ନୂଆଦିଲ୍ଲୀ ୦୭/୧୧: ସର୍ବପ୍ରଥମ ବିଶ୍ୱ ସୁନ୍ଦରୀ କିକି ହାକାନ୍ସନ୍ଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଛି । ଗତ ସୋମବାର ଅର୍ଥାତ୍ ୪ ତାରିଖରେ କାଲିଫର୍ଣ୍ଣିଆ ସ୍ଥିତ ନିଜ ଘରେ ଶୋଇଥିବା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପରିବାର କହିଛି, ଶାନ୍ତିରେ ଓ ଆରାମଦାୟକ ଭାବେ କିକିଙ୍କର ପରଲୋକ ହୋଇଛି । ମିସ୍ ୱର୍ଲଡ୍ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଏହା ଘୋଷଣା କରାଯାଇଛି ।
ସ୍ୱିଡେନ୍ରେ ଜନ୍ମିତ କିକି ୧୯୫୧ ମସିହାରେ ଲଣ୍ଡନରେ ଅନୁଷ୍ଠିତ ସର୍ବପ୍ରଥମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ବିଶ୍ୱ ସୁନ୍ଦରୀ ମୁକୁଟ ବିଜୟିନୀ ହୋଇ ଇତିହାସ ରଚିଥିଲେ । ୧୯୫୧ ମସିହା, ଜୁଲାଇ ୨୯ ତାରିଖରେ ଲାଇସିୟମ୍ ବଲ୍ରୁମ୍ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ବ୍ରିଟେନର ପର୍ବ ସହ ମିଶି ଥରୁଟିଏ କାର୍ଯ୍ୟକ୍ରମ ଭାବେ ଆୟୋଜିତ ହୋଇଥିଲା । କିନ୍ତୁ ପରେ ଏହା ଏକ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ପାଲଟିଲା । କିକିଙ୍କ ବିଜୟ ବିଶ୍ୱ ସୁନ୍ଦରୀ ପରମ୍ପରାର ମୂଳଦୁଆ ପକାଇଲା ।

କିକିଙ୍କ ପରଲୋକରେ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟୁଛି । ମିସ୍ ୱର୍ଲଡ୍ ଚେୟାରଓମ୍ୟାନ୍ ଜୁଲିଆ ମୋର୍ଲି କିକିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜ ବ୍ୟକ୍ତିଗତ ବିଚାର ଶେୟାର କରିଛନ୍ତି । କହିଛନ୍ତି, ପ୍ରଥମ ବିଶ୍ୱ ସୁନ୍ଦରୀ ଭାବେ ଇତିହାସରେ ସ୍ଥାନ ହାସଲ କରିଥିବା ଉଚିତ୍ ବ୍ୟକ୍ତିତ୍ୱ ଥିଲେ କିକି । ତାଙ୍କର ସ୍ମୃତି ସର୍ବଦା ଜୀବନ୍ତ ହୋଇ ରହିବ, ସେ ସର୍ବଦା ଆମ ହୃଦୟରେ ରହିବେ । କିକିଙ୍କ ଦେହାନ୍ତ ସହିତ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଗୋଟିଏ ଯୁଗର ଅନ୍ତ ହୋଇଛି । କିନ୍ତୁ ପ୍ରଥମ ବିଶ୍ୱ ସୁନ୍ଦରୀ ଟାଇଟଲ ବିଜୟିନୀ ଭାବେ ତାଙ୍କ ଉପଲବ୍ଧି ଆଗାମି ପିଢ଼ିଙ୍କୁ ପ୍ରେରଣା ଦେଉଥିବ ।