ଲକ୍ଷ୍ନୌ: ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଆଜି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉଡ଼ାଣ ଭରିବାର କିଛି ସମୟ ପରେ ତାଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଲକ୍ଷ୍ନୌର ଅମୌସୀ ବିମାନବନ୍ଦରରେ ଏହାର ଜରୁରୀକାଳୀନ ଅବତରଣ କରାଯାଇଛି । ସୂଚନା ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ନୌର ଲା-ମାର୍ଟ୍ସ ପଡ଼ିଆରୁ କୌଶାମ୍ବୀ ଯିବା ପାଇଁ ହେଲିକପ୍ଟରରେ ବାହାରିଥିଲେ । ମାତ୍ର ଆକାଶ ମାର୍ଗରେ ଥିବାବେଳେ ହଠାତ୍ ହେଲିକପ୍ଟର କ୍ୟାବିନ୍ ଭିତରେ ପ୍ରବଳ ଧୂଆଁ ଭରିଯାଇଥିଲା । ଏଥିସହିତ ପାଇଲଟଙ୍କ ସାମ୍ନାରେ ଥିବା ଡିସପ୍ଲେ ମଧ୍ୟ ହଠାତ୍ ବନ୍ଦ ହୋଇଯାଇଥିଲା । ଏହାକୁ ଦେଖି ହେଲିକପ୍ଟର ଭିତରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ଆତଙ୍କିତ ହୋଇପଡ଼ିଥିଲେ ।
ଏହା ବି ପଢ଼ନ୍ତୁ... ସାମ୍ବାଦିକ ହତ୍ୟାକାଣ୍ଡ ମାମଲାରେ ଡେରା ମୁଖ୍ୟଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି, ନିର୍ଦ୍ଦୋଷରେ ଖଲାସ ହେଲେ ରାମ ରହିମ
ସତର୍କତା ଅବଲମ୍ବନ କଲେ ପାଇଲଟ୍:
ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପାଇଲଟ୍ ତୁରନ୍ତ ଲକ୍ଷ୍ନୌ ଏଟିସି (ATC) ସହ ଯୋଗାଯୋଗ କରିଥିଲେ ଏବଂ ଅମୌସୀ ବିମାନବନ୍ଦରରେ ଅବତରଣ ପାଇଁ ଅନୁମତି ମାଗିଥିଲେ । ସୂଚନା ପାଇବା ମାତ୍ରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ଏବଂ ହେଲିକପ୍ଟରଟି ସୁରକ୍ଷିତ ଭାବେ ଓହ୍ଲାଇଥିଲା । ହେଲିକପ୍ଟର ଅବତରଣ କରିବା ମାତ୍ରେ ସୁରକ୍ଷା କର୍ମୀ ଓ ବୈଷୟିକ ଟିମ୍ ଉପମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ । ପ୍ରାଥମିକ ତଦନ୍ତରୁ ଏହା ଏକ ଯାନ୍ତ୍ରିକ ତ୍ରୁଟି ବୋଲି ଜଣାପଡ଼ିଛି । ବୈଷୟିକ ବିଶେଷଜ୍ଞଙ୍କ ଦ୍ୱାରା ଏହାର ଅଧିକ ଯାଞ୍ଚ କରାଯାଉଛି ।