ପୁରୀ,୨୮/୦୮: କୁମ୍ଭାରପଡା ଥାନା ଅଧୀନ ଶରଧାବାଲିସ୍ଥିତ ଏକ ଖଜା ଦୋକାନୀଙ୍କୁ ଖଣ୍ଡା ଦେଖାଇ ଭୟଭିତ କରିବା ସହିତ ଫିଙ୍ଗା ଫୋପଡ଼ା କରି ଆତଙ୍କରାଜ ସୃଷ୍ଟି କରୁଥିବା ୩ଜଣ ଯୁବକଙ୍କୁ ଗୋଡ଼ାଇ କାବୁ କରିଛି ପୁଲିସ । ସେମାନଙ୍କଠାରୁ ୨ଟି ଖଣ୍ଡା ଜବତ କରାଯାଇଛି । ସେମାନେ ହେଲେ ତାଳବଣିଆ ଥାନା ଅଧୀନ ସିଦ୍ଧମହାବୀରର ବିଶାଲ ପାତ୍ର ଓରଫ ବିଷ୍ଣୁ, ସଦରଥାନା ଅଧୀନ ମୁକୁନ୍ଦମିଶ୍ରନଗରର ଶାଶ୍ୱତ ମହାନ୍ତି ଓରଫ ଚିକୁ ଓ ସମ୍ବିତ ମହାନ୍ତି ଓରଫ ହାପି ।
ବୁଧବାର ଅପରାହ୍ନ ୪ଟା । ଶରଧାବାଲିସ୍ଥିତ ଖଜା ଦୋକାନର କର୍ମଚାରୀ ରମେଶ ନାମକ ଜଣେ ଯୁବକ ବସିଥିଲେ । ହଠାତ୍ ୨ଜଣ ଯୁବକ ଏକ ବାଇକ୍(ଓଡି ୧୩କେ-୩୫୩୩)ରେ ଆସି ଦୋକାନ ସମ୍ମୁଖରେ ପହଞ୍ଚିଥିଲେ । ସିକୁ ହାତରେ ଏକ ଖଣ୍ଡା ଧରି କର୍ମଚାରୀକୁ ପଚାରିଥିଲା ତୋ’ ମାଲିକ କୁଆଡେ ଗଲା । ମାଲିକ ନାହାନ୍ତି । ତୁ ଦୋକାନ ଛାଡ଼ି ପଳା ନଚେତ୍ ତୋତେ ହାଣିଦେବି । କର୍ମଚାରୀ ଜୀବନ ବିକଳରେ ଦୋକାନରୁ ଯିବା ପରେ ଖଜାଗୁଡିକୁ ତଳେ ପକାଇ ଦେବା ଦୋକାନକୁ ଖଣ୍ଡାରେ ହାଣିବାକୁ ଲାଗିଥିଲା । ଏଭଳି ଦୃଶ୍ୟ ଦେଖି ସ୍ଥାନୀୟ ଦୋକାନୀ ଓ ପର୍ଯ୍ୟଟକ ଭୟଭିତ ହୋଇପଡ଼ିଥିଲେ । ତେବେ ଖବରପାଇଁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଘଟଣାସ୍ଥଳ ପହଞ୍ଚି ଅନୁଧ୍ୟାନ କରିବା ସହ ଘଟଣାର ୨ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ।
ବାନ୍ଧବୀଙ୍କୁ କମେଣ୍ଟ କରିବାରୁ ବିବାଦ
ଶରଧାବାଲିରେ ଖଜା ଦୋକାନ ଦେଇଥିବା ସମଙ୍ଗରାର ସୌମ୍ୟରଞ୍ଜନ ପାତ୍ରଙ୍କ ସାନଭାଇ ସ୍ମୁତିରଞ୍ଜନ ପାତ୍ର ତାଙ୍କର ବାନ୍ଧବୀଙ୍କୁ ନେଇ ଆଖଣ୍ଡଳମଣୀ ମନ୍ଦିରକୁ ଯାଇଥିଲେ । ଠାକୁରଙ୍କ ଦର୍ଶନ ସାରି ଫେରିବା ସମୟରେ ସିକୁ ତା’ର ଅନ୍ୟ ୨ ଜଣ ସହଯୋଗୀଙ୍କ ସ୍ମୃତିଙ୍କ ବାନ୍ଧବୀଙ୍କୁ କମେଣ୍ଟ ମାରିଥିଲେ । ଏହାକୁ ବିରୋଧ କରିଥିଲା ସ୍ମୃତି । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସେଠାରେ ଠେଲାପେଲା ଲାଗିଯାଇଥିଲା । ଅପରାହ୍ନ ୪ଟାରେ ସିକୁ ଓ ଅନ୍ୟ ଜଣେ ସାଥୀକୁ ସାଙ୍ଗରେ ଆଣି ଦୋକାନରେ ଭଙ୍ଗାରୁଜା କରିଥିଲା । ଏସମ୍ପର୍କରେ ସୌମ୍ୟରଞ୍ଜନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ, ସିକୁ ଭୁବନେଶ୍ୱର ଏକ ଆଇନ ମହାବିଦ୍ୟାଳୟର ଛାତ୍ର ବୋଲି ଜଣାପଡ଼ିଛି ।