ବୃକ୍‌କ ଆମ ଶରୀରରୁ ବର୍ଜ୍ୟବସ୍ତୁକୁ ବାହାର କରି ପ୍ରୋଟିନ୍‌, ସୋଡିୟମ୍‌ ଇତ୍ୟାଦିକୁ ସଂରକ୍ଷିତ ରଖେ ଏବଂ ମଣିଷକୁ ଦୀର୍ଘାୟୁ କରିଥାଏ । ତେବେ ଦୀର୍ଘ ଦିନ ଧରି ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ନିୟନ୍ତ୍ରଣରେ ନ ରହିଲେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ । ଉପଯୁକ୍ତ ଚିକିତ୍ସା ନ କଲେ ବୃକ୍‌କ(କିଡ୍‌ନୀ) ଉପରେ କୁପ୍ରଭାବ ପଡ଼େ । ତେବେ କିଡ୍‌ନୀ ଜନିତ ସମସ୍ୟାକୁ ଏଡ଼ାଇ ପାରିବା ଲାଗି ସତର୍କତା ଜରୁରି ।

ଲକ୍ଷଣ 

ଅନେକ ସମୟରେ ପ୍ରାଥମିକ ଅବସ୍ଥାରେ କିଡ୍‌ନୀ ସମସ୍ୟାର ଲକ୍ଷଣ ଜଣାପଡ଼ି ନଥାଏ । ମାତ୍ର ଧୀରେ ଧୀରେ ବିଭିନ୍ନ ଲକ୍ଷଣ ଦେଖାଯାଇ ସାଂଘାତିକ ରୂପ ନିଏ । ଯେମିତିକି ଦେହହାତ ଦରଜ ହେବା, ବାରମ୍ବାର ପରିସ୍ରା ଲାଗିବା, ଭୋକ ମରିଯିବା, ହାତଗୋଡ଼ ଓ ଗୋଇଠି ଫୁଲି ଯିବା ଇତ୍ୟାଦି । ରୋଗର ପ୍ରଭାବ ଅଧିକ ହେଲେ ଶ୍ୱାସକ୍ରିୟାରେ କଷ୍ଟ ହୁଏ ଏବଂ ପରିସ୍ରାରେ ଫେଣ ଦେଖାଯାଏ, ଆଖି ତଳ ଫୁଲିଯାଏ, ଚର୍ମ କୁଣ୍ଡାଇ ହୁଏ, ଶୋଇବାରେ ସମସ୍ୟା ସୃଷ୍ଟି ହେବା ସହ ମନ ଅସ୍ଥିର ରହେ । କିଡ୍‌ନୀ ୮୫ ଭାଗରୁ ଅଧିକ ଖରାପ ହୋଇଗଲେ, ଶରୀରର ବର୍ଜ୍ୟବସ୍ତୁ ଏକତ୍ରିତ ହୋଇ ହୃତ୍‌ପିଣ୍ଡ, ମସ୍ତିଷ୍କ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଅକାମୀ କରିଦିଏ  । 

କାରଣ 

ମଧୁମେହ ତଥା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ନରହିଲେ କିଡ୍‌ନୀ ସମସ୍ୟା ଦେଖାଦିଏ । କିଡ୍‌ନୀକୁ ନିଜ କ୍ଷମତାଠାରୁ ଅଧିକ କାମ କରିବାକୁ ପଡ଼େ । ଫଳରେ କିଡ୍‌ନୀକୁ ଶକ୍ତି ତଥା ଅମ୍ଳଜାନ ଯୋଗାଉଥିବା ଛୋଟ ଛୋଟ ଧମନୀଗୁଡ଼ିକ ଅବରୋଧ ହୋଇଯାଏ । ତାପରେ କିଡ୍‌ନୀର ମାଂସପେଶୀ ଶିଥିଳ ହୋଇଯାଏ । ଏହା ଠିକ୍‌ ରୂପେ କାମ କରିପାରେନି । ମଧୁମେହ, ଉଚ୍ଚ ରକ୍ତଚାପ ବ୍ୟତୀତ ଅନ୍ୟାନ୍ୟ ହୃଦ୍‌ଜନିତ ରୋଗ, ବଂଶଗତ ରୋଗ, ବୟସ, ମେଦ ବହୁଳତା, ଅତ୍ୟଧିକ ମଦ୍ୟପାନ ଓ ଧୂମପାନ, ଲମ୍ବା ସମୟ ଧରି ପେନ୍‌କିଲର୍‌ (ଯନ୍ତ୍ରଣା ଉପଶମକାରୀ ଔଷଧ) ତଥା ଅନ୍ୟାନ୍ୟ ଔଷଧ ସେବନ ଦ୍ୱାରା କିଡ୍‌ନୀ ରୋଗ ହୋଇଥାଏ । 

ସତର୍କତା 

ମଝିରେ ମଝିରେ କିଡ୍‌ନୀର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ । ଅତ୍ୟଧିକ ପାଣି ପିଇବା ଦ୍ୱାରା ସୋଡିୟମ୍‌, ପୋଟାସିୟମ୍‌ ଏବଂ ଫସ୍‌ଫରସ୍‌ ଭଳି ଖଣିଜ ଲବଣ ଶରୀରରୁ ନିଷ୍କାସିତ ହୋଇ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଥାଏ । ଆଜିକାଲି ଆମେ ସୁଷମ ଖାଦ୍ୟ ନଖାଇ ଅତ୍ୟଧିକ ତୈଳଜାତୀୟ, ମାଛ, ମାଂସ, ମିଠା ଜାତୀୟ ଖାଦ୍ୟ ଖାଇବା ସହ ଥଣ୍ଡା ପାନୀୟରେ ଅତ୍ୟଧିକ ଲବଣ ସହିତ ମସଲା ଖାଦ୍ୟ ମିଶାଇ ପିଇଥାଉ । ଏହାଫଳରେ କିଡ୍‌ନୀ ଉପରେ ଅଧିକ ଚାପ ପଡ଼େ । ବାରମ୍ବାର ଏପରି ଖାଦ୍ୟ ଖାଇଲେ କିଡ୍‌ନୀ ଅକାମୀ ହୋଇଯାଏ । 

ଚିକିତ୍ସା 

ଡାଏଲିସିସ୍‌ ଦ୍ୱାରା କିଡ୍‌ନୀରେ ଜମିଥିବା ବର୍ଜ୍ୟବସ୍ତୁକୁ ବାହାର କରି ପ୍ରୋଟିନ୍‌ ଓ ସୋଡିୟମ୍‌ ଇତ୍ୟାଦିକୁ ପୁଣି ରକ୍ତ ପ୍ରବାହ ମଧ୍ୟକୁ ଛଡ଼ାଯାଇଥାଏ । କିଡ୍‌ନୀ ୮୫ରୁ ୯୦ ପ୍ରତିଶତ ଅକାମୀ ହୋଇଗଲେ ପ୍ରତି ସପ୍ତାହରେ ବା ନିୟମିତ ଭାବରେ ଡାଏଲିସିସ୍‌ କରିବାକୁ ହୁଏ । ଡାଏଲିସିସ୍‌ ବିଫଳ ହେଲେ କିଡ୍‌ନୀ ପ୍ରତିରୋପଣ କରାଯାଏ । ତେଣୁ ମୋଟାମୋଟି କୁହାଯାଇପାରେ ଯେ ପ୍ରାକୃତିକ ଜୀବନଶୈଳୀ ତଥା ସନ୍ତୁଳିତ ଖାଦ୍ୟ ଓ ଔଷଧ ସେବନ ହିଁ ଏହି କିଡ୍‌ନୀଜନିତ ସମସ୍ୟାକୁ ଏଡ଼ାଇ ପାରିବ । 

ଡା. ସୌରଭ କୁମାର ସ୍ରିଷ୍ଟି ସହକାରୀ ପ୍ରଫେସର, ନେଫ୍ରୋଲୋଜି ବିଭାଗ, ଭିମ୍‌ସାର୍‌ , ବୁର୍ଲା