ନୂଆଦିଲ୍ଲୀ: ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ଆତ୍ମଘାତୀ ବିସ୍ଫୋରଣ । ଶନିବାର ଘଟିଥିବା ଏହି ଆତ୍ମଘାତୀ ଆକ୍ରମଣରେ ୮ ଜଣଙ୍କ ଜୀବନ ଯାଇଛି । ଆଫଗାନିସ୍ତାନ ସୀମାକୁ ଲାଗି ଥିବା ମିର୍‌ ଅଲୀ ଚେକ୍‌ ପଏଣ୍ଟରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।  ତିନି ଚକିଆ ଯାନରେ ଆସିଥିବା ଆକ୍ରମଣକାରୀ ଚେକ୍‌ ପଏଣ୍ଟ ଏବଂ ସୁରକ୍ଷା କର୍ମୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ।  ୮ ମୃତକଙ୍କ ମଧ୍ୟରେ ୪ ଜଣ ପୋଲିସ କର୍ମୀ, ଦୁଇ ଜଣ ସୈନିକ ଏବଂ ଦୁଇ ଜଣ ନାଗରିକ ସାମିଲ ଅଛନ୍ତି ।   ଏହି ବିସ୍ଫୋରଣରେ ଅନ୍ୟ କେତେଜଣ ଆହତ ହୋଇଛନ୍ତି । ଆହତଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  

ଏହା ପୂର୍ବରୁ ଶୁକ୍ରବାର ଆଫଗାନିସ୍ତାନ ସୀମାରେ ହୋଇଥିବା ଆକ୍ରମଣରେ ୧୦ ପୋଲିସ କର୍ମୀ ପ୍ରାଣ ହରାଇଥି‌ଲେ । ଗତକାଲି ଏହି ଆକ୍ରମଣ  ଖୈବର ପଖତୁନଖ୍ବାର ଡେରା ଇସ୍ମାଇଲ ଖାନ ଜିଲ୍ଲାରେ ହୋଇଥିଲା । ୨୦ରୁ ୨୫ ଆତଙ୍କବାଦୀ ଏକ ଚେକ୍‌ ପୋଷ୍ଟକୁ ଟାର୍ଗେଟ କରିଥିଲେ । ତେବେ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଥିଲା ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) । 

ସୂଚନାଯୋଗ୍ୟ, ଆଫଗାନିସ୍ତାନକୁ ୨୦୨୧ରେ ତାଲିବାନ କବଜା କରିବା ପରଠାରୁ  ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି । ବିଶେଷ କରି ଖୈବର ପଖତୁନଖ୍ବା ଏବଂ ବଲୁଚିସ୍ତାନରେ ଟିଟିପି ଆତଙ୍କବାଦୀ ଆତଙ୍କ ଖେଳାଉଛନ୍ତି । ସେପଟେ ଉତ୍ତର ଓ୍ବଜିରିସ୍ତାନରେ ପାକିସ୍ତାନ ସେନା ଦ୍ବାରା କରାଯାଇଥିବା ଆତଙ୍କବାଦ ନିରୋଧୀ ଅଭିଯାନରେ ୧୨ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।