ଭୁବନେଶ୍ୱର ୧୬/୧୨: ଶଙ୍ଖ ଧ୍ୱନି ଅତ୍ୟନ୍ତ ଶୁଭପ୍ରଦ । ସମସ୍ତ ପୂଜାର୍ଚ୍ଚନା, ପର୍ବପର୍ବାଣୀ ତଥା ବିବାହ ବ୍ରତ ଆଦି ଶୁଭକର୍ମରେ ଶଙ୍ଖ ଫୁଙ୍କାଯିବାର ପରମ୍ପରା ରହିଛି । କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ଲକ୍ଷ୍ୟ ସାଧନ କାମନାରେ ଶୁଭଶଙ୍ଖ ଫୁଙ୍କି ଏହାର ଆରମ୍ଭ କରାଯାଇଥାଏ । ଶଙ୍ଖ ଦୁଇପ୍ରକାରର ରହିଛି । ଗୋଟିଏ ବାମାବର୍ତ୍ତ ଶଙ୍ଖ ଏବଂ ଅନ୍ୟଟି ଦକ୍ଷିଣାବର୍ତ୍ତ ଶଙ୍ଖ । ଦକ୍ଷିଣାବର୍ତ୍ତ ଶଙ୍ଖ ଅଧିକ ଶୁଭ ବୋଲି ବିଶ୍ୱାସ ରହିଛି । ଶଙ୍ଖ ଫୁଙ୍କିବାର ନିୟମ ମଧ୍ୟ ରହିଛି । ଯାହାକୁ ପାଳନ କରିବା ନିହାତି ଜରୁରି ।
ଶଙ୍ଖ ଫୁଙ୍କିବାବେଳେ ଧ୍ୱନିଟି ସମ୍ପୂର୍ଣ୍ଣ ହେବା ଯାଏ ଫୁଙ୍କିବା ଉଚିତ । ଶଙ୍ଖ ଫୁଙ୍କିବା ଦ୍ୱାରା ବାତାବରଣରୁ ନକାରାତ୍ମକ ଉର୍ଜା ଦୂରୀଭୂତ ହୋଇଥାଏ । ଦେବଦେବୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ । ଧାର୍ମିକ ମାନ୍ୟତା ବ୍ୟତୀତ ବୈଜ୍ଞାନିକ କାରଣ ଦୃଷ୍ଟିରୁ ମଧ୍ୟ ଏହାର ସୁପ୍ରଭାବ ରହିଛି । ଯେପରି ଶଙ୍ଖ ଫୁଙ୍କିବା ଦ୍ୱାରା ହୃତ୍ପିଣ୍ଡ ସୁସ୍ଥ ରହିବାରେ ସହାୟକ ହୋଇଥାଏ । ଶଙ୍ଖନାଦର ସୁପ୍ରଭାବକୁ ନେଇ ପ୍ରାଚୀନ ଗ୍ରନ୍ଥମାନେ ମୁଖର । ଅଥର୍ବ ବେଦ ଏବଂ ରଣବୀର ଭକ୍ତି ରତ୍ନାକରରେ ଏ ସମ୍ପର୍କରେ ରହିଛି ସୂଚନା । ଶଙ୍ଖ ଆମର ଜୀବନରୁ ବାଧାବିପତ୍ତି ଦୂର କରିବା ସହିତ ଶାନ୍ତି ରକ୍ଷା ଦିଗରେ ସହାୟତା କରିଥାଏ ବୋଲି ଅଥର୍ବ ବେଦ ଦର୍ଶାଇଥିବା ସ୍ଥଳେ ରଣବୀର ଭକ୍ତି ରତ୍ନାକରରେ କୁହାଯାଇଛି ଯେ ଶଙ୍ଖ ଧ୍ୱନି (ନାଦ) ଠାରୁ ବଡ଼ ମନ୍ତ୍ର ନାହିଁ ।

ଦେବତା ଏବଂ ଦାନବଙ୍କ ଦ୍ୱାରା ସମୁଦ୍ର ମନ୍ଥନରୁ ଉତ୍ପନ୍ନ ହୋଇଥିଲା ଅନେକ ଧନରତ୍ନ । ସେହି ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ । ପଞ୍ଚଜନ୍ୟ ନାମକ ଏହି ଶଙ୍ଖର ଗୁଣରେ ପ୍ରଭାବିତ ହୋଇ ସ୍ୱୟଂ ବିଷ୍ଣୁ ଏହାକୁ ଧାରଣ କରିବା ପାଇଁ ମନୋନୀତ କରିନେଇଥିଲେ । ବିଷ୍ଣୁଙ୍କ ସ୍ୱରୂପ ଭାବେ ହିନ୍ଦୁମାନଙ୍କ ପୂଜାଘରେ ଶଙ୍ଖ ପୂଜା ପାଇଥାନ୍ତି । ଭାରତୀୟ ସାଂସ୍କୃତିକ ଜୀବନର ଏକ ଅଭିନ୍ନ ଅଂଶ ଶଙ୍ଖକୁ ଉଭୟ କଳା ଏବଂ ବାସ୍ତୁକଳାରେ ଉପଯୋଗ କରାଯାଇଥାଏ ।