ଭୁବନେଶ୍ଵର, ୨୦/୯ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ କାଶୀପୁର ଫରେଷ୍ଟ ରେଞ୍ଜର। ଅନ୍ତର୍ଯ୍ୟାମୀ ସାହୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ତାଙ୍କୁ ଜୟପୁରର ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ହାଜର କରାଯିବ।

ସୂଚନାନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଠିକଣାରେ ଗତକାଲି ଭିଜିଲାନ୍ସ ​​​​​​ଟିମ୍‌ ଚଢାଉ କରିଥିଲା। ଜୟପୁର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ୧୩ ଜଣିଆ ଟିମ୍ ରେଡ୍‌ରେ ସାମିଲ ଥିଲେ । ରେଡ୍ ବେଳେ ଅନ୍ତର୍ଯ୍ୟାମୀ ସାହୁଙ୍କ ନାଁରେ ୫ଟି କୋଠା ଏବଂ ୯ଟି ପ୍ଲଟ୍ ଠାବ ହୋଇଥିଲା । ଚଢ଼ାଉ ବେଳେ ଅନ୍ତର୍ଯ୍ୟାମୀ ସାହୁଙ୍କର ବାଲିଗୁଡ଼ା ଟାଉନରେ ମୋଟ୍ ୬ଟି ପ୍ଲଟ୍, ଯୋଗିଆପଲିରେ ଗୋଟିଏ, ବ୍ରହ୍ମପୁରରେ ୨ଟି ପ୍ଲଟ୍ ଥିବା ଜଣାପଡ଼ିଥିଲା। ଏହା ସହ ୨୬୩ ଗ୍ରାମର ସୁନା ଅଳଙ୍କାର, ୨୮ ଲକ୍ଷ ଟଙ୍କାର ଡିପୋଜିଟ୍ ଠାବ ହୋଇଥିଲା। ଏହାପରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଅନ୍ତର୍ଯ୍ୟାମୀ ସାହୁଙ୍କୁ ଗିରଫ କରିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।