ନୂଆଦିଲ୍ଲୀ: କର୍ଣ୍ଣାଟକ ନାଟକରେ ପଡୁନି ଯବନିକା। କଂଗ୍ରେସ ସରକାରଙ୍କ ନେତୃତ୍ୱକୁ ନେଇ ପ୍ରିତିଦିନ ନୂଆ ନୂଆ ଟ୍ବିଷ୍ଟ ଆସିବାରେ ଲାଗିଛି। ମାନେ, କାହା ପାଖରେ ରହିବ କ୍ଷମତାର ଚୌକି, ସେ ନେଇ ବିବାଦ ଜାରି ରହିଛି । ଆଉ ଏହାରି ଭିତରେ ଆଜି (ମଙ୍ଗଳବାର) ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ କାରରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଏକାଠି ବସିଥିବା ଦେଖିବାକୁ ମିଳିଥିଲା ।

କଂଗ୍ରେସ ଅଧ୍ୟକ୍ଷ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ସେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ କର୍ଣ୍ଣାଟକ କଂଗ୍ରେସର ଚାଲିଥିବା ସଙ୍କଟ ବିଷୟରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ରବିବାର ଦିନ ଖାର୍ଗେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଭେଟି ଦୀର୍ଘ ସମୟ ଆଲୋଚନା କରିଥିଲେ।

ତେବେ, ଯେତେବେଳେ ଶିବ କୁମାରଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିଥିଲା ଯେ, ସେ ବେଙ୍ଗାଲୁରୁରେ ଥିବା ସମୟରେ ଖାର୍ଗେଙ୍କୁ କାହିଁକି ଭେଟି ନଥିଲେ ? ଏହାର ଉତ୍ତରରେ ସେ କହିଥିଲେ ଯେ,"ମୁଁ ଗତକାଲି ତାଙ୍କୁ ଦିଲ୍ଲୀରେ ଭେଟିଥିଲି। ତାଙ୍କୁ ବାରମ୍ବାର ଭେଟିବା କ'ଣ ଠିକ୍ ? ମୁଁ ତାଙ୍କୁ ହଇରାଣ କରିବାକୁ ଚାହୁଁନାହିଁ । ଯଦି ମୋତେ ତାଙ୍କୁ ଭେଟିବାକୁ ପଡ଼ିବ, ତେବେ ମୁଁ ତାଙ୍କ ଠାରୁ ସମୟ ନେବି।"

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଯିଏ ପୂର୍ବରୁ କହିଥିଲେ ଯେ ସେ ତାଙ୍କର ପୂର୍ଣ୍ଣ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିବେ, ଏବେ ବେଙ୍ଗାଲୁରୁରେ ଖାର୍ଗେଙ୍କୁ ଭେଟିବା ପରେ ତାଙ୍କର ମତ ନରମ ହୋଇଥିବା ପରି ମନେ ହେଉଛି । ପରେ ସେ କହିଛନ୍ତି ଯେ, ହାଇକମାଣ୍ଡ ଚାହିଁଲେ ହିଁ ସେ ମୁଖ୍ୟମନ୍ତ୍ରୀ ରହିବେ । ଯଦି ପରିବର୍ତ୍ତନ ହୁଏ, ତେବେ ଶିବକୁମାରଙ୍କ ପାଇଁ ଏହା ଲାଭଦାୟକ ହେବ ବୋଲି କୁହାଯାଉଛି ।