ନୂଆଦିଲ୍ଲୀ:ରାଜ୍ୟର ସରକାରୀ ସ୍କୁଲ ଏବଂ କଲେଜ କ୍ୟାମ୍ପସରେ ଚାଲିବନି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର କାର୍ଯ୍ୟକଳାପ। ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି କର୍ଣ୍ଣାଟକ ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରିୟାଙ୍କ ଖଡଗେ ଆଜି (ଗୁରୁବାର) କହିଛନ୍ତି ଯେ,କର୍ଣ୍ଣାଟକ କ୍ୟାବିନେଟ ଆରଏସଏସ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।
ମନ୍ତ୍ରୀ ପ୍ରିୟାଙ୍କ ଖଡଗେଙ୍କ ବୟାନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଥିଲେ ଯେ, ତାଙ୍କ ସରକାର କୌଣସି ସଂଗଠନ ଯେପରି ଜନସାଧାରଣଙ୍କୁ ଅସୁବିଧାରେ ନ ପକାଇବେ ତାହା ସୁନିଶ୍ଚିତ କରିବା ପାଇଁ ଉପାୟ ବିଚାର କରୁଛି। କ୍ୟାବିନେଟ ବୈଠକ ପରେ ପ୍ରିୟାଙ୍କ ଖଡଗେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି, "ଆମେ ଯେଉଁ ନିୟମ ପ୍ରଣୟନ କରିବାକୁ ଯାଉଛୁ ତାହା ସାର୍ବଜନୀନ ସ୍ଥାନ, ସରକାରୀ ସ୍କୁଲ, କଲେଜ, ସରକାରୀ କ୍ୟାମ୍ପସ, ସରକାରୀ ମାଲିକାନା ପ୍ରତିଷ୍ଠାନ ଏବଂ ଅନୁଦାନପ୍ରାପ୍ତ ପ୍ରତିଷ୍ଠାନ ସହିତ ଜଡିତ ହେବ। ଆମେ ଗୃହ ବିଭାଗ, ଆଇନ ବିଭାଗ ଏବଂ ଶିକ୍ଷା ବିଭାଗ ଦ୍ୱାରା ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଗୁଡ଼ିକୁ ଏକୀକୃତ କରି ନୂତନ ନିୟମ ପ୍ରଣୟନ କରିବୁ। ଏହି ନୂତନ ନିୟମ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଆଇନ ଏବଂ ସମ୍ବିଧାନର ଢାଞ୍ଚାରେ କାର୍ଯ୍ୟକାରୀ ହେବ।
କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟର ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ସ୍କୁଲ ଏବଂ କଲେଜ ଗୁଡ଼ିକରେ RSS କାର୍ଯ୍ୟକଳାପକୁ ନିଷେଧ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଖଡଗେ ଆହୁରି କହିଛନ୍ତି, "ଆମେ କୌଣସି ସଂଗଠନକୁ ନିୟନ୍ତ୍ରଣ କରିପାରିବୁ ନାହିଁ, କିନ୍ତୁ ଏବେ ଠାରୁ, କୌଣସି ସଂଗଠନ ସାର୍ବଜନୀନ ସ୍ଥାନରେ କିମ୍ବା ରାସ୍ତାରେ ନିଜ ଇଚ୍ଛାରେ କିଛି କରିପାରିବ ନାହିଁ। ଯଦି ଆପଣ କିଛି କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡିବ।"