ପୁରୀ,୨୮/୦୮: କୁମ୍ଭାରପଡା  ଥାନା ଅଧୀନ ଶରଧାବାଲିସ୍ଥିତ ଏକ  ଖଜା ଦୋକାନୀଙ୍କୁ ଖଣ୍ଡା ଦେଖାଇ  ଭୟଭିତ କରିବା ସହିତ ଫିଙ୍ଗା ଫୋପଡ଼ା  କରି ଆତଙ୍କରାଜ ସୃଷ୍ଟି କରୁଥିବା  ୩ଜଣ ଯୁବକଙ୍କୁ ଗୋଡ଼ାଇ କାବୁ  କରିଛି ପୁଲିସ । ସେମାନଙ୍କଠାରୁ  ୨ଟି ଖଣ୍ଡା ଜବତ କରାଯାଇଛି ।  ସେମାନେ ହେଲେ ତାଳବଣିଆ ଥାନା  ଅଧୀନ ସିଦ୍ଧମହାବୀରର ବିଶାଲ ପାତ୍ର  ଓରଫ ବିଷ୍ଣୁ, ସଦରଥାନା ଅଧୀନ  ମୁକୁନ୍ଦମିଶ୍ରନଗରର ଶାଶ୍ୱତ ମହାନ୍ତି ଓରଫ  ଚିକୁ ଓ ସମ୍ବିତ ମହାନ୍ତି ଓରଫ ହାପି । 

 ବୁଧବାର ଅପରାହ୍ନ ୪ଟା । ଶରଧାବାଲିସ୍ଥିତ  ଖଜା ଦୋକାନର କର୍ମଚାରୀ ରମେଶ  ନାମକ ଜଣେ ଯୁବକ ବସିଥିଲେ । ହଠାତ୍‌  ୨ଜଣ ଯୁବକ ଏକ ବାଇକ୍‌(ଓଡି ୧୩କେ-୩୫୩୩)ରେ ଆସି ଦୋକାନ ସମ୍ମୁଖରେ  ପହଞ୍ଚିଥିଲେ । ସିକୁ ହାତରେ ଏକ ଖଣ୍ଡା  ଧରି କର୍ମଚାରୀକୁ ପଚାରିଥିଲା ତୋ’  ମାଲିକ କୁଆଡେ ଗଲା । ମାଲିକ ନାହାନ୍ତି ।  ତୁ ଦୋକାନ ଛାଡ଼ି ପଳା ନଚେତ୍‌ ତୋତେ  ହାଣିଦେବି । କର୍ମଚାରୀ ଜୀବନ ବିକଳରେ  ଦୋକାନରୁ ଯିବା ପରେ ଖଜାଗୁଡିକୁ  ତଳେ ପକାଇ ଦେବା ଦୋକାନକୁ ଖଣ୍ଡାରେ  ହାଣିବାକୁ ଲାଗିଥିଲା । ଏଭଳି ଦୃଶ୍ୟ ଦେଖି  ସ୍ଥାନୀୟ ଦୋକାନୀ ଓ ପର୍ଯ୍ୟଟକ ଭୟଭିତ  ହୋଇପଡ଼ିଥିଲେ । ତେବେ ଖବରପାଇଁ  ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ  ଘଟଣାସ୍ଥଳ ପହଞ୍ଚି ଅନୁଧ୍ୟାନ କରିବା ସହ  ଘଟଣାର ୨ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ  କାବୁ କରିବାରେ ସଫଳ ହୋଇଥିଲେ ।

ବାନ୍ଧବୀଙ୍କୁ କମେଣ୍ଟ କରିବାରୁ ବିବାଦ

ଶରଧାବାଲିରେ ଖଜା ଦୋକାନ ଦେଇଥିବା ସମଙ୍ଗରାର ସୌମ୍ୟରଞ୍ଜନ ପାତ୍ରଙ୍କ ସାନଭାଇ ସ୍ମୁତିରଞ୍ଜନ ପାତ୍ର ତାଙ୍କର ବାନ୍ଧବୀଙ୍କୁ ନେଇ ଆଖଣ୍ଡଳମଣୀ ମନ୍ଦିରକୁ  ଯାଇଥିଲେ । ଠାକୁରଙ୍କ ଦର୍ଶନ ସାରି ଫେରିବା ସମୟରେ ସିକୁ ତା’ର ଅନ୍ୟ ୨  ଜଣ ସହଯୋଗୀଙ୍କ ସ୍ମୃତିଙ୍କ ବାନ୍ଧବୀଙ୍କୁ କମେଣ୍ଟ ମାରିଥିଲେ । ଏହାକୁ ବିରୋଧ କରିଥିଲା ସ୍ମୃତି । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସେଠାରେ ଠେଲାପେଲା  ଲାଗିଯାଇଥିଲା । ଅପରାହ୍ନ ୪ଟାରେ ସିକୁ ଓ ଅନ୍ୟ ଜଣେ ସାଥୀକୁ ସାଙ୍ଗରେ ଆଣି  ଦୋକାନରେ ଭଙ୍ଗାରୁଜା କରିଥିଲା । ଏସମ୍ପର୍କରେ ସୌମ୍ୟରଞ୍ଜନ ଥାନାରେ ଲିଖିତ  ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ, ସିକୁ ଭୁବନେଶ୍ୱର ଏକ ଆଇନ ମହାବିଦ୍ୟାଳୟର ଛାତ୍ର ବୋଲି ଜଣାପଡ଼ିଛି ।