ଭୁବନେଶ୍ୱର,୨୬/୦୧: ପାଖେଇ ଆସିଲା ପ୍ରସିଦ୍ଧ ଖଣ୍ଡଗିରି ମେଳା । ଫେବ୍ରୁଆରୀ ୪ରୁ କୁମ୍ଭମେଳା  ଆରମ୍ଭ ହେଉଥିବା ବେଳେ ୬ରୁ ଯାତ୍ରା ମହାସମର । ୧୪ ଦିନ ଧରି କମ୍ପିବ ଖଣ୍ଡଗିରି-ଉଦୟଗିରି ପାହାଡ଼  ପାଦଦେଶ । ଚଳିତ ବର୍ଷ ଏହି ମେଳାକୁ ଶାନ୍ତିଶୃଙ୍ଖଳାର  ସହ ସମାପନ କରିବାକୁ ଗଠିତ ହୋଇଥିବା ସେଣ୍ଟ୍ରାଲ  କୋଅର୍ଡିନେସନ୍‌ କମିଟି ବା ସ୍ୱତନ୍ତ୍ର କୋର୍‌ କମିଟି  ପକ୍ଷରୁ ଶନିବାର ମା’ ବାରଭୂଜାଙ୍କ ପୀଠରେ ବୈଠକ  ଅନୁଷ୍ଠିତ ହୋଇଥିଲା । କମିଟି ସଭାପତି ନୃସିଂହ ପ୍ରସାଦ  ସୁନ୍ଦରାୟ ଓ ସଂପାଦକ ପ୍ରମୋଦ କୁମାର ଜେନାଙ୍କ  ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସ୍ୱତନ୍ତ୍ର  ଏଜେଣ୍ଡା ପ୍ରସ୍ତୁତ ହୋଇଛି ।  

ପ୍ରସ୍ତୁତ ଏଜେଣ୍ଡାରେ ଉଲ୍ଲେଖ କରାଯାଇଛି  କି, କମିଟିର ସମସ୍ତ ସଦସ୍ୟ ୨୦୨୫ ଖଣ୍ଡଗିରି  ଯାତ୍ରା ମହାସମରକୁ ଶାନ୍ତିଶୃଙ୍ଖଳା ସହିତ ସଂପାଦନ  କରିବେ । ପ୍ରତ୍ୟେକ କମିଟିର ପ୍ରତ୍ୟେକ ସଦସ୍ୟ  ପ୍ରଶାସନ ଯଥା-ପୁଲିସ, ଟ୍ରାଫିକ୍‌, ଦମକଳ, ବିଏମ୍‌ସି  ଇତ୍ୟାଦି ବିଭାଗକୁ ଯଥା ସମ୍ଭବ ସହଯୋଗ କରିବେ । ଯଦ୍ୱାରା ପ୍ରଶାସନ ଖଣ୍ଡଗିରି କୁମ୍ଭମେଳାରେ ମେଳା  ସହିତ ଅପେରାକୁ ସୂଚାରୁରୂପେ ପରିଚାଳନା କରିପାରିବେ। ଯାତ୍ରା କମିଟିର ପ୍ରତ୍ୟେକ ସଦସ୍ୟ  କମିଟିର ପରିଚୟପତ୍ର ବ୍ୟବହାର କରିବାକୁ ବାଧ୍ୟ । କୌଣସି ଯାତ୍ରା କମିଟି ମଞ୍ଚରେ ସେଲିବ୍ରିଟି, ଆଇଟମ୍‌ ଗାର୍ଲ କିମ୍ବା କୌଣସି ନଗ୍ନତାକୁ ପ୍ରଶ୍ରୟ  ଦେବେନାହିଁ । ଯାତ୍ରା କମିଟିମାନେ ଯାତ୍ରା ପରିବେଶଣ ହେଉଥିବା ସ୍ଥାନରେ ସିସିଟିଭି ବ୍ୟବସ୍ଥା କରିବେ ।  ପ୍ରଭୁ ଅନନ୍ତକେଶରୀଙ୍କ ପଟୁଆର ସମୟରେ ସମସ୍ତ  ଯାତ୍ରା କମିଟି ଯଥାସମ୍ଭବ ସାମିଲ ହୋଇ ପଟୁଆରକୁ ସୂଚାରୁ ରୂପେ ସଂପାଦନ କରିବେ । ଯାତ୍ରା କମିଟି  ସଦସ୍ୟମାନେ ଅପେରା ପରିବେଷଣ ସମୟରେ  ମଦ୍ୟପାନ କରିବେ ନାହିଁ । ସେହିପରି ପ୍ରତ୍ୟେକ  ଯାତ୍ରାପାର୍ଟି ଠାକୁର ଅନନ୍ତ କେଶରୀଙ୍କ ପାଇଁ ଦକ୍ଷିଣା  ବାବଦକୁ ୫ ହଜାର ଟଙ୍କା ଲେଖାଏଁ ଦେବେ ଓ ମା’  ବାରଭୂଜାଙ୍କ ପାଇଁ ମଧ୍ୟ ସମାନ ଟଙ୍କା ଦେବେ ।  

ବୈଠକରେ କୋର୍‌ କମିଟି ଅନନ୍ତ କେଶରୀ ଦେବ  କମିଟି ସଭାପତି-ସଂପାଦକ, ମା’ ବାରଭୂଜା କମିଟି  ସଭାପତି-ସଂପାଦକ, ୬ଟି ଯାତ୍ରା କମିଟିର ସଭାପତି  ଓ ସମ୍ପାଦକ, ୪ କର୍ପୋରେଟର, ଜୋନ୍‌-୩ ଏସିପି ଓ  ଖଣ୍ଡଗିରି ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।