାଯିବନି ବୋଲି ଏସବିଆଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବ୍ୟାଙ୍କ ମ୍ୟାନଜରଙ୍କୁ ସମାଲୋଚନା କରିଛନ୍ତି । ଏପରିକି ବ୍ୟାଙ୍କର କୌଣସି କର୍ମଚାରୀ ଏଭଳି ବ୍ୟବହାର ନକରିବା ଦରକାର ବୋଲି ସେ କହିଛନ୍ତି । ଆଞ୍ଚଳିକ ଭାଷାରେ କଥା ହେବାକୁ ଯଥାସମ୍ଭବ ଚେଷ୍ଟା କରିବାକୁ ସେ ବ୍ୟାଙ୍କର କର୍ମଚାରୀଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ।