ଭୁବନେଶ୍ବର ୨୯/୦୧: ଚାଲିଛି ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା । ଏଥିପାଇଁ ଉତ୍ସବମୁଖର ରାଜଧାନୀ । ସମ୍ପୂର୍ଣ୍ଣ ଖଣ୍ଡଗିରି ଗିରିଶୃଙ୍ଗ ଏବେ ସାଧୁସନ୍ଥଙ୍କ ଆସ୍ଥାନ ପାଲଟିଛି । ଭଜନକୀର୍ତ୍ତନ, ଯଜ୍ଞରେ ମୁଣ୍ଡିଆ କମ୍ପୁଛି । ଆଉପାଦଦେଶରେ ଚାଲିଛି ଯାତ୍ରା ମହାସମର । ଦିନରେ ସାଧୁଙ୍କୁ ଭେଟିବା ସହ ଯଜ୍ଞସ୍ଥଳରେ ଠାକୁରଙ୍କଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବଜାରରେ ବୁଲି ଘରକରଣା ସାମଗ୍ରୀ କିଣାକିଣି ଓ ଖାଦ୍ୟପେୟର ମଜାନେଉଛନ୍ତି । ରାତିରେ ମଞ୍ଚ ଉପରେ କଳାକାରଙ୍କ ଝଲକ ଦେଖିବାକୁ ଧାଇଁ ଆସୁଛନ୍ତି ।
ସାଧାରଣ ଗଞ୍ଜାଟିଏ । ସାଧୁସନ୍ଥଙ୍କ ସିଏ ଭାରି ଗେହ୍ଲା । ତି ତି ଡାକିଦେଲେ ଶୁଣୁଛି, ଦୌଡିଆସୁଛି । କିଛି ସମୟ ଏପଟସେପଟ ବୁଲୁଛି, ପୁଣି କେଉଁଆଡେ ଉଡିପଳାଉଛି । ଏପରିକି ଜଙ୍ଗଲ ଭିତରେ ତାକୁ ଖୋଜିବା ଭାରି ମୁସ୍କିଲ । କେଉଁଠି ରହେ, କ’ଣ ଖାଏ, ତାହା ବି ଜାଣିବା କାଠିକର ପାଠ । ବଡ଼କଥା, ଯେଉଁଠି ବିଲୁଆ, ବିଲେଇ ଓ କୁକୁର ବୁଲୁଥାନ୍ତି, ସେଠି ଗଞ୍ଜାଟି ଭାରି ସାହସୀ ଭାବରେ ବିଚରଣ କରେ । କାହାକୁ ଡର ନାହିଁ, ସତେ ଯେମିତି ସେ ଭାରି ଲଢୁଆ ।
ଖଣ୍ଡଗିରିରେ ବୁଲୁଥିବା ଏହି ଗଞ୍ଜାକୁ ନେଇ ଏବେ ଭାରି ଚର୍ଚ୍ଚା । ଗତ କିଛିଦିନ ହେବ ଏହି ଗଞ୍ଜାକୁ ନେଇ ନାନା କାହାଣୀ ଶୁଣିବାକୁ ମିଳୁଛି । କିଏ କହୁଛି, ଗଞ୍ଜାଟି ମନକୁ ମନ ତଳେ ଥିବା ଜନବସତିରୁ ଚାଲିଆସିଛି, ଆଉ କିଏ କହୁଛି ଗଞ୍ଜାକୁ କିଏ ଜଣେ ସାଧୁ ଆଣି ଉପରେ ଛାଡିଦେଇଛନ୍ତି । ହେଲେ ଆଜି ବି ଏହ ଗଞ୍ଜାଟି କେଉଁଠୁ ଆସିଛି, ତାହା ଠିକ୍ ଭାବରେ କେହି ଜାଣନ୍ତିନି । ହେଲେ ଖଣ୍ଡଗିରି ପାହାଡ଼ର ମଧ୍ୟଭାଗ ରାଧାକୁଣ୍ଡ ପାଖରେ ଗଞ୍ଜାଟି ରହୁଛି । ସେଇ କୁଣ୍ଡ ପାଖରେ ଯେଉଁ ସାଧୁ ଅଛନ୍ତି, ସେମାନେ ତାକୁ ଖାଇବାକୁ ଦେଉଛନ୍ତି । ଶ୍ରଦ୍ଧାଳୁମାନେ ଆସିଲେ, ଗଞ୍ଜାକୁ ଦେଖିବା ସହ ତାକୁ ମଟର, ବାଦାମ ଆଦି ଦିଅନ୍ତି ।
ଜଣେ ସାଧୁ କହିଛନ୍ତି, ଗଞ୍ଜା ଦେଖିବାକୁ ସାଧାରଣ । ହେଲେ କାମ ଅସାଧାରଣ । ସେ ଭାରି ଦ୍ରୁତଗତିରେ ଦୌଡେ ଓ ଉଡିପାରେ । ଯଦି କେହି ତାକୁ ଆକ୍ରମଣ କରିବାକୁ ଆସେ, ସିଏ ତାକୁ ଆକ୍ରମଣ କରେ । ହେଲେ ସେ ଶ୍ରଦ୍ଧାଳୁଙ୍କୁ କେବେ କ୍ଷତି କରିନି । ଶ୍ରଦ୍ଧାଳୁମାନେ ଗଞ୍ଜାକୁ ଦେଖିଲେ ନମସ୍କାର ବି କରୁଛନ୍ତି ।