ନୂଆଦିଲ୍ଲୀ: ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଆଉ ଏକ ବିସ୍ପୋରକ ବୟାନ। ଖୁବ ଶିଘ୍ର ଆପ୍ ସାଂସଦ ମନୀଷ ସିଶୋଦିଆଙ୍କ ଉପରେ ଚଢଉ କରିବ ସିବିଆଇ। କିଛିଦିନ ପୂର୍ବେ ସମାନ ଢଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତୀଶି ମିଥ୍ୟା ଅଭିଯୋଗରେ ଗିରଫ ହେବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ କେଜ୍ରିୱାଲ। ଆଉ ଏବେ ମନୀଷଙ୍କୁ ନେଇ କରିଛନ୍ତି ଭବିଷ୍ୟବାଣୀ। 

ସେ କହିଛନ୍ତି “ମୁଁ କିଛିଦିନ ପୂର୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତୀଶିଙ୍କ ଗିରଫଦାରୀ ଓ ଅନ୍ୟ ଆପ୍ ସାଂସଦଙ୍କ ଉପରେ ଚଢ଼ଉ ହେବା ନେଇ ଘୋଷଣା କରିଥିଲି। ମତେ ମିଳିଥିବା ଖବର ମୁତାବକ ଅଳ୍ପ କିଛି ଦିନ ମଧ୍ୟରେ ମନୀଷ ସିଶୋଦିଆଙ୍କ ଘରେ ସିବିଆଇ ଚଢଉ କରିବାକୁ ଯାଉଛି। ଦିଲ୍ଲୀ ନିର୍ବାଚନରେ ବିଜେପି ହାରିବାକୁ ଯାଉଛି। ତେଣୁ ରାଗରଖି ସେମାନେ ଆମମାନଙ୍କ ଉପରେ ଗିରଫ ଓ ଚଢଉ କରିବାକୁ ଯାଉଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି। 

ସୂଚନା ମୁତାବକ, ଆପ୍ର ଟାଣୁଆ ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କ ଉପରେ ପୂର୍ବରୁ ମଧ୍ୟ ସିବିଆଇ ଚଢଉ କରିସାରିଛି। ୨୦୨୨ ଅଗଷ୍ଟ ମାସରେ ସିବିଆଇ ମନୀଷଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିବା ସହ ତାଙ୍କୁ ଗିରଫ କରିଥିଲା। ତେବେ ଦିଲ୍ଲୀ ଅବକାରୀ ଦୁର୍ନୀତି ଅଭିଯୋଗରେ ସାମିଲ ଥିବା ନେଇ ସିବିଆଇ ସିଶୋଦିଆଙ୍କ ଉପରେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରିଥିଲା। ଏହି ଅଭିଯୋଗରେ ସିଶୋଦିଆ ୧୭ ମାସ ଜେଲରେ ରହିଥିଲେ। ତେବେ ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ତାଙ୍କୁ ଜାଙ୍ଗପୁରାରୁ ପାର୍ଥୀ କରିଛି।

ଏକ ମାସ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତୀଶଙ୍କ ସହ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଆପ୍ ବିରୁଦ୍ଧରେ ଇଡି, ସିବିଆଇ ଓ ଆୟକର ବିଭାଗ ଏକ ଯୋଜନା କରୁଛନ୍ତି ବୋଲି ଘୋଷଣା କରିଥିଲେ। ବହୁ ଜଲଦି ଅତୀଶଙ୍କ ସହ ଆପ୍ର ଅନେକ ବରିଷ୍ଠ ନେତାଙ୍କୁ ଏହି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ଗିରଫ କରିବାକୁ ଯୋଜନା କରୁଛନ୍ତି ବୋଲି ମତେ ସୁଚନା ମିଳିଛି ବୋଲି କେଜ୍ରିୱାଲ କହିଛନ୍ତି।