ନୂଆଦିଲ୍ଲୀ,୧୬/୦୪; ଚେନ୍ନାଇ ସୁପର କିଙ୍ଗ୍ସର ଆଉ ଜଣେ ଖେଳାଳି ଆଇପିଏଲ ୨୦୨୬ରୁ ବାଦ ପଡ଼ିଛନ୍ତି । ଆହତ ସମସ୍ୟା ଦଳର ଷ୍ଟାର ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ମଧ୍ୟ ପ୍ରଭାବିତ କରିଛି । ବାମହାତୀ ବୋଲର ସିଏସକେ ପାଇଁ ଜଣେ ପ୍ରମୁଖ ବୋଲର ଥିଲେ । ତାଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ବଡ଼ ଝଟକା ଦେଇଛି । ଖଲିଲ ଅହମ୍ମଦଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ଦ୍ରୁତ ବୋଲିଂ ସଙ୍କଟ ସୃଷ୍ଟି କରିଛି । ଯାହା ପୂର୍ବ ଦୁଇଟି ମ୍ୟାଚରେ ବିଜୟୀ ପଥକୁ ଫେରିଥିଲା ।

କ୍ୱାଡ୍ରିସେପ୍ସ ଆଘାତ ଯୋଗୁଁ ଖଲିଲ ଆଇପିଏଲରୁ ବାଦ ପଡ଼ିଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ପୂର୍ବ ମ୍ୟାଚରେ ଚତୁର୍ଥ ଓଭର ବୋଲିଂ କରିବା ସମୟରେ ଖଲିଲ ଅହମ୍ମଦ ଏହି ଆଘାତ ପାଇଥିଲେ । ସେ ତାଙ୍କ ଡାହାଣ ହିପରେ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହା ଫଳରେ ସେ ତାଙ୍କ ଓଭର ସମାପ୍ତ କରିପାରିନଥିଲା । ମିଡିଆ ରିପୋର୍ଟ ଅନୁସାରେ, ଖଲିଲ ଅହମ୍ମଦ ଗ୍ରେଡ୍ ୨ ଆଘାତର ଶିକାର ହୋଇଥିଲେ । ସୁସ୍ଥ ହେବା ପାଇଁ ତାଙ୍କୁ ୧୦ ରୁ ୧୨ ସପ୍ତାହ ପୁନର୍ବାସ କରିବାକୁ ପଡିବ, କିମ୍ବା ପ୍ରାୟ ତିନି ମାସ  ଲାଗିପାରେ ।

​​​​​​​ଚଳିଆ ଆଇପିଏଲ ସିଜିନରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ୫ଞ୍ଚଟି ମ୍ୟାଚରେ ଖଲିଲ୍ ଅହମ୍ମଦ ଦଳର ଅଂଶ ଥିଲେ । ସେ ଏହି ୫ଟି ମ୍ୟାଚରେ ୭୩ ଆଭରେଜରେ ଦୁଇଟି ୱିକେଟ୍ ନେଇଛ ନ୍ତି। ତାଙ୍କର ଇକୋନୋମି ରେଟ୍ ୮.୬୭ ରହିଛି । ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଖଲିଲ୍ ଅହମ୍ମଦଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ୪.୮ କୋଟିରେ ବଜାୟ ରଖିଥିଲା । ତାଙ୍କ ଅନୁପସ୍ଥିତିରେ ସିଏସକେର ପେସ୍ ଆକ୍ରମଣର ଦାୟିତ୍ୱ ଏବେ ଗୁରଜପନୀତ୍ ସିଂହ, ଅଂଶୁଲ କାମ୍ବୋଜ୍ ଏବଂ ଜେମି ଓଭରଟନ୍ କାନ୍ଧରେ ରହିବ ।

ଏହା ବି ପଢନ୍ତୁ...POTM; ପ୍ଲେୟାର ଅଫ୍ ଦି ମ୍ୟାଚ୍କୁ ନେଇ ବିବାଦ, ୪ ୱିକେଟ ନେଇଥିବା ରସିଖଙ୍କ ସହ ଅନ୍ୟାୟ ପାଇଁ କିଏ ଦାୟୀ ?  

ଖଲିଲ ଅହମ୍ମଦ ପ୍ରଥମ ଚେନ୍ନାଇ ସୁପରକିଙ୍ଗସ ବୋଲର ନୁହଁନ୍ତି ଯିଏ  ଚଳିତ ସିଜିନରୁ ବାଦ ପଡ଼ିଛନ୍ତି । ନାଥନ ଏଲିସ ମଧ୍ୟ ଆଘାତ ଯୋଗୁଁ ବାଦ ପଡ଼ିଛ ନ୍ତି। ବର୍ତ୍ତମାନ ଦଳରେ ଥିବା ମ୍ୟାଟ୍ ହେନରୀ ତାଙ୍କ ଫର୍ମ ସହିତ ସଂଘର୍ଷ କରୁଛନ୍ତି । ଯେତେବେଳେ ସ୍ପେନ୍ସର ଜନସନ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାଁନ୍ତି । ଦଳରେ ମୁକେଶ ଚୌଧୁରୀ ଏବଂ ରାମକୃଷ୍ଣ ଘୋଷଙ୍କ ପରି ଅନକ୍ୟାପ୍ ବୋଲର ମଧ୍ୟ ଅଛନ୍ତି, ଯେଉଁମାନେ ସମ୍ଭାବ୍ୟ ଭାବରେ ପଡ଼ିଆରେ ଖଲିଲଙ୍କ ସ୍ଥାନ ନେଇପାରିବେ। ସିଏସକେର ପରବର୍ତ୍ତୀ ମ୍ୟାଚ୍ ୧୮ ଏପ୍ରିଲରେ ହାଇଦ୍ରାବାଦରେ ସନରାଇଜର୍ସ ବିପକ୍ଷରେ ଅଛି ।