ଉତ୍ତରପ୍ରଦେଶ, ୧୯।୧: ଉତ୍ତରପ୍ରଦେଶର ଦିଲ୍ଲୀ-ହାୱଡ଼ା ରେଳ ମାର୍ଗ ଦେଶର ସବୁଠୁ ବ୍ୟସ୍ତବହୁଳ ରେଲୱେ ରୁଟ୍ । ଏହି ରେଲୱେ ରୁଟ୍ରେ ଚାଲୁଥିବା ନନ୍ଦନ କାନନ ଏକ୍ସପ୍ରେସରେ ଜଣେ ମହିଳା ଯାତ୍ରୀଙ୍କ ସହ ଅଭାବନୀୟ ଘଟଣା ଘଟିଛି । ଜାନୁଆରୀ ୧୪ରେ ଟ୍ରେନରେ ଯାତ୍ରା କରୁଥିବା ସମୟରେ, ତାଙ୍କୁ ଜଣେ ବ୍ୟକ୍ତି ନିଶା ଔଷଧ ଖୁଆଇ ଅଚେତ କରିଦେଇଥିଲା । ପରେ ତାଙ୍କ ୧୦ ମାସର ଶିଶୁକୁ ଚୋରି କରିନେଇଥିଲା । ଏହି ଘଟଣା ରେଳବାଇ ଏବଂ ରେଳ ମହାନିର୍ଦ୍ଦେଶାଳୟ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

ଲଡ଼ୁ ଖାଇ ଚେତାଶୂନ୍ୟ ହୋଇଗଲେ ମହିଳା:

ଆଲିଗଡ଼ର କ୍ୱାର୍ସି ଥାନା ଅଞ୍ଚଳର ବାସିନ୍ଦା ରାଜୁଙ୍କ ସ୍ତ୍ରୀ ମୁନ୍ନି ବେଗମ୍ ଜାନୁଆରୀ ୧୪ ତାରିଖରେ ନନ୍ଦନ କାନନ ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ ଆଲିଗଡ଼ ରେଳ ଜଙ୍କସନରୁ ଝାଡ଼ଖଣ୍ଡର କୋଡରମା ଯାତ୍ରା କରୁଥିଲେ । ଟ୍ରେନ୍ରେ ସବୁଜ ସ୍ୱେଟର ପିନ୍ଧିଥିବା ଜଣେ ଯୁବକ ମୁନ୍ନିଙ୍କ ସହ କଥାବାର୍ତ୍ତା ପରେ ବନ୍ଧୁତା କଲେ । ସେହି ସମୟରେ ତାଙ୍କୁ ବେସନ ଲଡ଼ୁ ଖାଇବାକୁ ଦେଇଥିଲେ । ଲଡ଼ୁ ଖାଇବା ପରେ ମହିଳା ଜଣକ ଅଚେତ୍ ହୋଇଯାଇଥିଲେ । ପରେ ଯୁବକ ଜଣକ ତାଙ୍କ ୧୦ ମାସର ଶିଶୁକୁ ଚୋରି କରିନେଇଥିଲେ ।ନନ୍ଦନକାନନ ଏକ୍ସପ୍ରେସ୍ ମିର୍ଜାପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ମହିଳା ଜଣକ ଚେତା ଫେରି ପାଇଲେ । ସେତେବେଳକୁ ତାଙ୍କ ପିଲାଟି ଚୋରି ହୋଇସାରିଥିଲା । ନିଖୋଜ ଶିଶୁଟିର ନାଁ ଇବ୍ରାହିମ୍ । ମହିଳା ଜଣକ ଟ୍ରେନ୍ ଚେନ୍ ଟାଣିଥିଲେ । ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା ।

​​​​​​​

ପୋଲିସର ତଦନ୍ତ ଆରମ୍ଭ:

ରେଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ, ମିର୍ଜାପୁର ଜିଆରପିରେ ଏକ ଜିରୋ ଏଫଆଇଆର୍ ପଞ୍ଜିକୃତ କରାଯାଇଥିଲା ଏବଂ ମାମଲାଟି ଇଟାୱା ଜିଆରପିକୁ ସ୍ଥାନାନ୍ତରିତ କରାଯାଇଛି । ଇଟାୱା ଜିଆରପି ଏକ ମାମଲା ପଞ୍ଜିକୃତ କରି ତଦନ୍ତ ଆରମ୍ଭ କରିଛି । ଦୁଇଟି ଦଳ ଶିଶୁ ଏବଂ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି । ମିର୍ଜାପୁରରୁ ଇଟାୱା ପର୍ଯ୍ୟନ୍ତ ଷ୍ଟେସନଗୁଡ଼ିକର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ମୁନ୍ନି ବେଗମ ଝାଡ଼ଖଣ୍ଡ କୋଡରମା ବାସିନ୍ଦା । ସେ ତାଙ୍କ ବଡ଼ ପୁଅକୁ ଆଣିବା ପାଇଁ ତାଙ୍କ ବାପା ଘରକୁ ଯାଉଥିଲେ । ତାଙ୍କ ସ୍ୱାମୀ ଆଲିଗଡ଼ର କ୍ୱାର୍ସି ଅଞ୍ଚଳରେ ଜଣେ ମେକାନିକ୍ । ମୁନ୍ନିଙ୍କର ୪ଟି ପିଲା ଅଛନ୍ତି । ଜିଆରପି ଅଧିକାରୀମାନେ କହିଛନ୍ତି ଯେ, ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି ଏବଂ ପିଲାଟିକୁ ଶୀଘ୍ର ଉଦ୍ଧାର କରାଯିବ ।