ନୂଆଦିଲ୍ଲୀ,୨୩/୦୯: ପ୍ରବଳ ବର୍ଷାରେ ବେହାଲ ପଶ୍ଚିମବଙ୍ଗ ରାଜଧାନୀ କୋଲକାତା । ଲଗାଣ ବର୍ଷା ଯୋଗୁଁ ସହରର ଚାରିଆଡେ ପାଣି ଆଉ ପାଣି । ଫଳରେ ଯାତାୟତ ବାଧାପ୍ରାପ୍ତ । ସେପଟେ ବର୍ଷା ବିତ୍ପାତ ଯୋଗୁଁ ଗଲାଣି ୫ ଜଣଙ୍କ ଜୀବନ। 

ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସୃଷ୍ଟି ଯୋଗୁଁ ହନ୍ତସନ୍ତ ସ୍ଥାନୀୟ ବାସିନ୍ଦା। ତଳିଆ ଅଞ୍ଚଳ ମାନଙ୍କରେ ପାଣି ଜମି ରହିଛି । ସେହିପରି ବର୍ଷା ଯୋଗୁଁ ହାୱଡ଼ା ଷ୍ଟେସନ, ସିଆଲଦା ସାଉଥ୍ ଷ୍ଟେସନ ଓ ଚିତପୁର ନର୍ଥ କ୍ୟାବିନ ଅଞ୍ଚଳରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । କୋଲକାତା ମେଟ୍ରୋ ସର୍ଭିସ ମଧ୍ୟ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଉଛି । ଦୁର୍ଗା ପୂଜା ପ୍ରସ୍ତୁତିରେ ମଧ୍ୟ ବର୍ଷା ବାଧକ ସାଜିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଲିପୁରରେ ୨୪୭ ମିଲିମିଟର ବର୍ଷା ରକେର୍ଡ ହୋଇଥିବା ବେଳେ ଗରିଆ କମଦାହାରିରେ ୩୩୨ ମିଲିମିଟର, ଯୋଧପୁରରେ ୨୮୫, କାଳୀଘାଟରେ ୨୮୦ ଓ ତପସିଆରେ ୨୭୫ , ବେଲିଗଞ୍ଜରେ ୨୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବିଭିନ୍ନ ସ୍ଥାନରେ ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଉଛି । ସେହିପରି କରେଣ୍ଟ ଲାଗି ୫ ଜଣଙ୍କର ଜୀବନ ଗଲାଣି ପ୍ରକାଶ ଥାଉକି, ମଙ୍ଗଳବାର ଦିନ ରାତିସାରା କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବା ଫଳରେ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି । ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି ଯେ, ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା କରାଇପାରେ । ଏହା ବ୍ୟତୀତ, ସେପ୍ଟେମ୍ବର ୨୫ ତାରିଖ ପାଖାପାଖି ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।