ସୌରାଷ୍ଟ୍ର-କର୍ଣ୍ଣାଟକ, ବିଦର୍ଭ-କେରଳ ସେମି ଫାଇନାଲ୍

ମୁମ୍ବାଇ, ୧୯ା୧(ଏଜେନ୍ସି): ଚଳିତ ରଣଜୀ ଟ୍ରଫିର ସେମି ଫାଇନାଲ୍ ଲାଇନ ଅପ୍ ଚୂଡ଼ାନ୍ତ ହୋଇଛି । ପୂର୍ବରୁ କେରଳ ଓ କର୍ଣ୍ଣାଟକ ସେମି ଫାଇନାଲକୁ ଉନ୍ନୀତ ହୋଇ ସାରିଥିଲେ । ପଞ୍ଚମ ଦିବସରେ ସୌରାଷ୍ଟ୍ର ଓ ବିଦର୍ଭ ଯଥାକ୍ରମେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡକୁ ହରାଇ ସେମିରେ ସ୍ଥାନ ପକ୍କା କରିଛନ୍ତି । ରଣଜୀ ଟ୍ରଫି ଇତିହାସରେ ସୌରାଷ୍ଟ୍ର ସର୍ବ ବୃହତ୍ ବିଜୟ ଲକ୍ଷ୍ୟର ପିଛା କରି ଜିତିବାରେ ରେକର୍ଡ ସ୍ଥାପନ କରିଛି ।
ଦେଶାଇଙ୍କ ମ୍ୟାଚ୍ ବିଜୟୀ ଶତକ : ଉତ୍ତର ପ୍ରଦେଶ ବିପକ୍ଷରେ ସୌରାଷ୍ଟ୍ର ୬ ୱିକେଟ୍ରେ ବିଜୟ ହାସଲ କରିଥିଲା । ହାର୍ଭିକ ଦେଶାଇଙ୍କ ଶତକ, ଚେତେଶ୍ୱର ପୂଜାରା ଓ ସେଲଡନ୍ ଜାକ୍ସନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ସୌରାଷ୍ଟ୍ର ୩୭୨ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ହାସଲ କରି ୧୦ବର୍ଷ ତଳର ରେକର୍ଡ ଭାଙ୍ଗିଥିଲା । ଶେଷ ଥର ପାଇଁ ୨୦୦୮/୦୯ ସିଜିନ୍ରେ ସର୍ଭିସେସ୍ ବିପକ୍ଷରେ ଆସାମ ୩୭୧ ରନ୍ର ବିଜୟ ଲକ୍ଷ୍ୟର ପିଛା କରି ବିଜୟୀ ହୋଇଥିଲା । ଉତ୍ତର ପ୍ରଦେଶ ପ୍ରଥମ ଇନିଂସରେ ୩୮୫ ରନ୍ ସଂଗ୍ରହ କରିଥିଲା । ଜବାବରେ ସୌରାଷ୍ଟ୍ର ପ୍ରଥମ ଇନିଂସରେ ୨୦୮ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ୧୭୭ ରନ୍ରେ ପ୍ରଥମ ଇନିଂସ ଆଗୁଆ ଥାଇ ଉତ୍ତର ପ୍ରଦେଶ ଦ୍ୱିତୀୟ ଇନିଂସରେ ୧୯୪ ରନ୍ ସଂଗ୍ରହ କରିବା ସହ ମୋଟ୍ ୩୭୧ରନ୍ରେ ଅଗ୍ରଣୀ ହାସଲ କରିଥିଲା । ୩୭୨ ରନ୍ର ବିଜୟ ଲକ୍ଷ୍ୟକୁ ସୌରାଷ୍ଟ୍ର ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା । ଦେଶାଇ ୧୧୬, ଏସଏସ ପଟେଏ ୭୨, ପୂଜାରା ଅପରାଜିତ ୬୭ ଓ ଜାକ୍ସନ ଅପରାଜିତ ୭୩ ରନ୍ କରିଥିଲେ ।
ବିଦର୍ଭର ଇନିଂସ ବିଜୟ: ଉତ୍ତରାଖଣ୍ଡ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ୍ ବିଦର୍ଭ ଇନିଂସ ଓ ୧୧୫ ରନ୍ରେ ବିଜୟ ହାସଲ କରିଥିଲା । ଉତ୍ତରାଖଣ୍ଡର ପ୍ରଥମ ଇନିଂସ ୩୫୫ ରନ ଜବାବରେ ବିଦର୍ଭ ପ୍ରଥମ ଇନିଂସରେ ୬୨୯ ରନ୍ ସଂଗ୍ରହ କରିଥିଲା । ୨୭୪ ରନ୍ ପଛରେ ଥାଇ ଉତ୍ତରାଖଣ୍ଡ ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ଉମେଶ ଯାଦବଙ୍କ ଘାତକ ବୋଲିଂର ସାମ୍ନା କରିପାରି ନଥିଲା । ଦଳ ମାତ୍ର ୧୫୯ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା । ଉମେଶ ୯(୪୍ମ୫)ଟି ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।