ଭୁବନେଶ୍ୱର,୦୭/୦୩: କେନ୍ଦ୍ରୀୟ ବିଦ୍ୟାଳୟ ନାମଲେଖା ଆରମ୍ଭ । ଯେଉଁଥିରେ ବାଲବାଟିକା-୧, ବାଲ୍ବାଟିକା-୩ ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । ଅନ୍ଲାଇନ୍ ପଞ୍ଜୀକରଣ ଲାଗି ୨୧ ତାରିଖ ରାତି ୧୦ ଯାଏ ସୁଯୋଗ ଦିଆଯିବ । ସେହିପରି ବାଲ୍ବାଟିକା-୨ ଏବଂ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ନାମଲେଖା ପାଇଁ ପଞ୍ଜୀକରଣ ଏପ୍ରିଲ୍ ୨ରୁ ଆରମ୍ଭ ହେବ । ଏହା ଏପ୍ରିଲ୍ ୧୧ ଯାଏ ଚାଲିବ ।
ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପ୍ରଥମ ପ୍ରୋଭିଜନାଲ୍ ତାଲିକା ମାର୍ଚ୍ଚ ୨୫ରେ ପ୍ରକାଶ ପାଇବ । ପ୍ରଥମ ଶ୍ରେଣୀର ନାମଲେଖା ପାଇଁ ପିଲାକୁ ନିଶ୍ଚିତ ଭାବେ ୬ ବର୍ଷ ହୋଇଥିବା ଆବଶ୍ୟକ ବୋଲି କୁହାଯାଇଛି । ସେହିପରି ବାଲ୍ବାଟିକା-୧ ଓ ୩ ପାଇଁ ୨୬ ତାରିଖରେ ତାଲିକା ପ୍ରକାଶ ହେବ । ବଳକା ସିଟ୍ରେ ନାମଲେଖା ପାଇଁ ଏପ୍ରିଲ୍ ୨ ତାରିଖରେ ଦ୍ୱିତୀୟ ପ୍ରୋଭିଜନାଲ ତାଲିକା ପ୍ରକାଶ ପାଇବ । ସେହିପରି ତୃତୀୟ ପ୍ରୋଭିଜ୍ନାଲ ତାଲିକା ଏପ୍ରିଲ୍ ୭ ତାରିଖରେ ପ୍ରକାଶିତ ହେବ । ଆର୍ଟିଇ ବର୍ଗରେ ନାମଲେଖା ପାଇଁ ଦ୍ୱିତୀୟ ବିଜ୍ଞପ୍ତି ଏପ୍ରିଲ୍ ୭ରେ ପ୍ରକାଶ ପାଇବ । ଏଥିରେ ଆର୍ଟିଇ, ଏସ୍ସି, ଏସ୍ଟି, ଓବିସି (ଏନ୍ସିଏଲ୍)ପଞ୍ଜୀକରଣ ୮ରୁ ଆରମ୍ଭ ହୋଇ ୧୪ ତାରିଖ ଯାଏ ଚାଲିବ । ୧୪ରେ ନାମଲେଖା ଯୋଗ୍ୟ ତାଲିକା ପ୍ରକାଶ ହୋଇ ୨୩ରୁ ୨୮ ଭିତରେ ନାମଲେଖା ହେବ । ତେବେ ଏହି ବର୍ଗର ନାମଲେଖା ସଂପୂର୍ଣ୍ଣ ଭାବେ ଅଫ୍ଲାଇନରେ ହେବ ।
ବାଲ୍ବାଟିକା-୨ ଓ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ନାମଲେଖା ହେବ । ଏଥିରେ ସ୍କୁଲର ବଳକା ସିଟ୍କୁ ଲକ୍ଷ୍ୟ କରି ପିଲାଙ୍କ ନାମଲେଖା ଯିବ । ଏହି ନାମଲେଖା ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ଅଫଲାଇନ୍ରେ ହେବ । ଏପ୍ରିଲ୍ ୧୭ ତାରିଖରେ ନାମଲେଖା ପାଇଁ ଯୋଗ୍ୟ ତାଲିକା ପ୍ରକାଶ ପାଇବ । ୧୮ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ । ଜୁନ୍ ୬ ତାରିଖ ସୁଦ୍ଧା ସମସ୍ତ ନାମଲେଖା ପ୍ରକ୍ରିୟା ଶେଷ କରାଯିବ । ବଳକା ସିଟ୍କୁ ଆଧାର କରି ନାମଲେଖା ଜୁଲାଇ ୩୧ ତାରିଖ ସୁଦ୍ଧା ଶେଷ କରାଯିବ । ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶର ୧୦ ଦିନ ମଧ୍ୟରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ପଞ୍ଜୀକରଣ କରିବେ । ଏଥିସହ ୨୦ ଦିନ ମଧ୍ୟରେ ନାମଲେଖା ହେବ ।