ଆସିଲାଣି ପିକ୍ନିକ୍ ଋତୁ: ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଛି ଖଜୁରିବାଣୀ ଜଳପ୍ରପାତ

ହରିଚନ୍ଦନପୁର,୨୭/୧୧: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ର ପ୍ରମୁଖ ଜଳପ୍ରପାତ ମଧ୍ୟରୁ ଖଜୁରିବାଣୀ ଜଳପ୍ରପାତ ଅନ୍ୟତମ । ଉଭୟ କେନ୍ଦୁଝର ସଦର ମହକୁମା ଓ ହରିଚନ୍ଦନପୁର ବ୍ଲକ୍ରୁ ଏହାର ଦୂରତା ୪୦ କିଲୋମିଟର । କେନ୍ଦୁଝରରୁ ଆସିବାକୁ ହେଲେ ନରଣପୁର-ଡୁବୁରୀ ଭିଆଇପି ରାସ୍ତାରେ ଆସି ନୁଦୁରୁପଡ଼ା ଛକ ତାରିଣୀ ମନ୍ଦିର ପାଖରୁ ନୁଦୁରୁପଡା-କାଳିଆହତା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ୧୩ କିଲୋମିଟର ଗଲେ ପଡ଼ିବ ଜଙ୍ଘିରା ବଜାର । ଜଙ୍ଘିରା କଲେଜ ଛକରୁ ୯ କିଲୋମିଟର ଅତିକ୍ରମ କରିଲେ ଦେଖିବାକୁ ମିଳେ ପ୍ରକୃତିର ଅପୂର୍ବ ଶୋଭା ବିମଣ୍ଡିତ ସୁଦୃଶ ଖଜୁରିବାଣୀ ଜଳପ୍ରପାତ ।
ହରିଚନ୍ଦନପୁର ବ୍ଲକ ହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖଜୁରିବାଣୀ ଗାଁର ଅନତି ଦୂରରେ ଥିବା ମନୋରମ ଜଳପ୍ରପାତ ଜୁନ୍ ମାସରୁ ଶୀତଦିନ ସରିବା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥାଏ । ମୁଖ୍ୟ ଜଳପ୍ରପାତ ସହିତ ଘଞ୍ଚ ଜଙ୍ଗଲ ମଧ୍ୟରେ କଳ କଳ ନାଦ କରି ପ୍ରବାହିତ ହେଉଥିବା ଝରଣା ଓ ଚଢେଇମାନଙ୍କର କଳରବକୁ ଛାଡ଼ି ଆସିବାକୁ ଇଚ୍ଛା ହୁଏନି । ଖରାଦିନେ ଜଳସ୍ରୋତ ଶୁଖିଯିବାରୁ ଜଳପ୍ରପାତ ସ୍ଥାନରେ ସେପରି ଭିଡ଼ ଦେଖିବାକୁ ମିଳେନାହିଁ । ତେଣୁ ତୁରନ୍ତ ଜଳସ୍ରୋତ କମିବା ଆଗରୁ ଥରେ ଖଜୁରିବାଣୀ ଜଳପ୍ରପାତ ଆଡ଼େ ବୁଲି ଆସିବାକୁ ଭୁଲନ୍ତୁ ନାହିଁ । ଜଳପ୍ରପାତ ନିକଟକୁ ସବୁଦିନିଆ ରାସ୍ତା ସହ ପାରିପାଶ୍ୱିର୍କ ଉନ୍ନୟନ, ପ୍ରଚାର ପ୍ରସାର ଦିଗରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଲେ ପର୍ଯ୍ୟଟନର ବିକାଶ ସହିତ ଏ ଅଞ୍ଚଳର ଜନସାଧାରଣଙ୍କ ଜୀବନ ଧାରଣ ମାନରେ ପରିବର୍ତ୍ତନ ହୋଇପାରନ୍ତା ।