ବିଜେପିର ବୈଠକକୁ ନେଇ ଟିଆରଏସର ଶକ୍ତିପ୍ରଦର୍ଶନ; ହାଇଦ୍ରାବାଦରେ ଯଶଓ୍ବନ୍ତ ଜିହ୍ନାଙ୍କୁ ସ୍ବାଗତ କଲେ ରାଓ

Pic Credit : The Hindu
ହାଇଦ୍ରାବାଦ,୦୨/୦୭: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଆଜି ଦୁଇ ଦୁଇଟି ବିରାଟ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିବ। ହାଇଦ୍ରାବାଦରେ ଯେଉଁଠି ବିଜେପି ତାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଦୁଇଟି ବୈଠକ କରୁଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହେବେ, ସେଇଠି ଶାସକ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ବା ଟିଆରଏସ୍, ରାଷ୍ଟ୍ରପତି ନିର୍ବାଚନ ପାଇଁ ବିପକ୍ଷ ଆଶାୟୀ ଯଶଓ୍ବନ୍ତ ସିହ୍ନାଙ୍କୁ ସମର୍ଥନ କରି ଏକ ରାଲିର ଆୟୋଜନ କରିଛି।
ଯଶଓ୍ବନ୍ତ ସିହ୍ନାଙ୍କୁ ସ୍ବାଗତ କରିଛନ୍ତି ଟିଆରଏସ ଅଧ୍ୟକ୍ଷ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ। ସିହ୍ନା ପ୍ରଧାନମନ୍ତ୍ରୀ ଆସିବାର କିଛି ଘଣ୍ଟା ପୂର୍ବରୁ ବେଗମପେଟ୍ ବିମାନବନ୍ଦରରେ ପହଞ୍ଚିଥିଲେ। ସିହ୍ନା ପହଞ୍ଚିବା ପରେ ଜଳ ବିହାର ପର୍ଯ୍ୟନ୍ତ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବରେ ଏକ ବାଇକ ରାଲି କରାଯାଇଥିଲା। ଜଳବିହାରରେ ସିହ୍ନାଙ୍କ ସମର୍ଥକ ମାନଙ୍କ ସହିତ ଏକ ବୈଠକ ଆୟୋଜନ କରାଯାଇଛି। ଯଶଓ୍ବନ୍ତ ସିହ୍ନା ୧୮ ଜୁଲାଇରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ନେବା ପାଇଁ ଏଆଇଏମଆଇଏମ ନେତାଙ୍କ ସହିତ ଅଲଗା ଅଲଗା ଦେଖା କରିବେ। ତେବେ ସିହ୍ନାଙ୍କ ଗସ୍ତକୁ ନେଇ ହାଇଦ୍ରାବାଦର ସବୁ ଛକ ମାନଙ୍କରେ ତାଙ୍କର ପୋଷ୍ଟର ଲଗାଯାଇଛି। ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ମଧ୍ୟ ସହର ସାରା ପୋଷ୍ଟର ବ୍ୟାନର ଲଗାଯାଇଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତ ଛଅ ମାସ ମଧ୍ୟରେ ତୃତୀୟ ଥର ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରୁ ସ୍ବାଗତ କରିବାର ପ୍ରୋଟକଲ ଭାଙ୍ଗିଛନ୍ତି କେ.ସି.ରାଓ ସରକାର। ଏହା ପୂର୍ବରୁ ମେ‘ ମାସରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜନେସର ୨୦ତମ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ, ସେତେବଳେ ରାଓ ବାଙ୍ଗାଲୋର ଚାଲିଯାଇଥିଲେ। ରାଓ ଫେବୃଆରୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରୁ ବଞ୍ଚିତ ରହିଲେ, କାରଣ ସେହି ସମୟରେ ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟିର ଉଦ୍ଘାଟନ କରିବାକୁ ହାଇଦ୍ରାବାଦ ଆସିଥିଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।