ଭୁବନେଶ୍ୱର,୨୪/୧୨: ଆଉ ମାତ୍ର ଏକ ମାସର ଅପେକ୍ଷା । ଆରମ୍ଭ ହୋଇଯିବ ଯାତ୍ରା ଋତୁ । ପୁଣି ଶୁଭିବ ‘ହେଇ ହେଇ ଆଇଲା.., ସମୟ ଘନେଇ ଆସିଲା..’, ‘ଏବର୍ଷର ଶ୍ରେଷ୍ଠ ସାମାଜିକ ନାଟକ..’ ‘ଆସନ୍ତୁ ଆସନ୍ତୁ’..., ଏମିତି ଅନେକ । ଦିନସାରା ପ୍ରଚାର ଗାଡିରେ ବୁଲିବୁଲି ଏଭଳି କହିବେ ପ୍ରଚାରକ । ଆଉ ରାତି ହେଲେ କମ୍ପିବ ଯାତ୍ରା ମଞ୍ଚ । ନୃତ୍ୟ, ଗୀତ ଓ କଲାକାରଙ୍କ ଡାଇଲଗରେ ଦୁଲୁକିବ ଓଡ଼ିଶାର ସର୍ବବୃହତ ଯାତ୍ରା ମହାସମର ଖଣ୍ଡଗିରିର ମଞ୍ଚ ।
‘ଖଣ୍ଡଗିରି ଯାତ୍ରା ମହାସମର’ରୁ ଯାତ୍ରା ଋତୁ ଆଗେଇବ । ମାଘମେଳା ଅବସରରେ ବିଭିନ୍ନ ଯାତ୍ରା ଅନୁଷ୍ଠାନ ଆସି ଖଣ୍ଡଗିରିରେ ଡେରା ପକାଇବେ । ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଯାତ୍ରା କମିଟି । ଯାତ୍ରା ପାର୍ଟି ପକ୍ଷରୁ ଆବେଦନ ବି ଚାଲିଲାଣି । କମିଟିର କର୍ମକର୍ତ୍ତାମାନେ ଘନ ଘନ ଆଲୋଚନା କରୁଛନ୍ତି । କିଏ କେଉଁ ପାର୍ଟି ଆଣିବ ତର୍କବିତର୍କ ବି ହେଉଛି । ବଡକଥା, ଗତ କିଛିବର୍ଷ ହେବ ୫ରୁ ୬ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେଉଥିଲା । ହେଲେ ଏବର୍ଷ ଜାଗମରା ମେଳଣ ପଡିଆରେ ବି ଯାତ୍ରା ପରିବେଷଣ ହେବାର ସମ୍ଭାବନା ରହିଛି । ଯାହା ବି ହେଉ ନୂଆ ବହି, ନୂଆ କଳାକାରକୁ ନେଇ ଏଥର ମଞ୍ଚ ବେଶ୍ ରଙ୍ଗୀନ ହେବାକୁ ଯାଉଛି ।
ଜାନୁଆରୀ ୨୩ରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ମେଳା । ବୁଲାବୁଲି ସହ ଖାଦ୍ୟର ମଜା ଅପେକ୍ଷା ଯାତ୍ରା ଦେଖିବାକୁ ଗହଳି କାହିଁରେ କେତେ । କେବଳ ଭୁବନେଶ୍ୱର ନୁହେଁ, ଖୋର୍ଦ୍ଧା, କଟକ, ନୟାଗଡ, ପୁରୀ ଆଦି ସ୍ଥାନରୁ ଯାତ୍ରାପ୍ରେମୀମାନେ ଖଣ୍ଡଗିରିକୁ ଧାଇଁ ଆସନ୍ତି । ପ୍ରିୟ ନାୟକ, ନାୟିକାଙ୍କୁ ପାଖରୁ ଦେଖନ୍ତି । ଡାଇଲଗ ଶୁଣି ହୁଇସିଲ୍ ଓ କରତାଳୀ ବି ଦିଅନ୍ତି । ଗୋଟିଏ ସମୟରେ ଖଣ୍ଡଗିରି ସହ ଢେଙ୍କାନାଳର ପ୍ରସିଦ୍ଧ ଯୋରନ୍ଦା ମେଳା ଓ ଯାଜପୁରର ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଥିବାରୁ ଯାତ୍ରା ପାର୍ଟିମାନେ ବି ଦ୍ୱନ୍ଦ୍ୱରେ ପଡିଥାନ୍ତି । ସବୁ ମେଳା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଯାତ୍ରାର କ୍ରେଜ୍ କାହିଁରେ କେତେ । ହେଲେ ଏସବୁ ମଧ୍ୟରେ ଖଣ୍ଡଗିରିର କ୍ରେଜ୍ ଆକାଶଛୁଆଁ ଥାଏ । ଖଣ୍ଡଗିରିରେ ଯାତ୍ରା ପରିବେଷଣ ପାଇଁ ସବୁ ପାର୍ଟିଙ୍କ ଇଚ୍ଛା ବି ରୁହେ । ସେଥିପାଇଁ ଦୁଇଟି ପର୍ଯ୍ୟାୟରେ ଏଠାରେ ଯାତ୍ରା ପରିବେଷଣ ହୋଇଥାଏ । ପ୍ରଥମ ପର୍ଯ୍ୟାୟରେ ୪ରୁ ୫ଟି ଦଳ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଦଳ ଆସି ଯାତ୍ରା ପରିବେଷଣ କରନ୍ତି ।
ଗତବର୍ଷ ଘାଟିକିଆ ସନାତନ ସେବା ସଦନ, ଜାଗମରା ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜୟଦୁର୍ଗା ସାଂସ୍କୃତିକ ପରିଷଦ, ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲ, ଜାଗମରା ଇନ୍ଦିରା ସାଂସ୍କୃତିକ ମଣ୍ଡପ, ବରମୁଣ୍ଡା ବାବା ନୀଳକଣ୍ଠେଶ୍ୱର ଯାତ୍ରା କମିଟି ପକ୍ଷରୁ ୬ଟି ପେଣ୍ଡାଲରେ ୧୨ଟି ଅପେରା ପାର୍ଟି ନାଟକ ପରିବେଷଣ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସୂର୍ଯ୍ୟମନ୍ଦିର, ଦୁର୍ଗା ମନ୍ଦିର, ଅପେରା ପୃଥ୍ୱୀରାଜ, ଶିବାନୀ ଗଣନାଟ୍ୟ, ଯାତ୍ରା ବିଶ୍ୱଦରବାର, ଯାତ୍ରା ଯାଜ୍ଞସେନୀ ଓ ଦ୍ୱିତୀୟ ପର୍ଯ୍ୟାୟରେ କୋଣାର୍କ, ସ୍ୱର୍ଣ୍ଣମହଲ, ତୁଳସୀ, ସିଂହବାହିନୀ, ସ୍ୱପ୍ନମହଲ, ରଙ୍ଗମହଲ ଭଳି ଆଗଧାଡିର ପାର୍ଟି ଆସି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଚଳିତବର୍ଷ ବି ସମାନ ଢଙ୍ଗରେ ଯାତ୍ରା ମଞ୍ଚସ୍ଥ ହେବ । ହେଲେ ପେଣ୍ଡାଲ ସଂଖ୍ୟା ବଢାଇବାକୁ ଆଲୋଚନା ଚାଲିଛି ।
ଅପରପକ୍ଷେ, ଦୀର୍ଘଦିନର ବିରତି ପରେ ଯାତ୍ରାମଞ୍ଚକୁ ପୁଣି ଥରେ ପାଦ ରଖିବାକୁ ଯାଉଥିବା ଅଭିନେତା ପୀୟୁଷ ତ୍ରିପାଠୀ, ଅଭିନେତା କାହ୍ନା ସ୍ୱାଇଁ, ବରିଷ୍ଠ ଅଭିନେତା ଗୌର ଦାସ ଓ ଯୁବ ଖଳନାୟକ ସାଇଙ୍କୁ ନେଇ ଏଥର କ୍ରେଜ୍ ରହିଛି । ଗତବର୍ଷ ପୀୟୁଷଙ୍କ ଅଭିନୀତ ହାଇଦର ଖଣ୍ଡଗିରିରେ ବାଜିମାତ କରିଥିଲା । ତେଣୁ ଏଥରକ ପୀୟୁଷ ଖଣ୍ଡଗିରିକୁ ଆସିବେ କି ନାହିଁ ତାହା ସମୟ କହିବ । ଇତିମଧ୍ୟରେ ୭ଟି ପାର୍ଟି ଆସିବା ନେଇ ଆଲୋଚନା ହୋଇଛି ।