ଫିରିଙ୍ଗିଆ, ୨୮/୫: କନ୍ଧମାଳ ଜିଲାରେ ଗତ କିଛିଦିନ ହେବ ଅଧକାଂଶ ସ୍ଥାନରେ ବର୍ଷା ସାଙ୍ଗକୁ ଘଡଘଡି ଏବଂ ପ୍ରବଳ ପବନ ବହୁଛି। ତେବେ ଏହି ଲଗାଣ ବର୍ଷାରେ ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଡାଙ୍ଗାଣାମ ଗାଁ ନିକଟରେ ଥିବା କୁଚେଣ୍ଡି ନାଳର କାଠ ପୋଲ ଧୋଇ ହୋଇ ଯାଇଛି। ଯାହା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ୨ଟି ୱାର୍ଡର ୮ରୁ ଉର୍ଦ୍ଧ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି l ଏହି ସମୂହ ୮ ଖଣ୍ଡ ଗ୍ରାମବାସୀ ଚାନ୍ଦା କରି ଏବଂ ଶ୍ରମ ଦାନ କରି ପ୍ରତିବର୍ଷ ଏହି ନାଳରେ କାଠ ପୋଲ ନିର୍ମାଣ କରୁଛନ୍ତି। କିନ୍ତୁ ପ୍ରତିବର୍ଷ ବର୍ଷା ଦିନ ଆସିଲେ କାଠ ପୋଲ ଧୋଇ ହେବା ଦ୍ୱାରା ଯୋଗାଯୋଗ ବିଛିନ୍ନ ହେବା ସହ ଯାତାୟତ ବାଧାପ୍ରାପ୍ତ ହେଉଛି। ଯେଉଁଥିପାଇଁ ଜରୁରୀ ପରିସ୍ଥିତିରେ ମେଡିକାଲ କିମ୍ବା ଅନ୍ୟ ସମସ୍ୟାରେ ଅସୁବିଧା ହେଉଥିବା ବେଳେ ପୂର୍ବରୁ ସ୍ୱାସ୍ଥ୍ୟସେବା ନପାଇ ଅସହାୟ ଜନସାଧାରଣ ମୃତ୍ୟୁ ମୁଖରେ ପଡ଼ିଥିବା ଭଳି ନଜିର ରହିଛି l 

ଏହି କେଡି ଯୋଡ଼ି ନାଳରେ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଅଞ୍ଚଳବାସୀ ପ୍ରଶାସନକୁ ଗୁହାରି କରିବା ସହ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, କନ୍ଧମାଳ ଜିଲ୍ଲାପାଳ ଏବଂ ଏମିତିକି ମୁଖ୍ୟ ମନ୍ତ୍ରୀଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ l ବର୍ତ୍ତମାନ ଲୁଇସିଂ ପଞ୍ଚାୟତର ୨ଟି ୱାର୍ଡର ଉପର ଡାଙ୍ଗାଣାମ, ତଳ ଡାଙ୍ଗାଣାମ, ଲାକାଶ୍ରୀ, ବୁଗେରୀ ମାସ୍କା, ମାନ ପଦର, କଟଡି ସିଲା, ଟୁକୁ ପଦର ଭଳି ଆଠଟି ଗାଁର ଲୋକଙ୍କ ଯୋଗାଯୋଗ ବିଛିନ୍ନ ହେବା ସହ ଯାତାୟତରେ ବାଧାପ୍ରାପ୍ତ ହୋଇଛି l 

ଏହି ଘଟଣାକୁ ନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ଯୋଗାଯୋଗ କରିବାରୁ ପୂର୍ବରୁ ପୋଲ ନିର୍ମାଣ ପାଇଁ ଅଭିଯୋଗ କରିଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ତରଫରୁ ଲିଖିତ ଭାବରେ ଆମେ ଜିଲ୍ଲାପାଳଙ୍କୁ ଜଣାଇଛୁ। ସେହି ନାଳରେ ଅଧିକ ଟଙ୍କା ଖର୍ଚ୍ଚର ଆବଶ୍ୟକତା ରହିଛି ଯାହାକି ବ୍ଲକ ତରଫରୁ ଦେବା ଅସମ୍ଭବ। ତେଣୁ ଅନ୍ୟ ବିଭାଗ ଦ୍ୱାରା ମଞ୍ଜୁର କରାଯାଇ କିଭଳି ପୋଲ ନିର୍ମାଣ ହୋଇ ପାରିବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l ତେବେ ତୁରନ୍ତ ଏହି କୁଚେଣ୍ଡି ନାଳରେ ପୋଲ ନିର୍ମାଣ କରିବାକୁ ୮ ଖଣ୍ଡ ଗ୍ରାମ ବାସୀଙ୍କ ସହ ଅଞ୍ଚଳବାସୀ ଦାବୀ କରିଛନ୍ତି l