ନୂଆଦିଲ୍ଲୀ: କାନପୁର-ପ୍ରୟାଗରାଜ ରାଜପଥରେ ଆଜି (ଶୁକ୍ରବାର) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି। ଏକ ଦ୍ରୁତଗାମୀ ପିକଅପ୍ ଟ୍ରକ୍ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରଲରକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ, ପିକଅପ୍ ଟ୍ରକଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା, ଯାହା ଫଳରେ ଯାତ୍ରୀ ମାନେ ଏଣେତେଣେ ପଡିଥିଲେ। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ, ତିନି ଜଣ ମହିଳା ଏବଂ ଦୁଇଜଣ ପୁରୁଷ ଅଛନ୍ତି।
ସୂଚନା ଅନୁଯାୟୀ, ପିକଅପ୍ଟି ମହିଳା ଏବଂ ଶିଶୁ ସମେତ ପ୍ରାୟ ୨୫ ଜଣଙ୍କୁ ନେଇ ଯାଉଥିଲା। ସେମାନେ ସମସ୍ତେ ଫତେହପୁର ଜିଲ୍ଲାର ମାଲୱାନ ଅଞ୍ଚଳର ବାରୋଖର ଗାଁର ବାସିନ୍ଦା। ସେମାନେ ରାମନବମୀ ଅବସରରେ ଏକ ଶିଶୁର ମୁଣ୍ଡନ ଉତ୍ସବ କରିବାକୁ ପ୍ରୟାଗରାଜ ଆସିଥିଲେ। ସଙ୍ଗମରେ ସ୍ନାନ ଏବଂ ମୁଣ୍ଡନ ଉତ୍ସବ କରିବା ପରେ, ସେମାନେ ପିକଅପ୍ ଟ୍ରକରେ ଫତେପୁର ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଅପରାହ୍ନ ପ୍ରାୟ ୩:୪୫ ସମୟରେ ଏହି ଘଟଣା ଘଟିଛି ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଏକ ଆତଙ୍କ ସୃଷ୍ଟି ହୋଇଥିଲା। ରାସ୍ତାରେ ଆହତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ସାହାଯ୍ୟ ପାଇଁ ଦୌଡ଼ି ଆସିଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ମାନଙ୍କୁ ଡାକ୍ତରଖାନା ନେବା ପାଇଁ ଚାରୋଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା। ଡାକ୍ତରଖାନା ନେବା ସମୟରେ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା, ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି। ଏହି ଦୁର୍ଘଟଣା ଯୋଗୁଁ ରାଜପଥରେ କିଛି ସମୟ ପାଇଁ ଟ୍ରାଫିକ ଜାମ୍ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛି ।