• ଜିଆଇ ଟ୍ୟାଗ୍‌ ପାଇଁ ପଠାଇଲା କେନ୍ଦୁଝର ପ୍ରଶାସନ
  • ୨୦୦ ବର୍ଷ ତଳୁ ଚାଷ କରିଆସୁଛନ୍ତି ଜୁଆଙ୍ଗ
  • ବଡ଼ି ତିଆରି ପାଇଁ ସର୍ବୋତ୍କୃଷ୍ଟ ଏହି ବିର

କେନ୍ଦୁଝର,୯/୨: ଗଡ଼ଜାତ ରାଜ୍ୟ କେନ୍ଦୁଝରର ଅନେକ ସ୍ୱତନ୍ତ୍ରତା ଦେଶ ଓ ବିଦେଶରେ ପହଞ୍ଚି ପାରିଛି ।  କେନ୍ଦୁଝରର ବଡ଼ି ସାରା ବିଶ୍ୱରେ ପରିଚୟ ହାସଲ କରିଛି । ବଡ଼ିକୁ ଜିଆଇ ଟ୍ୟାଗ୍‌ ପାଇଁ ପ୍ରଶାସନ ଅଣ୍ଟା  ଭିଡିଥିବା ବେଳେ ଏବେ ‘ପେଜୁଆ ବିରି’ ଜିଆଇ ଟ୍ୟାଗ୍‌ ପାଇଁ ପଠାଯାଇଛି ।  ବଡ଼ି ତିଆରିରେ ଲାଗୁଥିବା ପେଜୁଆ ବିରି ଉତ୍ପାଦନରେ କେନ୍ଦୁଝରର  ସ୍ୱତନ୍ତ୍ରତା ରହିଛି । ତେଣୁ ପେଜୁଆ ବିରି କିସମର ଅଧିକ ଗବେଷଣା କୃଷି ବୈଜ୍ଞାନିକଙ୍କ ଦ୍ୱାରା କରାଯାଉଛି । ପ୍ରାୟ  ୨୦୦ ବର୍ଷ ତଳୁ ଜୁଆଙ୍ଗ ସମ୍ପ୍ରଦାୟ ଏହି ବିରିକୁ ଉତ୍ପାଦନ କରି ଆସୁଛନ୍ତି । ଏହାର ଅଧିକ ଗବେଷଣା ସହିତ  ଏହି କିସମ ବିରି କିଭଳି ଅଧିକ  ଉତ୍ପାଦନ ହୋଇପାରିବ ସେଦିଗରେ  ଦୃଷ୍ଟି ଦେବାକୁ କୃଷି ବୈଜ୍ଞାନିକ ଓ  କୃଷି ବିଭାଗ ଗବେଷଣା ଚଳାଇଛି । କେନ୍ଦୁଝରର ବିଭିନ୍ନ ପ୍ରାନ୍ତରେ ଉତ୍ପାଦନ  ହେଉଥିବା ଏହି ପେଜୁଆ ବିରିର କିସମ ଗବେଷଣା କରାଯାଉଛି ।  କେଉଁ କିସମ ଅଧିକ ଉତ୍ପାଦନ ହେଉଛି  ତାହା ଗବେଷଣା ପରେ ନିଷ୍ପତ୍ତି ଚୂଡାନ୍ତ  ପର୍ଯ୍ୟାୟରେ ପହଞ୍ଚିଛି ।  କେନ୍ଦୁଝରର ଜୁଡ଼ିଆସ୍ଥିତ ରିଜିଓନାଲ ରିସର୍ଚ୍ଚ ଏଣ୍ଡ ଟ୍ରାନ୍ସଫର ଟେକ୍ନେଲୋଜି  ଷ୍ଟେସନ୍‌ (ଆରଆରଟିଟିଏସ୍‌)ର ବୈଜ୍ଞାନିକ ମାନଙ୍କ ଦ୍ୱାରା ଏହା ଗବେଷଣା  କରାଯାଉଛି । ଜୁଡିଆର ବୈଜ୍ଞାନିକମାନେ ଏହାର ସମସ୍ତ ପ୍ରମାଣପତ୍ର ଜିଆଇ  ଟ୍ୟାଗ୍‌ ପାଇଁ ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟକୁ ପଠାଯାଇଛି । ଖୁବଶୀଘ୍ର ପେଜୁଆ ବିରିକୁ ମାନ୍ୟତା ପାଇଁ ଦାବି କରାଯିବ ବୋଲି ବୈଜ୍ଞାନିକ ଡ.କିଶୋର ସାହୁ  କହିଛନ୍ତି । 

ଆଦିବାସୀ ଅଧ୍ୟୁଷିତ ତଥା ଜୁଆଙ୍ଗ ଜନଜାତି ବାସ କରୁଥିବା ଅଞ୍ଚଳରେ ଏକ ସ୍ୱତନ୍ତ୍ର କିସମର ବିରି ଚାଷ ହୋଇଥାଏ । ଜୁଆଙ୍ଗ ମାନଙ୍କ  ଦ୍ୱାରା ଏହି କିସମର ବିରି ଚାଷ କରାଯାଉଥିବା ଗବେଷକମାନେ ମତ  ରଖିଥିଲେ । ସାଧାରଣ ବିରି ଅପେକ୍ଷା ଏହା ଅଧିକ ଫେଣ ହେଉଥିବାରୁ ବଡ଼ି ତିଆରିରେ ଏହାର ଚାହିଦା ରହିଛି । ଶହ ଶହ ବର୍ଷ ପୂର୍ବେ ଏହି  କିସମର ବିରି ଜୁଆଙ୍ଗ ସମ୍ପ୍ରଦାୟର ଲୋକେ ଚାଷ କରୁଥିଲେ । ଏହି ବିରି  ଅନ୍ୟ କୌଣସି ଜଳବାୟୁରେ ଉତ୍ପାଦନ ହେଉନଥିବା ସମୟରେ କେବଳ  ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ବ୍ଲକରେ ଏହାର ଚାଷ ପାଇଁ  ଉପଯୁକ୍ତ ପରିବେଶ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି । ପାହାଡିଆ,  ଥଣ୍ଡା ତଥା ଗୋଡାଣିଆ ଜମିରେ କେବଳ ଏହି କିସମର ବିରି ଚାଷ ପାଇଁ  ଅନୁକୂଳ ପରିବେଶ । ଜୁଆଙ୍ଗମାନେ ପୂର୍ବରୁ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବାସ କରୁଥିବା ବେଳେ ପୋଡ଼ୁଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ । ତେଣୁ  ପାହାଡର ଗଛକୁ କାଟି ସେମାନେ ଗୋଡାଣିଆ ଅଞ୍ଚଳରେ ଏହି ପେଜୁଆ ବିରି  ଚାଷ କରୁଥିଲେ । ବାଂଶପାଳ ବ୍ୟତିତ ଅନ୍ୟ ଅଞ୍ଚଳରେ ଏହାର ଉତ୍ପାଦନରୁ  ସଫଳତା ମିଳିନଥିବା ବୈଜ୍ଞାନିକ ଡ.କିଶୋର ସାହୁ କହିଛନ୍ତି ।

ସେପ୍ଟେମ୍ବର ମାସରେ ବିହନ ବୁଣା ଯାଉଥିବା ବେଳେ ୧୧୦ ଦିନରୁ ୧୧୫ ଦିନ ମଧ୍ୟରେ  ଏହା ଅମଳ କରାଯାଇଥାଏ ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପେଜୁଆ ବିରି ଚାଷ ପାଇଁ ଜମିକୁ ହଳର ଆବଶ୍ୟକତା ପଡିନଥାଏ । ପାଣି କିମ୍ବା ଗଛର ଯତ୍ନ ଆଦୌ କରିବାକୁ ପଡୁନଥିବାରୁ ଜୁଆଙ୍ଗମାନେ ଏହି କିସମର ବିରି ଚାଷ କରିବାକୁ ବେଶୀ ଆଗ୍ରହ  ଦେଖାଇଥାନ୍ତି । ତେବେ ଏହି କିସମର ବିରି ଉପରେ ଅଧିକ ଗବେଷଣା କରାଯିବା ସହିତ ଅନ୍ୟ ଅଞ୍ଚଳ ଏବଂ ବାହାର ଜିଲ୍ଲା ସହିତ ପାହାଡିଆ ରାଜ୍ୟରେ କିଭଳି ଏହି ପେଜୁଆ ବିରି ଉତ୍ପାଦନ କରାଯାଇପାରିବ କୃଷି ବୈଜ୍ଞାନିକମାନେ ଗବେଷଣା କରିବାକୁ ତତ୍କାଳନୀ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ନିର୍ଦ୍ଦେଶ ଦେଇଥିଲେ ।  ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରଆରଟିଟିଏସ୍‌ର ବୈଜ୍ଞାନିକ ଏହାର ଗବେଷଣା ଚଳାଇଛନ୍ତି । ଗବେଷଣା ପାଇଁ ବିଭିନ୍ନ ସ୍ଥାନରେ ଉତ୍ପାଦନ ହୋଇଥିବା ବିରିର  ନମୁନା ଯାଞ୍ଚ କରାଯାଇଥିଲା । ସବୁଠାରୁ ଅଧିକ କେଉଁ କିସମର ପେଜୁଆ  ବିରି ଉତ୍ପାଦନ ହେଉଛି ପରୀକ୍ଷା ପରେ ସେହି କିସମକୁ ଅଧିକ ଚାଷ ପାଇଁ  ଅନୁମତି ମିଳିବ ବୋଲି ସୂଚନା ମିଳିଛି ।    ଅନ୍ୟପକ୍ଷରେ ପେଜୁଆ ବିରି ଓଡ଼ିଶା କିମ୍ବା ଭାରତର ଅନ୍ୟ ରାଜ୍ୟରେ  ଉତ୍ପାଦନ ହେଉଥିବା ପ୍ରମାଣ ମଧ୍ୟ ନାହିଁ । ବୈଜ୍ଞାନିକମାନେ ଏହାର ବିହନ  ନେଇ ଅନ୍ୟ ରାଜ୍ୟରେ ଚାଷ କରିବାକୁ ଉଦ୍ୟମ କରି ଫେଲ୍‌ ମାରିଛନ୍ତି । ତେଣୁ  କେନ୍ଦୁଝରର ଏହି ପେଜୁଆ ବିରିକୁ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରାଯିବା  ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା କୃଷି ବୈଜ୍ଞାନିକମାନେ କହିଛନ୍ତି । ହେପଜୁଆ  ବିରି କେବଳ କେନ୍ଦୁଝରର ବୋଲି ଯଥେଷ୍ଟ ପ୍ରମାଣ ମଧ୍ୟ ବୈଜ୍ଞାନିକଙ୍କ ପକ୍ଷରୁ  ସଂଗ୍ରହ କରାଯାଇଥିବା ଡ.ସାହୁ କହିଛନ୍ତି ।

ଅଧିକ ପଢ଼ୁନ୍ତୁ-୧୯ରୁ ମାଟ୍ରିକ୍ ପରୀକ୍ଷା, ବୋର୍ଡ କମାଣ୍ଡ କଣ୍ଟ୍ରୋଲ ରୁମ୍‌ ନଜରରେ ରହିବ ସମସ୍ତ ସେଣ୍ଟର