ଖୁଡ଼ୀ ଏବଂ ୨ ଶିଶୁଙ୍କୁ ଘରେ ପୁରାଇ ନିଆଁ ଲଗାଇ ଦେଲା ପୁତୁରା

କାଶୀପୁର, ୨୫।୦୧ : ଖୁଡ଼ୀ ଏବଂ ଦୁଇ ଶିଶୁଙ୍କୁ ନିଆଁ ଲଗାଇ ପୋଡ଼ି ମାରିବାକୁ ଉଦ୍ୟମ କଲା ପୁତୁରା। କାଶୀପୁର ବ୍ଲକ ସଦର ସ୍ଥିତ ତୋଟା ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମବାସୀମାନେ ଘର ଭିତରୁ ମହିଳା ଓ ଦୁଇ ଶିଶୁଙ୍କୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, କାଶୀପୁର ବ୍ଲକ ସଦର ସ୍ଥିତ ତୋଟା ସାହିର ମଦନ ନାଏକ ଦାଦା ବୈରାଗୀ ନାଏକଙ୍କ ଘରକୁ ଯାଇ ତୁରନ୍ତ ଘର ନଛାଡ଼ିଲେ ଘରେ ନିଆଁ ଲଗାଇ ଦେବାକୁ ଧମକ ଦେଇଥିଲେ। ଏହି ସମୟରେ ବୈରାଗୀ ଘରେ ନଥିଲେ। ତାଙ୍କ ସ୍ତ୍ରୀ ସଞ୍ଜୁ ଏବଂ ୨ ଶିଶୁ ଥିଲେ। ଘର ଛାଡିବା ନେଇ ଖୁଡୀ ସଞ୍ଜୁ ଏବଂ ପୁତୁରା ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏଥିରେ ପୁତୁରା ମଦନ ନାଏକ ଉତ୍ତ୍ୟକ୍ତ ହୋଇ ଖୁଡୀ ସହିତ ଦୁଇ ଶିଶୁଙ୍କ ଉପରେ ପେଟ୍ରୋଲ ଢ଼ାଳି ଘରେ ନିଆଁ ଲଗାଇ ଦେଇଥିଲେ। ଗ୍ରାମବାସୀମାନେ ଘର ଭିତରେ ଥିବା ଦୁଇଶିଶୁଙ୍କ ସହିତ ମହିଳା ସଞ୍ଜୁ ନାଏକଙ୍କୁ ଉଦ୍ଧାର କରିବା ସହ ପାଣି ଢ଼ାଳି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ନିଆଁରେ ଘରର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଏହି ଘଟଣାରେ କାଶୀପୁର ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଘରେ ନିଆଁ ଲଗାଇବା ପରେ ମଦନ ନାଏକ ଫେରାର ଥିବାରୁ ଅଭିଯୁକ୍ତକୁ ପୁଲିସ ଖୋଜୁଥିବା ସୂଚନା ମିଳିଛି।