୬ ବର୍ଷ ପରେ ଟେଷ୍ଟ ରାଙ୍କିଂର ଟପ୍-୧୦ରୁ ବାଦ୍ ପଡିଲେ କୋହଲି, ୫ଟି ସ୍ଥାନ ଉପରକୁ ଉଠିଲେ ପନ୍ତ

ନୂଆଦିଲ୍ଲୀ ୦୬/ ୦୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ୫ମ ଟେଷ୍ଟରେ ଟିମ୍ ଇଣ୍ଡିଆ ମଙ୍ଗଳବାର ପରାଜିତ ହେବାପରେ ୫ ଟିକିଆ ସିରିଜ ୨-୨ରେ ଡ୍ର’ ରହିଛି । ୫ମ ଟେଷ୍ଟକୁ ୭ ଓ୍ବିକେଟରେ ଜିତିନେଇଥିଲା ଘରୋଇ ଇଂଲଣ୍ଡ । ଗତ ବର୍ଷ ଆରମ୍ଭ ହୋଇଥିବା ଏହି ସିରିଜ କରୋନା ମହାମାରୀ କାରଣରୁ ବାତିଲ ହୋଇଯାଇଥିଲା । ୪ଟି ମ୍ୟାଚ୍ ଶେଷ ହୋଇଥିବା ବେଳେ ଶେଷ ମ୍ୟାଚ ଜୁଲାଇ ୧ ତାରିଖରୁ ଏଜବେଷ୍ଟନରେ ଖେଳାଯାଇଥିଲା । ତେବେ ଏହି ମ୍ୟାଚରେ ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା ।
କୋହଲିଙ୍କ ପ୍ରଶଂସକ ତାଙ୍କ ଶତକକୁ ୩ ବର୍ଷ ହେଲା ଚାତକ ଭଳି ଚାହିଁ ରହିଥିବା ବେଳେ ସେ ଅର୍ଦ୍ଧଶତକ ମଧ୍ୟ କରିବାକୁ ସକ୍ଷମ ହୋଇପାରୁନାହାନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପ୍ରଥମ ଇନିଂସରେ ୧୧ ଏବଂ ଦ୍ବିତୀୟ ଇନିଂସରେ ୨୦ ରନ କରିବାକୁ ସକ୍ଷମ ହୋଇଥିଲେ ବିରାଟ । ଏଥି ସହିତ ତାଙ୍କର ଟେଷ୍ଟ ରାଙ୍କିଂ ମଧ୍ୟ ଖସିଛି । ୬ ବର୍ଷ ହେଲା ଟେଷ୍ଟ ଫର୍ମାଟରେ ଟପ୍-୧୦ ଭିତରେ ରହୁଥିବା କୋହଲି ଏବେ ଏଥିରୁ ବାଦ୍ ପଡିଛନ୍ତି । କୋହଲି ଏବେ ୭୧୪ ପଏଣ୍ଟ ସହ ୧୩ତମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଇଂଲଣ୍ଡ ବିପକ୍ଷରେ ଧମାକାଦାର ବ୍ୟାଟିଂ କରିଥିବା ଋଷଭ ପନ୍ତ ୫ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ପଞ୍ଚମ ସ୍ଥାନରେ ରହିଛନ୍ତି । ସେହିଭଳି ରୋହିତ ଶର୍ମା ଗୋଟିଏ ସ୍ଥାନ ତଳକୁ ଖସି ୯ମ ସ୍ଥାନରେ ରହିଛନ୍ତି ।
ଟେଷ୍ଟ ଫର୍ମାଟରେ ୯୨୩ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି ଇଂଲଣ୍ଡର ଜୋ ରୁଟ୍ । ସେହିଭଳି ଅଷ୍ଟ୍ରେଲିଆର ମାର୍ନସ୍ ଲାବୁସେନ ୮୭୯ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନ, ଷ୍ଟେଭ୍ ସ୍ମିଥ୍ ୮୨୬ ପଏଣ୍ଟ ସହ ତୃତୀୟ, ପାକିସ୍ତାନର ବାବର ଆଜମ ୪ର୍ଥ, ଋଷଭ ପନ୍ତ ପଞ୍ଚମ, କେନ୍ ଓ୍ବଲିୟମସନ ୬ଷ୍ଠ, ଉସମାନ ଖାଓ୍ବାଜା ସପ୍ତମ, ଦିମୁଥ କରୁଣାରତ୍ନେ ୮ମ, ରୋହିତ ଶର୍ମା ୭୪୬ ପଏଣ୍ଟ ସହ ନବମ ଏବଂ ଜନି ବୟାରିଷ୍ଟୋ ଦଶମ ସ୍ଥାନରେ ରହିଛନ୍ତି ।
ସେହିଭଳି ବୋଲିଂ ତାଲିକାରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ୯୦୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୮୪୨ ପଏଣ୍ଟ ସହ ଦ୍ବିତୀୟ, ୮୨୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ରବୀନ୍ଦ୍ର ଜାଡେଜା । ଅନ୍ୟ କୌଣସି ଭାରତୀୟ ବୋଲୀ ଡପ୍-୧୦ରେ ନାହାନ୍ତି । ସେହିଭଳି ଟେଷ୍ଟ ଅଲରାଉଣ୍ଡର ତାଲିକାରେ ୩୮୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି ରବୀନ୍ଦ୍ର ଜାଡେଜା । ୩୩୫ ପଏଣ୍ଟ ସହିତ ଅଶ୍ବିନ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟ କୌଣସି ଭାରତୀୟ ଅଲରାଉଣ୍ଡର ଟପ୍-୧୦ରେ ନାହାନ୍ତି ।