ଜାଣନ୍ତୁ ପ୍ରଧାନମନ୍ତ୍ରୀ,ସାଂସଦ ଏବଂ ବିଧାୟକଙ୍କ ମାସିକ ଦରମା କେତେ ରହିଥାଏ?

ନୂଆଦିଲ୍ଳୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୭ଟାରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଅତିଥି ଯୋଗ ଦେବେ। ଆଜିର ଭବ୍ୟ କାର୍ଯ୍ୟକ୍ରମ, ଅତିଥି, ମେନ୍ୟୁ ଏବଂ ଭେନ୍ୟୁ ବିଷୟରେ ମଧ୍ୟ ଜାଣି ସାରିଥିବେ। କିନ୍ତୁ ଏପର୍ଯ୍ୟନ୍ତ ଜଣାପଡିନାହିଁ ଯେ, ମୋଦିଙ୍କ ସହିତ ତାଙ୍କ ସହ କେଉଁ ନେତାମାନେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଆଉ କିଛି ଘଣ୍ଟା ଭିତରେ ଏହା ସ୍ପଷ୍ଟ ହୋଇଯିବ। କିନ୍ତୁ ଆପଣ ଭାବୁଥିବେ ଦେଶର ସମ୍ବିଧାନିକ ପଦବୀରେ ରହୁଥିବା ଲୋକଙ୍କ ମାସିକ ବେତନ କେତେ ହୋଇଥାଏ? ତେବେ ଆସନ୍ତୁ ଜାଣିବା…

ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା ୧.୬୦ ଲକ୍ଷ ପ୍ରତିମାସରେ ହୋଇଥାଏ। ବେତନ ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଦିନ ଭତ୍ତା ମିଳିଥାଏ, ଯାହାକି ୨୦୦୦ ଟଙ୍କା ରହିଥାଏ। ସେହି ହିସାବରେ ପ୍ରଧାନମନ୍ତ୍ରୀଙ୍କ ମାସକୁ ୬୦ ହଜାର ଟଙ୍କାର ଭତ୍ତା ମିଳିଥାଏ। ଏହାଛଡା ତାଙ୍କୁ ୪୫,୦୦୦ ଟଙ୍କାର କନଷ୍ଟିଚ୍ୟୁଏନ୍ସି ଅର୍ଥାତ ନିର୍ବାଚନ କ୍ଷେତ୍ରର ଭତ୍ତା ମିଳିଥାଏ। ମାଗଣାରେ ରେଳ ଓ ବିମାନରେ ଯାତ୍ରା କରିବାର ଲାଭ ଏବଂ ସୁଖ-ସୁବିଧା ମିଳିଥାଏ।

ପ୍ରଧାନମନ୍ତ୍ରୀ ଅବସର ଗ୍ରହଣ କରିବା ପରେ ତାଙ୍କୁ ୨୦,୦୦୦ ଟଙ୍କା ପ୍ରତିମାସରେ ପେନଶନ୍ ମିଳିଥାଏ ଓ ରହିବା ପାଇଁ ଦିଲ୍ଲୀରେ ଏକ ବଙ୍ଗଳା ମିଳିଥାଏ। ଯେଉଁଥିରେ ତାଙ୍କ ସହିତ ତାଙ୍କ ପିଏ କିମ୍ବା ଜଣେ ଚପରାସୀ ରହିଥାନ୍ତି। ଅବସର ପାଇବା ପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ମାଗଣାରେ ରେଳ ଏବଂ ବିମାନ ଯାତ୍ରାର ଲାଭ ମିଳିଥାଏ। କେବଳ ସେତିକି ନୁହେଁ ପ୍ରତିବର୍ଷ ୬୦୦୦ ଟଙ୍କା ଅଫିସ ଖର୍ଚ୍ଚ ଭାବରେ ଦିଆଯାଇଥାଏ ଓ ୧ ବର୍ଷ ପାଇଁ ଏସପିଜି କଭର ମଧ୍ୟ ଦିଆଯାଇଥାଏ।

ଦେଶର ସମସ୍ତ ସାଂସଦଙ୍କୁ ‘ଦ ସାଲାରୀ, ଆଲାଉନ୍ସ ଆଣ୍ଡ ପେନଶନ୍ ଅଫ ମେମ୍ବର୍ସ ଅଫ୍ ପାର୍ଲିଆମେଣ୍ଟ ଆକ୍ଟ’ ଅନୁସାରେ ବେତନ ମିଳିଥାଏ, ଏହା ଅନୁସାରେ ଜଣେ ସାଂସଦଙ୍କୁ ୧,୦୦,୦୦୦ ଟଙ୍କାର ବେସିକ୍ ସାଲାରୀ ଓ ୪୫,୦୦୦ ଟଙ୍କାର ନିର୍ବାଚନୀ ଭର୍ତ୍ତା ମିଳିଥାଏ।

ସେଭଳି ବିଧାୟକଙ୍କ ଦରମା ୧ ଲକ୍ଷ ଟଙ୍କାରୁ ଅଧିକ। ରାଜ୍ୟ ହିସାବରେ ବିଧାୟକଙ୍କ ଦରମାରେ ପ୍ରଭେଦ ଦେଖିବାକୁ ମିଳିଥାଏ। ବିଧାୟକଙ୍କୁ ସବୁଠାରୁ ଅଧିକ ଦରମା ଦେଉଥିବା ରାଜ୍ୟ ହେଲା ତେଲେଙ୍ଗାନା। ତେଲେଙ୍ଗାନର ବିଧାୟକମାନେ ୨.୫ ଲକ୍ଷ ଟଙ୍କା ମାସିକ ଦରମା ପାଇଥାନ୍ତି। ଏହାପରେ ଦିଲ୍ଲୀ ୨ ନମ୍ବରରେ ରହିଛି,ସେଠାରେ ବିଧାୟକଙ୍କୁ ୨.୧ ଲକ୍ଷ ଟଙ୍କା ପ୍ରତିମାସ ବେତନ ମିଳିଥାଏ।